/odisha-reporter/media/media_files/2025/12/11/luthra-2025-12-11-13-34-43.jpg)
ଗିରଫ ହୋଇଥିବା ଲୁଥ୍ରା ବ୍ରଦର୍ସ
ଗୋଆ(Goa) ନାଇଟ କ୍ଲବ ଅଗ୍ନିକାଣ୍ଡ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ଥାଇଲ୍ୟାଣ୍ଡରେ ଗିରଫ ହୋଇଛନ୍ତି ରୋମିଓ ଲେନ କ୍ଲବର ଦୁଇ ମାଲିକ ସୌରଭ ଓ ଗୌରବ ଲୁଥ୍ରା। ଶନିବାର ଗୋଆର ଏହି ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣ ପ୍ରାଣ ହରାଇଥିଲେ। ଏହାର ୫ ଘଣ୍ଟା ପରେ ଲୁଥ୍ରା ବ୍ରଦର୍ସ ଗିରଫଦାରୀ ଭୟରେ ଭାରତ ଛାଡ଼ି ଦେଇ ଥିଲେ। ଏବେ ସେମାନଙ୍କୁ ଥାଇଲ୍ୟାଣ୍ଡର ଫୁକେଟରେ ଗିରଫ କରାଯାଇଛି।
ଅଗ୍ନିକାଣ୍ଡ ପରେ ଦୁଇ ଭ୍ରାତା ଇଣ୍ଡିଗୋ ବିମାନରେ ଦେଶ ଛାଡ଼ିଥିଲେ। ଏଥିପାଇଁ ଉଭୟଙ୍କ ନାଁରେ ଲୁକ ଆଉଟ ନୋଟିସ ଓ ଇଣ୍ଟରପୋଲ ଜରିଆରେ ବ୍ଲୁ ନୋଟିସ ମଧ୍ୟ ଜାରି କରାଯାଇଥିଲା। ଏହି ନୋଟିସ ଆଧାରରେ ସେମାନଙ୍କୁ ଥାଇଲ୍ୟାଣ୍ଡ ପୁଲିସ୍ ଗିରଫ କରିଛି। ଉଭୟ ଏବେ ଥାଇଲ୍ୟାଣ୍ଡରେ ଥିବା ବେଳେ ଗୋଆ ପୁଲିସ୍ର ଗୋଟିଏ ଟିମ ସେଠାକୁ ଯିବ। ଏହାପରେ ଉଭୟଙ୍କୁ ଭାରତ ଅଣାଯିବ ବୋଲି ଜଣାପଡ଼ିଛି। ସେମାନେ ସିଧା ମୁମ୍ବାଇ ଆସିବେ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଏବେ ଲୁଥ୍ରା ଭ୍ରାତା ଫୁକେଟ ସ୍ଥିତ ଅଟକ କେନ୍ଦ୍ରରେ ରହିଛନ୍ତି। ସେମାନଙ୍କ ହାତରେ ହାତ କଡ଼ି ପଡ଼ିଛି ଓ ଉଭୟ ପାସପୋର୍ଟ ଧରି ଛିଡ଼ା ହୋଇଥିବାରୁ ଫଟୋ ମଧ୍ୟ ସାମ୍ନାକୁ ଆସିଛି।
ଇଣ୍ଡିଗୋ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଥିବା ବେଳେ ଦୁଇ ଭ୍ରାତା ତତ୍କାଳ ଟିକେଟ କରି କେମିତି ଦେଶ ଛାଡ଼ିଲେ ବୋଲି ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଛି। ତଦନ୍ତରୁ ଜଣାପଡ଼ିଛି ଯେ ଡିସେମ୍ବର ୭ ତାରିଖ ରାତି ୧.୧୭ରେ ଦୁଇ ଭାଇ ଥାଇଲ୍ୟାଣ୍ଡ ପାଇଁ ଟିକେଟ କରିଥିଲେ। ଗୋଟିଏ ପଟେ କ୍ଲବ ଜଳୁଥିବା ବେଳେ ଅନ୍ୟପଟେ ଏହାର ଦୁଇ ମାଲିକ ଦେଶ ଛାଡ଼ିବାକୁ ଯୋଜନା ଆରମ୍ଭ କରି ଦେଇଥିଲେ।
ଥାଇଲ୍ୟାଣ୍ଡରେ ପହଞ୍ଚିବା ପରେ ଗିରଫଦାରୀ ଭୟରେ ଦୁଇ ଭାଇ ଭାରତ ଫେରିବାକୁ ମଧ୍ୟ ମନା କରି ଦେଇଥିଲେ। ଏଥିସହ ଦିଲ୍ଲୀର ରୋହିଣୀ କୋର୍ଟରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଆବେଦନ ମଧ୍ୟ ଦାଖଲ କରିଥିଲେ। ଗିରଫଦାରୀରୁ ବର୍ତ୍ତିବା ପାଇଁ ନୁହେଁ ବ୍ୟବସାୟିକ ମିଟିଂ ପାଇଁ ଦୁଇ ଭାଇ ଥାଇଲ୍ୟାଣ୍ଡ ଯାଇଥିବା କହିଥିଲେ। ଏସବୁ ସତ୍ତ୍ୱେ ଉଭୟଙ୍କୁ ଗିରଫ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
