Advertisment

୨୫୦୦ କୋଟିର ଡ୍ରଗ ରାକେଟ: ବିଳାସପୂର୍ଣ୍ଣ କାର, ଭିଲ୍ଲା ଓ ଦୁବାଇଲ ଲିଙ୍କ୍‌

ଅଭିଯୁକ୍ତ ଜଣକ ହେଲା ପବନ ଠାକୁର। ସେ ପ୍ରାୟ ୮୨ କେଜିର ହାଇ ଗ୍ରେଡ କୋକେନ ଜବତ ଘଟଣାର ମାଷ୍ଟରମାଇଣ୍ଡ।

author-image
Hemant Lenka
Pawan Thakur

Pawan Thakur

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପକ୍ଷରୁ ଦୁବାଇ ଭିତ୍ତିକ ଜଣେ ଡ୍ରଗ ଚୋରାଚାଲାଣକାରୀ ବିରୋଧରେ ଅନ୍ତର୍ଜାତୀୟ ସିଲଭର ନୋଟିସ ଜାରି କରାଯାଇଛି। ଦେଶ ଇତିହାସରେ ଜବତ ହୋଇଥିବା ସବୁଠାରୁ ବଡ଼ କୋକେନ କନସାଇନମେଣ୍ଟ ପଛରେ ମଧ୍ୟ ଏହି ଅଭିଯୁକ୍ତ ଜଣଙ୍କ ରହିଥିବା ଜଣାପଡ଼ିଛି।

Advertisment

ଅଭିଯୁକ୍ତ ଜଣକ ହେଲା ପବନ ଠାକୁର। ସେ ପ୍ରାୟ ୮୨ କେଜିର ହାଇ ଗ୍ରେଡ କୋକେନ ଜବତ ଘଟଣାର ମାଷ୍ଟରମାଇଣ୍ଡ। ୨୦୨୪ ନଭେମ୍ବର ମାସରେ ଦିଲ୍ଲୀରୁ ଏତେ ପରିମାଣର କୋକେନ ଜବତ ହୋଇଥିଲା। ଏହାର ବଜାରମୂଲ୍ୟ ପ୍ରାୟ ୨୫ ଶହ କୋଟି ହେବ। ଏତେ ପରିମାଣର କୋକେନ ବିଦେଶୀରୁ ପ୍ରଥମେ ଭାରତର ଗୋଟିଏ ପୋର୍ଟକୁ ଆସିଥିଲା। ସେଠାରୁ ଟ୍ରକ ଯୋଗେ ଦେଶର ରାଜଧାନୀରେ ପ୍ରବେଶ କରିଥିଲା। ଦିଲ୍ଲୀର ଗୋଟିଏ ୱେୟାର ହାଉସରେ ଏହାକୁ ରଖାଯାଇଥିବା ବେଳେ ଏନସିବି ସେଗୁଡ଼ିକୁ ଜବତକ କରିଥିଲା।

ଏବେ ଭାରତୀୟ ଅଧିକାରୀମାନେ ପ୍ରଥମଥର ପାଇଁ ଇଣ୍ଟରପୋଲର ସିଲଭର ନୋଟିସ ବ୍ୟବସ୍ଥାକୁ ବ୍ୟବହାର କରି ବିଦେଶରେ ଥିବା କୌଣସି ଡ୍ରଗ ଚୋରାଚାଲାଣକାରୀକୁ ଟାର୍ଗେଟ କରିଛନ୍ତି। ଏହି ନୋଟିସ ବଳରେ ଅନ୍ତର୍ଜାତୀୟ ତଦନ୍ତକାରୀ ଏଜେନ୍ସି ଅଭିଯୁକ୍ତ ସହ ଜଡ଼ିତ ସମ୍ପତ୍ତି, ବ୍ୟବସାୟକ ଓ ଆର୍ଥିକ କାରବାର ସମ୍ପର୍କରେ ତଥ୍ୟ ହାସଲ କରିପାରିବେ। ଏଥିସହ ଇଣ୍ଟରପୋଲର ୧୯୬ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରଗୁଡ଼ିକ ଗୁଇନ୍ଦା ତଥ୍ୟ ଦେବେ ଓ ବେଆଇନ ସମ୍ପତ୍ତିକୁ ସିଜ କରିପାରିବେ।

Advertisment

ନୋଟିସକୁ ୟୁଏଇ, ସିଙ୍ଗାପୁର, ହଂକଂ ଓ ଏକାଧିକ ୟୁରୋପୀୟ ଦେଶ ସହ ଶେୟାର କରାଯାଇଛି। ଏହି ସବୁ ସ୍ଥାନରେ ପବନ ଠାକୁର ବିଭିନ୍ନ ରିୟଲ ଇଷ୍ଟେଟ ଓ ଅନ୍ୟାନ୍ୟ ବ୍ୟବସାୟରେ ପ୍ରବଳ ପୁଞ୍ଜି ନିବେଶ କରିଛି। ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତଥ୍ୟ ସଂଗ୍ରହ ପାଇଁ ଏନସିବି ଏପରି ପଦକ୍ଷେପ ନେଇଛି।

ଏନସିବି ତଦନ୍ତୁ ଜଣାପଡ଼ିଛି ଯେ ପବନ ଠାକୁର କେବଳ ନଭେମ୍ବର ୨୦୨୪ରେ ଜବତ ହୋଇଥିବା କୋକେନ ଚୋରାଚାଲାଣର ମାଷ୍ଟରମାଇଣ୍ଡ ନୁହେଁ, ବରଂ ସେ ଦୀର୍ଘ ସମୟର ଧରି ହାୱାଲା ଓ ମନି ଲଣ୍ଡରିଂ ବ୍ୟବସାୟରେ ମଧ୍ୟ ସାମିଲ ରହିଛି। ସେ ପ୍ରଥମେ ଦିଲ୍ଲୀର କୁଚା ମହାଜନୀ ମାର୍କେଟରେ ହାୱାଲା ଏଜେଣ୍ଟ ଭାବେ କାମ କରୁଥିଲା। ପରବର୍ତ୍ତୀ ସମୟରେ ସେ ବଡ଼ଧରଣର ନିଶାଦ୍ରବ୍ୟ ଚୋରାଚାଲାଣ ଜଗତରେ ପାଦ ଥାପିଥିଲା।

ତା’ର ବେଆଇନ କାର୍ଯ୍ୟକଳାପ ଭାରତ ଓ ଦୁବାଇକୁ ବ୍ୟାପିଛି। ନିଶାଦ୍ରବ୍ୟ ଚୋରାଚାଲାଣ ଦ୍ୱାରା ମିଳୁଥିବା କଳାଧନକୁ ହାୱାଲା ବ୍ୟବସ୍ଥା ଦ୍ୱାରା ଧଳା କରାଯାଉଛି। କ୍ରିପ୍ଟୋକରେନ୍ସୀ ଓ ଭାରତ, ଚାଇନା, ସିଙ୍ଗାପୁର, ହଂକଂ ଓ ୟୁଏଇରେ ଥିବା ଶେଲ କମ୍ପାନୀକୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଉଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର କହିବା କଥା ନକଲି ଆମଦାନୀ ଓ ରପ୍ତାନୀ ଦସ୍ତାବିଜ ଦ୍ୱାରା ପବନ ଠାକୁର ଓ ତା’ ଗ୍ୟାଙ୍ଗ ୬୮୧ କୋଟି ଟଙ୍କା ହାତେଇଛନ୍ତି। ଇଡି ଏନେଇ ପବନ ଠାକୁର ନାଁରେ ଏକାଧିକ ସମନ ଜାରି କରିଥିଲେ ହେଁ ସେ ହାଜର ହୋଇନାହିଁ। ଏଥିଯୋଗୁ ତା’ ନାଁରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରିଛନ୍ତି।

୨୦୨୪ ନଭେମ୍ବର ମାସରେ ଦିଲ୍ଲୀରୁ ୨୫ଶହ କୋଟିର କୋକେନ ଜବତ ହେବାର କିଛି ଦିନ ପରେ ସେ ଓ ତା’ ପରିବାର ଭାରତରୁ ପଳାୟନ କରିଥିଲେ। ଏବେ ସେମାନେ ଦୁବାଇରେ ରହୁଛନ୍ତି। ସେଠାରେ ରହି ପବନ ଠାକୁର ଚୋରାଚାଲାଣ ଓ ମନି ଲଣ୍ଡରିଂ ନେଟୱର୍କ ଜାରି ରଖିଛି।

ଦୁବାଇରେ ଏକାଧିକ ସମ୍ପତ୍ତି ଓ ବିଳାସପୂର୍ଣ୍ଣ କାର କିଣିଛି ପବନ ଠାକୁର। ଦୁବାଇ ହିଲ ଇଷ୍ଟେଟରେ ତା’ର ଗୋଟିଏ ବିରାଟକାୟ ଭିଲ୍ଲା ମଧ୍ୟ ରହିଛି। ଠାକୁର ସହ ଜଡ଼ିତ ଦିଲ୍ଲୀର ନଙ୍ଗଲୋଇର ଗୋଟିଏ ଠିକଣାରେ ଏନସିବି ଅଧିକାରୀମାନେ ୨୦୨୪ ମସିହା ନଭେମ୍ବର ୧୪ରେ ରେଡ କରିଥିଲେ।

ଏହି ସମୟରେ ୮୨ କେଜିର କୋକେନ ମିଳିଥିଲା। ଏହାକୁ ମେକ୍ସିକୋରୁ ଆସିଥିବା ଗୋଟିଏ କନସାଇନମେଣ୍ଟରେ ରଖାଯାଇଥିଲା। ଏଠାରୁ ସେଗୁଡ଼ିକୁ ଅଷ୍ଟ୍ରେଲିଆ ପଠାଯିବାର ଯୋଜନା ରହିଥିଲା। ଏହି ଘଟଣାରେ ପବନ ଠାକୁରର ୫ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।

କେବଳ ୨୦୨୫ରେ ଏନସିବି ବିଦେଶୀରୁ ୪ ଜଣ ନିଶା ବ୍ୟବସାୟୀଙ୍କୁ ଭାରତ ଫେରାଇ ଆଣିବାକୁ ସକ୍ଷମ ହୋଇଛି। ଏମାନଙ୍କ ମଧ୍ୟରେ ନବୀନ ଚିଚକର ଓ ଲିଜୋ ଜୋଶ ଭଳି କୁଖ୍ୟାତ ଚୋରାଚାଲାଣକାରୀ ରହିଛନ୍ତି।

Dubai Drug Ban