Advertisment

Arms Racket Busted: ବନ୍ଧୁକ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ: ପାକିସ୍ତାନ ଦେଇ ଭାରତ ଆସୁଥିଲା ମେଡ ଇନ ଚାଇନା ଓ ତୁର୍କୀ ପିସ୍ତଲ

ପୁଲିସ୍‌ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୪ ଜଣ ପ୍ରମୁଖ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୦ଟି ଦାମୀ ବିଦେଶୀ ପିସ୍ତଲ ଓ ୯୨ ଜୀବନ୍ତ କ୍ୟାଟ୍ରିଜ ଜବତ ହୋଇଛି।

author-image
Hemant Lenka
GUN

ବନ୍ଧୁକ ସହ ଜବତ ହୋଇଥିବା ୪ ବ୍ୟକ୍ତି

ଦିଲ୍ଲୀ(Delhi) ପୁଲିସ୍‌କୁ ବଡ଼ ସଫଳତା। ଗୋଟିଏ ଅନ୍ତର୍ଜାତୀୟ ବେଆଇନ୍ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁଲିସ୍‌। ଚାଇନା ଓ ତୁର୍କୀ ନିର୍ମିତ ଅସ୍ତ୍ରଶସ୍ତ୍ର ପାକିସ୍ତାନ ଦେଇ ଏହି ରାକେଟ ଜରିଆରେ ଭାରତକୁ ଚାଲାଣ ହେଉଥିଲା। ଏହି ସଣ୍ଡିକେଟର ଲିଙ୍କ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ମଧ୍ୟ ରହିଛି। ଆଇଏସଆଇ ସହାୟତାରେ ଚାଇନା ଓ ତୁର୍କୀ ନିର୍ମିତ ମାରାତ୍ମକ ପିସ୍ତଲ ପାକିସ୍ତାନ ଦେଇ ଭାରତରେ ପହଞ୍ଚୁଥିଲା।

Advertisment

ପୁଲିସ୍‌ ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୪ ଜଣ ପ୍ରମୁଖ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୦ଟି ଦାମୀ ବିଦେଶୀ ପିସ୍ତଲ ଓ ୯୨ ଜୀବନ୍ତ କ୍ୟାଟ୍ରିଜ ଜବତ ହୋଇଛି। ଏହି ଅସ୍ତ୍ରଶସ୍ତ୍ରକୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଅପରାଧୀମାନଙ୍କୁ ଚାଲାଣ କରାଯାଉଥିଲା। 

ଏବେ ଗ୍ୟାଙ୍ଗ ପକ୍ଷରୁ କେତେ ସଂଖ୍ୟକ ବନ୍ଧୁକ ଓ ଅନ୍ୟ ଘାତକ ଅସ୍ତ୍ର ଭାରତରେ ବିକ୍ରି କରାଯାଇଛି, ତା’ର ଯାଞ୍ଚ ପୁଲିସ୍‌ କରୁଛି। ବେଆଇନ ବନ୍ଧୁକ ଚାଲାଣ ରାକେଟ ସହ କେଉଁ ଗ୍ୟାଙ୍ଗ ବା ଲୋକମାନେ ଜଡ଼ିତ, ତା’ର ମଧ୍ୟ ଖୋଳତାଡ଼ ଦିଲ୍ଲୀ ପୁଲିସ୍‌ ଆରମ୍ଭ କରିଦେଇଛି। ସୋଶାଲ ମିଡିଆ, ବ୍ୟାଙ୍କ ତଥ୍ୟ ଓ ମୋବାଇଲ ଫୋନରୁ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ସୂଚନା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ସୁରକ୍ଷା ଏଜେନ୍ସି। 

Advertisment

ନଭେମ୍ବର ୧୦ ଦିଲ୍ଲୀ ବିସ୍ଫୋରଣ ପରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ରେଡ ମଧ୍ୟ କରାଯାଉଛି। ଏହି ରେଡ ବେଳେ ଗ୍ୟାଙ୍ଗ ସମ୍ପର୍କରେ ସୂଚନା ମିଳିଛି। ନଭେମ୍ବର ୧୦ରେ ଦିଲ୍ଲୀର ଲାଲ କିଲ୍ଲା ନିକଟରେ କାର୍‌ ବୋମା ବିସ୍ଫୋରଣ କରାଯାଇଥିଲା। ଏଥିରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।

ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀର ଓ ହରିୟାଣା ପୁଲିସ୍‌ ଗୋଟିଏ ଅନ୍ତଃରାଜ୍ୟ ହ୍ୱାଇଟ କଲାର ଟେରର ମଡ୍ୟୁଲର ପର୍ଦ୍ଦାଫାସ କରିଥିଲା। ଏହାର ଲିଙ୍କ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସହ ରହିଛି। ହରିୟାଣାର ଫରିଦାବାଦରୁ ହ୍ୱାଇଟ କଲାର ଟେରର ମଡ୍ୟୁଲର ପର୍ଦ୍ଦାଫାସ କରିବା ସହ ପୁଲିସ୍‌ ୨୯୦୦ କେଜିର ବିସ୍ଫୋରକ ଜବତ କରିଥିଲା। 

Delhi