Maha
ଚର୍ଚ୍ଚାରେ ମହାରାଷ୍ଟ୍ର ସରକାରଙ୍କ ଗୋଟିଏ କାର୍ଯ୍ୟକ୍ରମ। ମୁମ୍ବାଇରେ ଅନୁଷ୍ଠିତ ପାର୍ଲାମେଣ୍ଟର ଏଷ୍ଟିମେଟ୍ସ କମିଟିର ପ୍ଲାଣ୍ଟିନମ ଜୁବଲୀ ପାଇଁ ଆୟୋଜିତ ଭୋଜିର ଖର୍ଚ୍ଚ ସମସ୍ତଙ୍କୁ ଚକିତ କରିଛି। ଭୋଜିରେ ଟଙ୍କାକୁ ସରକାର ପାଣି ଭଳି ଖର୍ଚ୍ଚ କରିଥିବା ଅଭିଯୋଗ ବିବାଦ ସୃଷ୍ଟି କରିଛି। କଂଗ୍ରେସର ମହାରାଷ୍ଟ୍ର ୟୁନିଟ ଓ ସାମାଜିକ କର୍ମୀମାନେ ସରକାର ଦେଇଥିବା ଏପରି ବ୍ୟୟବହୁଳ ପାର୍ଟି ଉପରେ ପ୍ରଶ୍ନ ଉଠାଇଛନ୍ତି।
ରାଜ୍ୟରେ ଆର୍ଥିକ ସଙ୍କଟ ଦେଖାଯାଉଥିବା ବେଳେ ପାର୍ଟିରେ ଯୋଗ ଦେଇଥିବା ଅତିଥିମାନଙ୍କୁ ରୁପାର ଥାଳିରେ ଖାଦ୍ୟ ପରସା ଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ମୁମ୍ବାଇରେ ଚାଲିଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦଘାଟନ ଲୋକସଭା ବାଚସ୍ପତି ଓମ ବିର୍ଲା କରିଥିଲେ। ମୁମ୍ବାଇର ବିଧାନ ଭବନ କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ୬୦୦ ଜଣ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା।
ମହାରାଷ୍ଟ୍ର କଂଗ୍ରେସ ଅଭିଯୋଗ କରିଛି ଯେ ଅତିଥିମାନଙ୍କୁ ଖାଦ୍ୟ ପରସିବା ପାଇଁ ରୁପାର ଥାଲି ଭଡ଼ାରେ ଅଣା ଯାଇଥିଲା। ପ୍ରତି ପ୍ଲେଟର ଭଡ଼ା ଥିଲା ୫୫୦ ଟଙ୍କା। ସେହିପରି ରୁପା ଥାଳିରେ ଦିଆଯାଇଥିବା ଖାଦ୍ୟର ଦାମ ଥିଲା ୫ ହଜାର ଟଙ୍କା।
ମହାରାଷ୍ଟ୍ର କଂଗ୍ରେସର ବିଧାୟକ ଦଳ ନେତା ବିଜୟ ୱାଡେଟ୍ଟିୱାର କହିଛନ୍ତି, ଏହା ଅଯଥା ଖର୍ଚ୍ଚ। ରାଜ୍ୟ ଗୋଟିଏ ପ୍ରକାରର ଦେବାଳିଆ ସ୍ଥିତିରେ ଥିବା ବେଳେ ଏଷ୍ଟିମେଟ୍ସ କମିଟିର ସଦସ୍ୟମାନଙ୍କୁ ମୁମ୍ବାଇରେ ରୁପାର ଥାଳିରେ ଖାଇବାକୁ ଦିଆଯିବାର ଆବଶ୍ୟକତା କ’ଣ ଥିଲା? ପ୍ରତଟି ଗେଷ୍ଟଙ୍କ ଖାଇବା ପାଇଁ ୫ ହଜାର ଟଙ୍କା ଲେଖାଏ ଖର୍ଚ୍ଚ କରାଯାଇଛି। ଅର୍ଥାତ ରୁପା ଥାଳିରେ ଦିଆଯାଇଥିବା ଖାଦ୍ୟର ଦାମ ୫ ହଜାର ଟଙ୍କା।
ଅତିଥିମାନଙ୍କ ପାଇଁ ଏପରି ଖର୍ଚ୍ଚ କରାଯାଉଥିବା ବେଳେ ଚାଷୀମାନଙ୍କୁ ଋଣ ଛାଡ଼ କରାଯାଉ ନାହିଁ। ବୋନସ ଦିଆଯାଉ ନଥିବା ବେଳେ ଏକାଧିକ ସାମାଜିକ କଲ୍ୟାଣ ଯୋଜନାର ବଜେଟକୁ ହ୍ରାସ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ହର୍ଷବର୍ଦ୍ଧନ ସପକଲ ମଧ୍ୟ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୫୫୦ ଟଙ୍କିଆ ପ୍ଲେଟରେ ୫୦୦୦ ଟଙ୍କିଆ ମିଲ୍ ଏଷ୍ଟିମେଟ୍ସ କମିଟିର ପ୍ରତିନିଧିମାନଙ୍କୁ ଦିଆଯାଇଛି। ଏପରି ଟଙ୍କା ପାଣି ଭଳି ଖର୍ଚ୍ଚ କରିବାର କାରଣ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ସାମାଜିକ କର୍ମୀ କୁମ୍ଭାର ଦାବି କରିଛନ୍ତି ଯେ ୬୦୦ ଜଣ ଅତିଥିଙ୍କ ପାଇଁ ଲୋକଙ୍କ ଟଙ୍କାରୁ ମୋଟ ୨୭ ଲକ୍ଷର ଅଯଥା ଖର୍ଚ୍ଚ ହୋଇଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରକାରର ବିଧିବଦ୍ଧ ପ୍ରତିକ୍ରିୟା ମିଳିପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Maha_1750927227.jpg)