Advertisment

ଛିଡ଼ିଲା ଆସନ ଅଙ୍କ: ଉଦ୍ଧବଙ୍କୁ ୨୧, କଂଗ୍ରେସକୁ ମିଳିଲା ୧୭

ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ।

author-image
Madhupriya Mistry
ଅଦ୍ୟତନ ହୋଇଛି
MVA Seat Deal

MVA Seat Deal

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏଭଳି ପରିସ୍ଥିତିରେ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ ମହାରାଷ୍ଟ୍ରରେ ଫାଇନାଲ ହୋଇଛି ସିଟ୍‌ ସେୟାରିଂ। ମହାରାଷ୍ଟ୍ରର ମହାବିକାଶ ଆଘାଡି ମେଣ୍ଟ ମଧ୍ୟରେ ସିଟ୍ ଭାଗ ବଣ୍ଟାକୁ ନେଇ ଜାରି ରହିଥିବା ସମସ୍ୟାର ସମାଧାନ ହୋଇଛି। ଏନେଇ ଶବସେନା ନେତା ସଞ୍ଜୟ ରାଉତ ଘୋଷଣା କରିଛନ୍ତି।

Advertisment

ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି) ମହାରାଷ୍ଟ୍ରରେ ୨୧ଟି ଆସନରେ ନିର୍ବାଚନ ଲଢ଼ିବ। ସେହିପରି କଂଗ୍ରେସକୁ ୧୭ଟି ଆସନ ମିଳିଛି। ଶରଦ ପାଓ୍ୱାରଙ୍କ ଏନ୍‌ସିପି ମୋଟ ୧୦ଟି ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏନେଇ ମୁମ୍ବାଇରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମହାବିକାଶ ଅଘାଡି ମେଣ୍ଟର ନେତାମାନେ ଘୋଷଣା କରିଛନ୍ତି।

ସିଟ୍‌ ଭାଗ ବଣ୍ଟା ନେଇ ଘୋଷଣା କରିବା ପରେ ଶରଦ ପାଓ୍ୱାର କହିଛନ୍ତି, 'ଆମେ ସମସ୍ତେ ଏକାଠି ଅଛୁ। ଆମ ଭିତରେ କୌଣସି ପାର୍ଥକ୍ୟ ନାହିଁ।' ସେହିପରି ଉଦ୍ଧବ ଠାକରେ କହିଛନ୍ତି ଯେ 'ସବୁ ସିଟରେ ଲଢିବାକୁ ସମସ୍ତଙ୍କର ଇଚ୍ଛା ଅଛି। ଏଥିରେ କୌଣସି ଭୁଲନାହିଁ । କିନ୍ତୁ ବିଜୟ କ୍ଷମତା ଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ। ଏହି ଲଢେଇ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।'

Advertisment

କେବଳ ସେତିକି ନୁହେଁ ବିଜେପି ଟାର୍ଗେଟ୍‌ କରି ଉଦ୍ଧବ କହିଛନ୍ତି, 'ଗତକାଲି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଆସିଥିଲେ। କାଲି ସୂର୍ଯ୍ୟଗ୍ରହଣ ଓ ଅମାବାସ୍ୟା ଥିଲା ଏହାସହ ପ୍ରଧାନମନ୍ତ୍ରୀଙ୍କ ସଭା ମଧ୍ୟ ଥିଲା। ଆମେ ପ୍ରଧାନମନ୍ତ୍ରୀ ପଦକୁ ସମାଲୋଚନା କରୁନୁ ବରଂ ଭ୍ରଷ୍ଟ ଜନତା ପାର୍ଟିର ନେତାଙ୍କୁ ସମାଲୋଚନା କରୁଛୁ। ଭ୍ରଷ୍ଟ ଜନତା ପାର୍ଟି ଏକ ୱାସିଂ ମେସିନ ରଖିଛି। ଏଥିସହ ନିଜ ପାଖରେ 'ଦାଗ ଅଚ୍ଛେ ହେଁର ୱାସିଂ' ପାଉଡର ମଧ୍ୟ ରଖିଛି। ସବୁ ଦାଗୀ ସେଠାରେ ସଫା ହୋଇଯାଉଛନ୍ତି।'

ସେହିପରି କଂଗ୍ରେସ ନେତା ନାନା ପଟୋଲେ କହିଛନ୍ତି, କଂଗ୍ରେସ ଏକ ଜାତୀୟ ଦଳ। ଏହି ମେଣ୍ଟ ପାଇଁ ସୋନିଆ ଗାନ୍ଧିଙ୍କୁ ଇଡି ଅଫିସରେ ରଖାଗଲା। ଏକଛତ୍ରବାଦୀ ଶାସନ ବିରୋଧରେ ଲଢୁଛି କଂଗ୍ରେସ। ବିଜେପିକୁ ହରାଇବାକୁ ଆମ କାର୍ଯ୍ୟକର୍ତ୍ତାଙ୍କୁ ବଡ ହୃଦୟର ସହ ଆଗକୁ ଆସିବାକୁ ହେବ। ଆମ ମେଣ୍ଟକୁ ସେମାନେ ମୁସଲିମ୍ ଲିଗ ସହ ତୁଳନା କରୁଛନ୍ତି। ଆମ ସହ ପ୍ରକୃତ ଏନସିପି ଓ ପ୍ରକୃତ ଶିବସେନା ଅଛି। ସେମାନେ(ବିଜେପି) ଆମ ମେଣ୍ଟକୁ ଏବେ ଭୟ କରୁଛନ୍ତି।

ମହାବିକାଶ ଆଘାଡି ମେଣ୍ଟରେ ଆସନ ଭାଗ ବଣ୍ଟନ ସଂପର୍କରେ ବରିଷ୍ଠ ନେତାଙ୍କ ମଧ୍ୟରେ ଅନେକ ରାଉଣ୍ଡ ଆଲୋଚନା ହୋଇଥିଲା। ଦଳରେ ବିଭାଜନ ପରେ ଶରଦ ପାୱାରଙ୍କ ଏନସିପି ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛି।

କହିରଖୁ ଯେ, ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏପ୍ରିଲ ୧୯, ୨୬ ଓ ମେ' ୭, ୧୩ ଏବଂ ୨୦ରେ ଭୋଟ୍‌ ପଡିବ। ଜୁନ୍‌ ୪ ତାରିଖରେ ଫଳାଫଳ ଘୋଷଣା ହେବ। 

Congress Maharashtra Shiv Sena Udhav Thackray MVA Loksabha Election 2024