Sonia
ଟିଏମସି ସାଂସଦ ମହୁଆ ମୈତ୍ରା ଓ ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର ସେମାନଙ୍କ ବାହାଘର ଭୋଜି ଦେଇଛନ୍ତି। ମଙ୍ଗଳବାର ଦିଲ୍ଲୀରେ ଭୋଜିର ଆୟୋଜନ କରାଯାଇଥିଲା। ଏହି ବିବାହ ଭୋଜିରେ ବିଭିନ୍ନ ରାଜନୀତିକ ଦଳର ହେଭିୱେଟ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।
ମେ’ ୩୦ରେ ଜର୍ମାନୀରେ ଅତ୍ୟନ୍ତ ଗୋପନ ଭାବେ ପିନାକୀ ଓ ମହୁଆ ପରସ୍ପରକୁ ଜୀବନ ସାଥୀ ଭାବେ ବାଛିଥିଲେ। ସେତେବେଳେ ବିବାହର ଫଟୋ ବେଶ ଭାଇରାଲ ହୋଇଥିଲା। ବାହାଘରର ପ୍ରାୟ ୨ ମାସ ପରେ ଦିଲ୍ଲୀରେ ଥିବା ହୋଟେଲ ଲଳିତରେ ସେମାନେ ଭୋଜି ବା ରିସେପସନର ଆୟୋଜନ କରିଥିଲେ।
ଦିଲ୍ଲୀ ରିସେପସନରେ ମହୁଆ ନାଲି ଶାଢ଼ୀ ଓ ପାରମ୍ପରିକ ଅଳଙ୍କାରରେ ଝଟକିଛନ୍ତି। ପିନାକୀ ମିଶ୍ର ବେଙ୍ଗଲୀ ପରମ୍ପରା ଅନୁସାରେ ଧଳା ରଙ୍ଗର ପୋଷାକ ପରିଧାନ କରିଥିଲେ। ସୋଶାଲ ମିଡିଆରେ ଭୋଜିର ଏକାଧିକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ମହୁଆ ଓ ପନିକୀ ମିଳିତ ଭାବେ ଅଥିତିମାନଙ୍କୁ ସ୍ୱାଗତ କରୁଛନ୍ତି।
ଭୋଜିରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ଡିନର ଟେବୁଲରେ ରାଜ୍ୟସଭା ସାଂସଦ ରଣଜୀତ ରଞ୍ଜନ ଓ ଅନ୍ୟମାନଙ୍କ ସହ ବସିଥିବା ଫଟୋ ସାମ୍ନାକୁ ଆସିଛି। ସମାଜବାଦୀ ପାର୍ଟିର ଚାନ୍ଦୌଲି ସାଂସଦ ଭୋଜିରେ ଯୋଗ ଦେଇଥିବା ଏକ୍ସରେ ଲେଖିଛନ୍ତି। ସେ ମହୁଆ ଓ ପିନାକୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଟିଏମସି ସାଂସଦ ତଥା ରାଜ୍ୟସଭାର ଦଳର ଉପ ନେତା ସାଗରିକା ଘୋଷ ମଧ୍ୟ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ଭୋଜିର ଫୋଟକୁ ଶେୟାର କରିଛନ୍ତି ଅଭିନେତ୍ରୀ ତଥା ଟିଏମସି ସାଂସଦ ରଚନା ବାନାର୍ଜୀ।
ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ଟିଏମସି ସାଂସସ ସାୟୋନି ଘୋଷ, ଶିବସେନା (ଉଦ୍ଧବ ଠାକରେ) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଭୋଜିରେ ଯୋଗ ଦେଇଥିବେ ଫୋଟକୁ ପୋଷ୍ଟ କରିଛନ୍ତି।
ଏମାନଙ୍କ ବ୍ୟତୀତ କଂଗ୍ରେସର ପୂର୍ବତନ ସାଂସଦ କୁନାବର ଡାନିଶ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ ମଧ୍ୟ ମହୁଆ ଓ ପିନାକୀଙ୍କ ରିସେପସନରେ ସାମିଲ ହୋଇଥିଲେ।
ପିନାକୀ ବିଜେଡି ଟିକେଟରୁ ଓଡ଼ିଶାର ପୁରୀରୁ କ୍ରମାଗତ ୩ ଥର ବିଜୟୀ ହୋଇଥିଲେ। ୨୦୨୪ରେ ବିଜେଡି ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା। ଏହା ପୂର୍ବରୁ ଅର୍ଥାତ ୨୦୦୯ରୁ ସେ ପୁରୀରୁ ଜିତି ଆସୁଥିଲେ। ୧୯୯୬ରେ କଂଗ୍ରେସ ଟିକେଟରୁ ମଧ୍ୟ ପୁରୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। ଏବେ ସେ ଜର୍ମାନୀରେ ବେଶ ଗୁପ୍ତ ଭାବେ ୫୦ ବର୍ଷୀୟ ମହୁଆଙ୍କୁ ବିବାହ କରିଛନ୍ତି।
ମହୁଆ ମଧ୍ୟ ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କୁ ଛାଡ଼ ପତ୍ର ଦେବା ପରେ ଜଣେ ଓକିଲଙ୍କ ସହ ମହୁଆଙ୍କ ୩ ବର୍ଷର ପ୍ରେମ ସମ୍ପର୍କ ଥିଲା। ତାଙ୍କ ଠାରୁ ବେଶ କିଛି ବର୍ଷ ହେଲା ମହୁଆ ଅଲଗା ହୋଇ ରହୁଥିଲେ।
୧୯୭୪ ମସିହା ଅକ୍ଟୋବର ୧୨ରେ ଆସାମରେ ଜନ୍ମ ଗ୍ରହଣ କରିଥିବା ମହୁଆ ତାଙ୍କ କ୍ୟାରିୟର ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ ଆରମ୍ଭ କରିଥିଲେ। ୨୦୧୦ରେ ସେ ମମତା ବାନାର୍ଜୀଙ୍କ ଟିଏମସିରେ ଯୋଗ ଦେଇ ରାଜନୀତିକ ମୈଦାନରେ ପାଦ ଦେଇଥିଲେ।
୨୦୧୯ରେ ସେ ପ୍ରଥମଥର ଲୋକସଭା ନିର୍ବାଚନ ଜିତିବା ପରେ ନିଜର ବେଧଡ଼କ ଭାଷଣ ଜରିଆରେ ଜାତୀୟ ସ୍ତରରେ ବେଶ ଚର୍ଚ୍ଚିତ ହୋଇପାରିଥିଲେ। ତାଙ୍କ ଭାଷଣର ଭିଡିଓ ଅନେକ ସମୟରେ ବେଶ ଭାଇରାଲ ହୋଇଥାଏ।
ଅନ୍ୟପକ୍ଷରେ ୧୯୫୯ ମସିହା ଅକ୍ଟୋବର ୨୩ରେ ଜନ୍ମ ଗ୍ରହଣ କରିଥିବା ପିନାକୀ ମିଶ୍ର ଜଣେ ଭେଟରାନ ରାଜନେତା ଓ ବରିଷ୍ଠ ଓକିଲ। ପିନାକୀ ସେଣ୍ଟ ଷ୍ଟେଫେନ କଲେଜରୁ ଇତିହାସ ଅନର୍ସରେ ବିଏ କରିଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି। ପିନାକୀଙ୍କ ରାଜନୀତିକ ଯାତ୍ରା କଂଗ୍ରେସରୁ ଆରମ୍ଭ ହୋଇଥିଲା।
ସେ ୧୯୯୬ରେ ପ୍ରଥମଥର କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ପୁରୀରୁ ଲୋକସଭାକୁ ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Sonia_1754467868.jpg)