/odisha-reporter/media/media_files/2026/01/02/rahul-2026-01-02-13-17-45.jpg)
ରାହୁଲ ଗାନ୍ଧି (ଫାଇଲ ଫଟୋ)
ବିରୋଧୀ କଂଗ୍ରେସ କ୍ରମାଗତ ଭାବେ ଇଭିଏମର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ଚାଲିଛି। କିନ୍ତୁ କଂଗ୍ରେସ ଶାସିତ କର୍ଣ୍ଣାଟକାରେ ନିର୍ବାଚନ କମିଶନ କରିଥିବା ସର୍ଭେ ଓଲଟା ଫଳ ଦେଇଛି। ୨୦୨୪ ଲୋକସଭା ନିର୍ବାଚନ ଉପରେ ହୋଇଥିବା ସର୍ଭେ ବେଳେ ଅଧିକାଂଶ ଲୋକ ଇଭିଏମ ଉପରେ ନିଜର ଭରସା ଦେଖାଇଛନ୍ତି।
ସର୍ଭେ ରିପୋର୍ଟ ସାର୍ବଜନୀନ ହେବା ପରେ ବିଜେପି ପକ୍ଷରୁ ଇଭିଏମ(EVM Row) ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରାଯାଇଛି। ରାହୁଲ ଗାନ୍ଧିଙ୍କୁ ବିଜେପି ତୀବ୍ର ସମାଲୋଚନା କରିଛି।
ନିର୍ବାଚନ କମିଶନ ପକ୍ଷରୁ Evaluation of Endline Survey of KAP (Knowledge, Attitude and Practice) of Citizens ଶୀର୍ଷକ ସର୍ଭେ କରଯାଇଥିଲା। ସର୍ଭେରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ ୮୩.୬୧% ଇଭିଏମ ଉପରେ ଭରସା ଓ ବିଶ୍ୱାସ ଦେଖାଇଛନ୍ତି। ମୋଟ ଉପରେ ୬୯.୩୯% ଲୋକଙ୍କ କହିବା କଥା ଯେ ଇଭିଏମ ଉପଯୁକ୍ତ ଫଳ ଦେଇଥାଏ। ସେହିପରି ୧୪.୨୨% ଦୃଢ଼ ଭାବେ ଇଭିଏମ ଉପରେ ଭରସା ରଖିଥିବା କହିଛନ୍ତି।
ସର୍ଭେ ସମୟରେ ବେଙ୍ଗାଲୁରୁ, ବେଲାଗାଭି, କାଲାବର୍ଗି ଓ ମହୀଶୂରର ୧୦୨ ବିଧାନସଭା ଆସନର ୫୧୦୦ ଜଣ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। କାଲାବର୍ଗିରେ ୮୩.୨୪% ଇଭିଏମର ବିଶ୍ୱସନୀୟତାରେ ରାଜି ହୋଇଥିବା ବେଳେ ୧୧.୨୪% ଦୃଢ଼ ଭାବେ ଇଭିଏମ ବିଶ୍ୱାଯୋଗ୍ୟ ବୋଲି କହିଛନ୍ତି। ମହୀଶୂରରେ ୭୦.୬୭%, ବେଲାଗାଭିରେ ୬୩.୯୦% ଓ ବେଙ୍ଗାଲୁରୁରେ ୬୩.୬୭% ଲୋକ ଇଭିଏମ ଉପରେ ଭରସା ଦେଖାଇଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧି ନିୟମିତ ଭାବେ ଇଭିଏମରେ ହେରଫେର ହେଉଥିବା ଅଭିଯୋଗ କରୁଥିବା ବେଳେ ଏପରି ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ପରେ ବିଜେପି ନେତା ତଥା କର୍ଣ୍ଣାଟକା ବିଧାନସଭାର ବିରୋଧୀ ଦଳ ନେତା ଆର ଅଶୋକ ଏକ୍ସରେ କହିଛନ୍ତି ଯେ “ବର୍ଷ ବର୍ଷ ଧରି ରାହୁଲ ଗାନ୍ଧି ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇ ଗୋଟିଏ କାହାଣୀ କହୁଛନ୍ତି।
ଆଉ ସେହି କାହାଣୀ ହେଲା ଯେ ଭାରତର ଗଣତନ୍ତ୍ର ବିପଦରେ ରହିଛି, ଇଭିଏମ ବିଶ୍ୱାସଯୋଗ୍ୟ ନୁହେଁ, ଆମର ବିଭିନ୍ନ ସାମ୍ବିଧାନିକ ପ୍ରତିଷ୍ଠାନ ବିଶ୍ୱସନୀୟତା ହରାଇଛନ୍ତି। କିନ୍ତୁ କର୍ଣ୍ଣଟକା ଗୋଟିଏ ଭିନ୍ନ କାହାଣୀ କହିଛି।”
ବିଜେପିର କହିବା କଥା ଯେ ଲୋକମାନେ ନିର୍ବାଚନ ଉପରେ, ଇଭିଏମ ଉପରେ ଓ ଭାରତର ଗଣତନ୍ତ୍ର ଉପରେ ଭରସା ରଖିଥିବା ରାଜ୍ୟବ୍ୟାପୀ ସର୍ଭେରୁ ସ୍ପଷ୍ଟ ହୋଇଛି। ତେବେ ଏହା ଉପରେ ଜବାବ ରଖିଛନ୍ତି କର୍ଣ୍ଣଟକାର ମନ୍ତ୍ରୀ ପ୍ରିୟଙ୍କ ଖଡଗେ।
ଏହି ସର୍ଭେ କର୍ଣ୍ଣାଟକା ସରକାର କରି ନଥିଲେ। ଏହା ନିର୍ବାଚନ କମିଶନରଙ୍କ ସର୍ଭେ ଥିଲା। ଏହାକୁ କର୍ଣ୍ଣାଟକାର ନିର୍ବାଚନ ଅଧିକାରୀ କରିଥିଲେ। ସର୍ଭେ ରିପୋର୍ଟକୁ କେବଳ ଗୋଟିଏ ସରକାରୀ ଏଜେନ୍ସି ସାର୍ବଜନୀନ କରିଥିବା ସେ ସ୍ପଷ୍ଟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
