ବିଧାନସଭାରେ ଦାବି: ପ୍ରେମ ବିବାହ ପାଇଁ ବାପା ମା’ଙ୍କ ସହମତି ବାଧ୍ୟତାମୂଳକ ହେଉ

ପ୍ରେମ ବିବାହ କ୍ଷେତ୍ରରେ ବାପା ଓ ମା’ଙ୍କ ସହମତି ବାଧ୍ୟତାମୂଳକ କରିବାକୁ ସେମାନେ କହିଛନ୍ତି। ଏଥିସହ ଏପରି ବାହାଘର ପୁରୁଷ କିମ୍ବା ମହିଳା ରହୁଥିବା ତାଲୁକାରେ ପଞ୍ଜୀକରଣ କରିବାର ବ୍ୟବସ୍ଥା କରିବାକୁ ବିଧାୟକମାନେ ଦାବି କରିଛନ୍ତି।

Representational image

  • Published: Friday, 17 March 2023
  • , Updated: 17 March 2023, 03:32 PM IST

ପ୍ରେମ ବିବାହକୁ ନେଇ ପ୍ରଚଳିତ ଆଇନରେ ପରିବର୍ତ୍ତନ କରିବାକୁ ଗୁଜରାଟ ବିଧାନସଭାରେ ଉଭୟ କଂଗ୍ରେସ ଓ ଶାସକ ବିଜେପି ବିଧାୟକମାନେ ଦାବି ଉଠାଇଛନ୍ତି। ପ୍ରେମ ବିବାହ କ୍ଷେତ୍ରରେ ବାପା ଓ ମା’ଙ୍କ ସହମତି ବାଧ୍ୟତାମୂଳକ କରିବାକୁ ସେମାନେ କହିଛନ୍ତି। ଏଥିସହ ଏପରି ବାହାଘର ପୁରୁଷ କିମ୍ବା ମହିଳା ରହୁଥିବା ତାଲୁକାରେ ପଞ୍ଜୀକରଣ କରିବାର ବ୍ୟବସ୍ଥା କରିବାକୁ ବିଧାୟକମାନେ ଦାବି କରିଛନ୍ତି।

ବିଧାନସଭାରେ ଆଇନ ବିଭାଗର ଆଲୋଚନା ବେଳେ ବିଜେପି ବିଧାୟକ ଫତେସିଂହ ଚୌହାନ ଦାବି କରିଛନ୍ତି ଯେ ସରକାର ପ୍ରେମ ବିବାହକୁ ନେଇ ଗୋଟିଏ ଅଧ୍ୟାଦେଶ ଆଣନ୍ତୁ। ଏଥିରେ ପ୍ରେମ ବିବାହ ପାଇଁ ବାପାମା’ଙ୍କ ଦସ୍ତଖତ ବାଧ୍ୟତାମୂଳକ ବୋଲି ଉଲ୍ଲେଖ କରାଯାଉ। ସେ କହିଛନ୍ତି, “ବାହାଘର ବାପା ମା’ଙ୍କ ଅନୁମତିକ୍ରମେ ହୋଇଥାଏ। ବାପା ମା’ଙ୍କ ସହମତି ବିନା ଶେଷ ହେଉଥିବା ବାହାଘର ଆଦୌ ଗ୍ରହଣୀୟ ନୁହେଁ।

ଏପରି ବିବାହ ରାଜ୍ୟରେ ଅପରାଧ ହାର ବୃଦ୍ଧି କରୁଛି। ଯଦି ପ୍ରେମ ବିବାହ ବାପା ମା’ଙ୍କ ଅନୁମତିକ୍ରମେ ଶେଷ ହେବ, ତା’ହେଲେ ଅପରାଧ ହାର ୫୦% କମିଯିବ। ସେହିପରି କୋର୍ଟ ମ୍ୟାରେଜ ପୁରୁଷ କିମ୍ବା ମହିଳା ରହୁଥିବା ଜିଲ୍ଲାରେ କରାଯାଉନି। ଅନ୍ୟ ଜିଲ୍ଲାରେ ସେମାନେ କୋର୍ଟ ମ୍ୟାରେଜ କରୁଛନ୍ତି। ପୁରୁଷ ଓ ମହିଳା ସେମାନଙ୍କ ପରିଚୟ ଗୋପନ ରଖୁଛନ୍ତି ଓ ଅନ୍ୟ ଜିଲ୍ଲାରେ ବିବାହ କରି ନେଉଛନ୍ତି।

ଏହାପରେ ଝିଅ ନଚେତ ତାଙ୍କ ପରିବାର ଲୋକ ଅସୁବିଧାରେ ପଡ଼ି ଆତ୍ମହତ୍ୟା କରନ୍ତି। ବାପା ମା’ କାମରେ ବ୍ୟସ୍ତ ରହୁଥିବା ବେଳେ ସେମାନେ ନିଜ ଝିଅ କଥା ଠିକ ଭାବେ ବୁଝି ପାରୁନାହାନ୍ତି। ଏହାର ଫାଇଦା ଉଠାଇ ଅସାମାଜିକ ଯୁବକମାନେ ଝିଅମାନଙ୍କୁ ନିଜ ପ୍ରେମ ଜାଲରେ ଫସାଉଛନ୍ତି ଓ ପରବର୍ତ୍ତୀ ଅବସ୍ଥାରେ ଘରୁ ତାଙ୍କୁ ଧରି ଫେରାର ହୋଇଯାଉଛନ୍ତି। ତେଣୁ ସରକାର ପ୍ରଚଳିତ ଆଇନରେ ସଂଶୋଧନ କରନ୍ତୁ ଓ କୋର୍ଟ ବିବାହ ପାଇଁ ବାପା ମା’ଙ୍କ ସହମତି ବାଧ୍ୟତାମୂଳକ କରନ୍ତୁ।”

କଂଗ୍ରେସ ବିଧାୟକ ଜେନି ଠାକୋରେ ମଧ୍ୟ ସମାନ ଦାବି ଉଠାଇ କହିଛନ୍ତି, “ଆମେ ଏପରି ପରିବର୍ତ୍ତନ ପାଇଁ ଦୀର୍ଘଦିନରୁ ଦାବି କରି ଆସୁଛୁ। ପ୍ରେମ ବିବାହ ପାଇଁ ଆଇନ ଆସିବା ଉଚିତ। ମୁଁ ଆଇନରେ ପରିବର୍ତ୍ତନ ଦାବି କରୁଛି। ଅନ୍ୟ ଦଳର ବିଧାୟକମାନେ ମଧ୍ୟ ସମାନ କଥା ଚାହାନ୍ତି। ଆମେ ପ୍ରେମ ବିବାହକୁ ବିରୋଧ କରୁନୁ।

କିନ୍ତୁ କୌଣସି ଝିଅଙ୍କୁ ଯେମିତି କେହି ପ୍ରଲୋଭିତ ନ କରି ବିବାହ ନ କରୁ ଓ ପରବର୍ତ୍ତୀ ଅବସ୍ଥାରେ ସେ ନିର୍ଯାତନାର ଶିକାର ନହୁଅନ୍ତୁ ବୋଲି ନିଶ୍ଚିତ କରିବାକୁ ଚାହୁଁଛୁ। ପରମ୍ପରା ଅନୁଯାୟୀ ଝିଅ ଘରକୁ ପୁଅର ବାରଯାତ୍ରୀ ଆସନ୍ତୁ। ସବୁ କିଛି ନିୟମ ଓ ସହମତି ଭିତ୍ତିରେ ହେଉ। ତେଣୁ ଆମେ ଅଧ୍ୟାଦେଶ ଚାହୁଁଛୁ।”

ତାଙ୍କ ମତରେ ଅଧ୍ୟାଦେଶ ଦ୍ୱାରା ହଜାର ହଜାର ଝିଅଙ୍କ ଜୀବନ ରକ୍ଷା ପାଇପାରିବ ଓ ପୁଲିସ୍‌କୁ ଅନ୍ୟ ମାମଲାର ତଦନ୍ତ ପାଇଁ ସମୟ ମିଳିବ। ତେବେ ଗୃହରେ ଉପସ୍ଥିତ ଥିବା ଆଇନମନ୍ତ୍ରୀ ଋଷିକେଶ ପଟେଲ କେବଳ ନୀରବ ହୋଇ ଏହାକୁ ଶୁଣିଥିଲେ ଓ କୌଣସି ଉତ୍ତର ଦେଇ ନଥିଲେ।

Related story