/odisha-reporter/media/post_attachments/uploadimage/library/16_9/16_9_0/Mamata_1743677424.jpg)
Mamata
ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ବଡ଼ ଝଟକା ଲାଗିଛି। ଆଜି ସୁପ୍ରିମକୋର୍ଟ ରାଜ୍ୟର ୨୫ ହଜାର ଶିକ୍ଷକ ଓ ଅଣ ଶିକ୍ଷକଙ୍କ ନିଯୁକ୍ତକୁ ଖାରଜ କରିବା ପାଇଁ କ୍ୟାଲକାଟା ହାଇକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି। ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଅଧୀନରେ ଏତେ ସଂଖ୍ୟକ ଶିକ୍ଷକ ଓ ଅଣ ଶିକ୍ଷକ ନିଯୁକ୍ତି ପାଇଥିଲେ।
୨୦୧୬ରୁ ସେମାନେ ବିଭିନ୍ନ ସ୍ଥାନରେ କାମ କରୁଥିବା ବେଳେ ଏବେ ସେମାନଙ୍କୁ ବରଖାସ୍ତ କରାଯାଇଛି ଓ ଆଜି ଯାଏ ସେମାନେ ରାଜ୍ୟ ସରକାରଙ୍କ ଠାରୁ ଦରମା ଆକାରରେ ନେଇଥିବା ଟଙ୍କାକୁ ମଧ୍ୟ ଫେରସ୍ତ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ପୂରା ଚୟନପ୍ରକ୍ରିୟା ବେଆଇନ ଓ ଠକାମୀ ଉପରେ ପର୍ଯ୍ୟବେସିତ। ଏହାର ଉତ୍ତର ଦାୟିତ୍ୱ ଓ ବୈଧତା ଆଦୌ ଗ୍ରହଣୀୟ ନୁହେଁ।
ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ବେଙ୍ଗଲ ସରକାରଙ୍କୁ ଝଟକା ଦେଇ କହିଛନ୍ତି ଯେ କ୍ୟାଲକାଟା ହାଇକୋର୍ଟ ଦେଇଥିବା ରାୟରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ନିଯୁକ୍ତିରେ ଠକେଇ ହୋଇଛି ଓ ଏହା ବେଆଇନ। ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନୂଆ ଚୟନ ପ୍ରକ୍ରିୟା ୩ ମାସ ମଧ୍ୟରେ ଶେଷ କରିବାକୁ କହିଛନ୍ତି। ଯେଉଁମାନେ ଚୟନ ପ୍ରକ୍ରିୟାରେ ସଫଳ ହେବେ, ସେମାନଙ୍କୁ ପୂର୍ବ ନିଯୁକ୍ତି ପାଇଁ ୨୦୧୬ରୁ ମିଳିଥିବା ଦରମା ଟଙ୍କା ଫେରାଇବାକୁ ପଡ଼ିବ ନାହିଁ। କିନ୍ତୁ ଯେଉଁମାନେ ନୂଆ ଚୟନ ପ୍ରକ୍ରିୟାରେ ବିଫଳ ହେବେ, ସେମାନେ ସବୁ ଦରମା ଟଙ୍କା ଫେରାଇବେ। କୋର୍ଟ ଦିବ୍ୟାଙ୍ଗମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ସେମାନେ ପୂର୍ବଭଳି ନିଜ ପଦବୀରେ କାମ କରିପାରିବେ।
ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ବେଙ୍ଗଲ ସରକାର ନିଯୁକ୍ତି ସମୟରେ ଅତିରିକ୍ତ ପଦବୀ ସୃଷ୍ଟି କରିବାରୁ ବିବାଦ ଆହୁରି ଘନେଇ ଥିଲା। ୨୦୧୬ରେ ୨୩ ଲକ୍ଷରୁ ଅଧିକ ଆଶାୟୀ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ୨୪,୬୪୦ ପୋଷ୍ଟ ପାଇଁ ପରୀକ୍ଷା ହୋଇଥିଲା। କିନ୍ତୁ ରାଜ୍ୟ ସରକାର ପରବର୍ତ୍ତୀ ଅବସ୍ଥାରେ ୨୫,୭୫୩ଟି ନିଯୁକ୍ତି ପତ୍ର ବାଣ୍ଟି ଥିଲେ। ଏହି ଅତିରିକ୍ତ ପଦବୀ ସୃଷ୍ଟି କରି ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଥିଲା।
ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ବେକରେ କଣ୍ଟା ହୋଇ ଲାଗିଥିଲା। ଦୁର୍ନୀତିର ତଦନ୍ତ କରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତତ୍କାଳୀନ ବେଙ୍ଗଲର ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ମାନଙ୍କୁ ଜେଲରେ ଭର୍ତ୍ତି କରିଥିଲା। ଏବେ ସୁପ୍ରିମକୋର୍ଟ ଶିକ୍ଷକ ନିଯୁକ୍ତିରେ ଅନିୟମତତା ହୋଇଥିବା କହିବା ପରେ ବିରୋଧୀ ବିଜେପି ମମତାଙ୍କ ଇସ୍ତଫା ଦାବି କରିଛି। ହେଲେ ମମତା ବାନାର୍ଜୀ ସିଧାସଳଖ ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା କରିଛନ୍ତି। ଏଥିଯୋଗୁ ମମତା ଓ ନ୍ୟାୟପାଳିକା ଟକ୍କର ସିଧାସଳଖ ସୃଷ୍ଟି ହୋଇଛି।
ମମତା କହିଛନ୍ତି, “ଦେଶର ଜଣେ ନାଗରିକ ହିସାବରେ ମୋ ପାଖରେ ସବୁ ଅଧିକାର ରହିଛି। ମୁଁ ଏପରି ରାୟକୁ ଗ୍ରହଣ କରିପାରିବି ନାହିଁ। ଏକଥା ମୁଁ ବିଚାରପତିମାନଙ୍କୁ ସମ୍ମାନର ସହ କହିବାକୁ ଚାହୁଁଛି। ମୁଁ ମୋର ମତାମତ ମାନବିକତା ଦୃଷ୍ଟିକୋଣରୁ ରଖୁଛି। ଲୋକଙ୍କୁ ମୋ ବୟାନକୁ ନେଇ ବିଭ୍ରାନ୍ତ କିମ୍ବା ଦ୍ୱନ୍ଦ୍ୱରେ ପକାନ୍ତୁ ନାହିଁ। ସରକାର ରାୟକୁ ଗ୍ରହଣ କରିବେ। ସରକାରଙ୍କ ପକ୍ଷରୁ ସ୍କୁଲ ସର୍ଭିସ କମିଶନକୁ ନିଯୁକ୍ତି ପ୍ରକ୍ରିୟା ପୁଣି ଆରମ୍ଭ କରିବାକୁ କୁହାଯାଇଛି। କିନ୍ତୁ ବ୍ୟକ୍ତିଗତ ଭାବେ ମୁଁ ଏହି ରାୟକୁ ଗ୍ରହଣ କରିପାରିବି ନାହିଁ।”
କୋର୍ଟଙ୍କ ରାୟ ଯୋଗୁ ନିୟମିତ ପ୍ରକ୍ରିୟାରେ ନିଯୁକ୍ତି ପାଇଥିବା ଆଶାୟୀମାନେ ମଧ୍ୟ ପ୍ରଭାବିତ ହେବେ। ଏହି ପ୍ରସଙ୍ଗ ଉଠାଇ ମମତା କହିଛନ୍ତି, “କିଛି ଲୋକଙ୍କ ପାଇଁ କାହିଁକି ସମସ୍ତେ ଦଣ୍ଡ ପାଇବେ। ଏହା କେବଳ ୨୫ ହଜାର ଆଶାୟୀଙ୍କ କଥା ନୁହେଁ, ସେମାନଙ୍କ ପରିବାର ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ।” ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ଘରୁ ବିଡ଼ାବିଡ଼ା ଟଙ୍କା ମିଳିବା ପ୍ରସଙ୍ଗ ମଧ୍ୟ ମମତା ଉଠାଇଛନ୍ତି।
ସେ କହିଛନ୍ତି, “ଯଦି ଆପଣ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଘରୁ ଟଙ୍କା ଜବତ କରୁଛନ୍ତି, ତା’ହେଲେ ସେ କେବଳ ବଦଳି ହେଉଛନ୍ତି। ତେଣୁ କାହିଁକି ନିଯୁକ୍ତି ପାଇଥିବା ଲୋକଙ୍କୁ ବଦଳି କରାଯିବ ନାହିଁ? ଏହି ବରଖାସ୍ତ ନିର୍ଦ୍ଦେଶ ପ୍ରଥମେ ଦେଇଥିବା ବିଚାରପତି ଏବେ ବିଜେପି ସାଂସଦ। ଏପରି ରାୟ ପଛରେ ବିଜେପି ଓ ସିପିଏମର ଷଡ଼ଯନ୍ତ୍ର ରହିଛି। କୋର୍ଟ କହିଛନ୍ତି ନିଯୁକ୍ତି ବାତିଲ କରାଯାଉଛି। କିନ୍ତୁ ଚାକିରି ପାଇଥିବା ଲୋକଙ୍କୁ ଟଙ୍କା ଦେବାକୁ କହିବା ଠିକ ନୁହେଁ।
ସମସ୍ତେ ବେଆଇନ ବା ତ୍ରୁଟିପୂର୍ଣ୍ଣ ଭାବେ ନିଯୁକ୍ତି ପାଇ ନାହାନ୍ତି। ଆପଣ ଯେଉଁମାନଙ୍କୁ ଦୂଷିତ ବା ଠକ ବୋଲି କହୁଛନ୍ତି, ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। କ’ଣ ବିଜେପି ବେଙ୍ଗଲର ଶିକ୍ଷା ବ୍ୟବସ୍ଥାକୁ ଭୁଶୁଡ଼ାଇ ଦେବାକୁ ଚାହୁଁଛି? ବ୍ୟାପମରେ କ’ଣ ହୋଇଥିଲା? ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ?”
ରାୟରେ ପ୍ରଭାବିତ ହେବାକୁ ଥିବା ଆଶାୟୀଙ୍କୁ ମମତା ସମବେଦନା ଜଣାଇଛନ୍ତି। ସେମାନଙ୍କୁ ଆଶା ନ ହରାଇବାକୁ ସେ କହିଛନ୍ତି। ମମତା କହିଛନ୍ତି, “ମୁଁ ଜାଣିବାକୁ ପାଇଛି ଯେ କିଛି ଆଶାୟୀ ନିରାଶ ଓ ହତାଶ ହୋଇ ପଡ଼ିଛନ୍ତି। ଯଦି ସେମାନଙ୍କର କିଛି ହେବ, ତା’ହେଲେ ଏଥିପାଇଁ କିଏ ଦାୟୀ ରହିବେ? ଆମ ଓକିଲମାନେ ରାୟର ସମୀକ୍ଷା କରିବେ। ସମସ୍ତ ଶିକ୍ଷକ ଗୋଟିଏ ସଭା କରିବାକୁ ଯାଉଛନ୍ତି ଓ ମୁଁ ସେଠାରେ ଉପସ୍ଥିତ ରହିବି କି ନାହିଁ, ସେମାନେ ପଚାରିଥିଲେ। ଏପ୍ରିଲ ୭ରେ ମୁଁ ସେମାନଙ୍କ ସଭାରେ ଯୋଗ ଦେବି ଓ ସେମାନଙ୍କ କଥା ଶୁଣିବି। ମୁଁ ସେମାନଙ୍କୁ ଆଶା ନ ହରାଇବାକୁ କହିବି। ଆପଣମାନେ ସମସ୍ତେ ଆବେଦନ କରିପାରିବେ ଓ ଆମେ ଚେଷ୍ଟା କରିବୁ ସବୁ ପ୍ରକ୍ରିୟା ଯଥାଶୀଘ୍ର ଶେଷ ହେବ।”
ଅଭିଯୋଗ ହୋଇଥିଲା ଯେ ବେଙ୍ଗଲରେ ହୋଇଥିବା ଶିକ୍ଷକ ଓ ଅଣ ଶିକ୍ଷକ ନିଯୁକ୍ତିରେ ୫ରୁ ୧୫ ଲକ୍ଷ ଟଙ୍କା ଯାଏ ଲାଞ୍ଚ କାରବାର ହୋଇଥିଲା। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ରାଜ୍ୟ ଶିକ୍ଷା ବିଭାଗର ଅନେକ ଅଧିକାରୀ ଗିରଫ ହୋଇଥିଲେ। କ୍ୟାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଇଡି ଓ ସିବିଆଇ ଦୁର୍ନୀତି ଅଭିଯୋଗର ତଦନ୍ତ କରିଥିଲେ।
୨୦୧୪ରେ ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଏସ୍ଏସ୍ସି) ରାଜ୍ୟରେ ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଥିଲା। ନିଯୁକ୍ତି ପ୍ରକ୍ରିୟା ୨୦୧୬ରୁ ଆରମ୍ଭ ହୋଇଥିଲା। ସେହି ସମୟରେ ପାର୍ଥ ଚାଟାର୍ଜୀ ଶିକ୍ଷା ମନ୍ତ୍ରୀ ଥିଲେ।
କୋର୍ଟରେ ଆବେଦନକାରୀ ଅଭିଯୋଗ କରିଥିଲେ ଯେ ଯେଉଁ ପ୍ରାର୍ଥୀଙ୍କ ନମ୍ବର କମ୍ ଥିଲା, ସେମାନଙ୍କୁ ଯୋଗ୍ୟତା ତାଲିକାରେ ସ୍ଥାନ ମିଳିଛି। ମେରିଟ୍ ଲିଷ୍ଟରେ ନାଁ ନ ଥାଇ ବି କିଛି ଆଶାୟୀଙ୍କୁ ଲାଞ୍ଚ ବଳରେ ପ୍ରାର୍ଥୀଙ୍କୁ ଚାକିରି ଦିଆଯାଇଛି। ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି ପରୀକ୍ଷାରେ ପାସ କରିବା ବାଧ୍ୟତାମୂଳକ। କିନ୍ତୁ ଟିଇଟି ପରୀକ୍ଷାରେ ପାସ କରି ନଥିବା ଆଶାୟୀଙ୍କୁ ବି ସରକାର ନିଯୁକ୍ତିପତ୍ର ଦେଇଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ହାଇକୋର୍ଟ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
