ମମତା ବାନାର୍ଜୀ
ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ଓ ତାଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମେସିଙ୍କୁ ଦେଖିବା ପାଇଁ କୋଲକାତା ସଲ୍ଟ ଲେକ ଷ୍ଟାଡିୟମରେ ଉପସ୍ଥିତ ଲୋକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଥିପାଇଁ ମେସି ମାତ୍ର ୧୦ ମିନିଟ ମଧ୍ୟରେ ଷ୍ଟାଡିୟମ ଛାଡ଼ି ଦେଇଥିଲେ।
କୋଲକାତାରେ ଦେଖାଯାଇଥିବା ବିଶୃଙ୍ଖଳା ପାଇଁ ମମତା ଏବେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ମେସିଙ୍କ କାର୍ଯ୍ୟକ୍ରମ ପାଇଁ ହୋଇଥିବା ଅବ୍ୟବସ୍ଥାକୁ ଦେଖି ସେ ପୂରା ସ୍ତବ୍ଧ ଓ କାହିଁକି ବିଶୃଙ୍ଖଳା ହେଲା, ତା’ର ତଦନ୍ତ ଗୋଟିଏ କମିଟି କରିବ ବୋଲି ମମତା କହିଛନ୍ତି।
ମେସିଙ୍କୁ ଦେଖିବାକୁ ବଞ୍ଚିତ ହୋଇଥିବା ଫ୍ୟାନ୍ସମାନେ ଆଜି ସଲ୍ଟ ଲେକ ଷ୍ଟାଡିୟମରେ ପାଣି ବୋତଲ ଫିଙ୍ଗିବା ସହ ବ୍ୟାକପ ଭଙ୍ଗା ରୁଜା କରିଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯାଇଛି। ବିଶୃଙ୍ଖଳାର ଏକାଧିକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏସବୁ ଭିତରେ ମମତା ଏକ୍ସ ଯୋଗେ ମେସି ଓ ତାଙ୍କ ଫ୍ୟାନ୍ସଙ୍କୁ କ୍ଷମା ମାଗିଛନ୍ତି।
ସେ କହିଛନ୍ତି, “ଆଜି ସଲ୍ଟ ଲେକ ଷ୍ଟାଡିୟମରେ ଦେଖାଯାଇଥିବା ଅବ୍ୟବସ୍ଥାକୁ ଦେଖି ମୁଁ ବିଚଳିତ ଓ ସ୍ତବ୍ଧ। ମୁଁ ବେଶ ନମ୍ରର ସହ ଲିଓନେଲ ମେସି, ସମସ୍ତ କ୍ରୀଡ଼ା ପ୍ରେମୀ ଓ ତାଙ୍କ ଫ୍ୟାନ୍ସଙ୍କୁ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ କ୍ଷମା ମାଗୁଛି।”
ମେସି କୋଲକାତା ଷ୍ଟାଡିୟମକୁ ଆସିଥିବାରୁ ତାଙ୍କୁ ଦେଖିବା ପାଇଁ ଆଜି ସକାଳୁ ପ୍ରବଳ ଭିଡ଼ ହୋଇଥିଲା। କିନ୍ତୁ ଷ୍ଟାଡିମୟ ଭିତରରେ ହୋଇଥିବା ଅବ୍ୟବସ୍ଥା ପାଇଁ ଲୋକମାନେ ନିଜ ପ୍ରିୟ ଫୁଟବଲ ସୁପରଷ୍ଟାରଙ୍କୁ ଦେଖିବାକୁ ସକ୍ଷମ ହୋଇ ନଥିଲେ। ଏଥିଯୋଗୁ ସେମାନେ ସୁରକ୍ଷା ପ୍ରୋଟକଲ ଭାଙ୍ଗିବା ସହ ଷ୍ଟାଡିୟମରେ ବ୍ୟାପକ ଭଙ୍ଗାରୁଜା କରିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଷ୍ଟାଡିୟମ ଅଭିମୁଖେ ଯାଉଥିବା ବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଏଥିପାଇଁ ମମତା ଆଉ ଷ୍ଟାଡିମୟକୁ ଯାଇ ନଥିବା ଜଣାପଡ଼ିଛି। ଘଟଣା ପାଇଁ ବିରୋଧୀ ବିଜେପି କ୍ଷମତା ଟିଏମସିକୁ ଦାୟୀ କରିଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ମମତା କ୍ଷମା ମାଗିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ପୂରା ଘଟଣାର ତଦନ୍ତ ଏବେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କରିବ। କମିଟିରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ରହିବେ। ସେମାନେ ତଦନ୍ତ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ମମତା କହିଛନ୍ତି।
ସେ କହିଛନ୍ତି, “ଜଷ୍ଟିସ(ଅବସରପ୍ରାପ୍ତ) ଅଶିମ କୁମାର ରୟଙ୍କ ଅଧ୍ୟକ୍ଷତାରେ ମୁଁ ଗୋଟିଏ ତଦନ୍ତ କମିଟି ଗଠନ କରୁଛି। ଏଥିରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ସଚିବ, ଗୃହ ଓ ହିଲ ବ୍ୟାପର ବିଭାଗର ସଦସ୍ୟମାନେ ରହିବେ। ଏହି କମିଟି ଘଟଣାର ବିସ୍ତୃତ ତଦନ୍ତ କରିବ। ଭବିଷ୍ୟତରେ ଯେମିତି ଏପରି ଘଟଣାର ପୁନରାବୃତ୍ତି ନ ହେବ, ସେନେଇ ପରାମର୍ଶ ଏହି କମିଟି ଦେବ।”
ଅନ୍ୟପକ୍ଷରେ ଷ୍ଟାଡିୟମରେ ହଙ୍ଗାମା ଯୋଗୁ ମେସି(Lionel Messi)ଙ୍କ ଗସ୍ତ ସୂଚୀ ସମୟକୁ କାଟଛାଣ୍ଟ କରାଯାଇଥିଲା। ବିଶ୍ୱକପ ବିଜେତା ମାତ୍ର ୧୦ ମିନିଟ ଷ୍ଟାଡିୟମ ଭିତରେ ରହିବା ପରେ ଅନ୍ୟ ଭିଭିଆଇପିଙ୍କ ସହ ସେଠାରୁ ଚାଲି ଯିବାକୁ ବାଧ୍ୟ ହୋଇଥିଲେ। ମେସିଙ୍କ ଏହି ସ୍ୱଳ୍ପ ରହଣୀଙ୍କୁ ସକାଳୁ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ବେଶ ବାଧିଛି। ଅନେକ ଲୋକ ସକାଳୁ ମେସିଙ୍କ ଟିକିଏ ଝଲକ ପାଇଁ ଅପେକ୍ଷା କରିଥିଲେ ହେଁ ଶେଷରେ ନିରାଶ ହୋଇ ଘରକୁ ଫେରିଛନ୍ତି।
ଅନେକ କହିଛନ୍ତି ଯେ ସେମାନେ ମାସାଧିକ କାଳ ଏହି କାର୍ଯ୍ୟକ୍ରମକୁ ଅପେକ୍ଷା କରି ରହିଥିଲେ। କିନ୍ତୁ ଏବେ ସେମାନଙ୍କୁ କେବଳ ବିଶୃଙ୍ଖଳାକୁ ସାମ୍ନା କରିବାକୁ ପଡ଼ିଛି। ଜଣେ ଫ୍ୟାନ କହିଛନ୍ତି, “କେବଳ ନେତା ଓ ଅଭିନେତାମାନେ ମେସିଙ୍କୁ ଘେରି ରହିଥିଲେ। ଯଦି ଏମିତି ହେବାର ଥିଲା, ତା’ହେଲେ ସେମାନେ ଆମକୁ କାହିଁକି ଡାକୁଥିଲେ? ଆମେ ୧୨ ହଜାର ଟଙ୍କା ଦେଇ ଗୋଟିଏ ଟିକେଟି କିଣିଥିଲୁ। କିନ୍ତୁ ମେସିଙ୍କ ମୁହଁ ଦେଖିବାକୁ ମଧ୍ୟ ସକ୍ଷମ ହୋଇନାହୁଁ।” ଅନେକ ଲୋକ ସମାନ ଅଭିଯୋଗ କରିଛନ୍ତି। ସାମ୍ନାକୁ ମଧ୍ୟ ଭଙ୍ଗାରୁଜା କରିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।
ଆଜି ସକାଳୁ ବିଭିନ୍ନ ପୋଷ୍ଟର ଓ କାର୍ଯ୍ୟକ୍ରମ ଦ୍ୱାରା ମେସିଙ୍କୁ ସ୍ୱାଗତ କରିଥିଲା କୋଲକାତା। କିନ୍ତୁ ମଧ୍ୟାହ୍ନ ବେଳକୁ ଏହି କାର୍ଯ୍ୟକ୍ରମ ବିଶୃଙ୍ଖଳାର ରୂପ ନେଇଛି। ମେସି ଆଜି ଠାରୁ ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେ ମଧ୍ୟରାତ୍ରରେ ଏୟାରପୋର୍ଟରେ ପହଞ୍ଚିବା ପରଠାରୁ ଫ୍ୟାନ୍ସଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ସେ କୋଲକାତା ଆସିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ହାଇଦ୍ରାବାଦ, ମୁମ୍ବାଇ ଓ ଦିଲ୍ଲୀରେ ଯାଇ ଫ୍ୟାନ୍ସଙ୍କୁ ଭେଟିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/13/mamata-2025-12-13-14-08-41.jpg)