/odisha-reporter/media/media_files/2026/02/04/mamata-2026-02-04-15-53-32.jpg)
ସୁପ୍ରିମକୋର୍ଟରେ ମମତା
ଦେଶରେ ସମ୍ଭବତଃ ପୂର୍ବରୁ ଯାହା ଘଟି ନଥିଲା, ଆଜି ସେଭଳି କିଛି ଘଟଣା ଘଟିଛି। ଗୋଟିଏ ଐତିହାସିକ ଦୃଶ୍ୟ ଦେଖିଛି ପୂରା ଦେଶ। ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦେଶର ସବୁ ଠାରୁ ବଡ଼ ଅଦାଲତରେ ଦେଶର ପ୍ରଧାନ ବିଚାରପତିଙ୍କ ଆଗରେ ଦେଶର ନିର୍ବାଚନ କମିଶନଙ୍କ ବିରୋଧରେ ଯୁକ୍ତି ରଖିଛନ୍ତି। ସେ ପ୍ରଧାନ ବିଚାରପତିଙ୍କ ଆଗରେ ହାତ ଯୋଡ଼ି ନ୍ୟାୟ ଭିକ୍ଷା କରିଛନ୍ତି।
ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସ୍ଆଇଆର ପ୍ରସଙ୍ଗରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(Mamata Banerjee) ନିଜେ ସୁପ୍ରିମକୋର୍ଟରେ ହାଜର ହୋଇ ଯୁକ୍ତି ଉପସ୍ଥାପନ କରିଛନ୍ତି। ଶହଶହ ଓକିଲ ଓ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଗରେ ସେ ନିର୍ବାଚନ କମିଶନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି।
ମମତା ବାନାର୍ଜୀ ସୁପ୍ରିମକୋର୍ଟଙ୍କ କହିଛନ୍ତି ଯେ ଏସ୍ଆଇଆର ଯୋଗୁ ପଶ୍ଚିମବଙ୍ଗରେ ଗୋଟିଏ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମର ଚାପରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି। ଏମାନଙ୍କ ମଧ୍ୟରେ ବୁଥ ସ୍ତରୀୟ ଅଧିକାରୀ ମଧ୍ୟ ରହିଛନ୍ତି। ଟାର୍ଗେଟ ପୂରଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଦେଉଥିବା ଚାପର ବଶବର୍ତ୍ତୀ ହୋଇ ଅନେକ ବିଏଲଓ ଜୀବନ ହାରିବାକୁ ବାଧ୍ୟ ହୋଇଥିବା ମମତା ଦାବି କରିଛନ୍ତି।
ନିର୍ବାଚନ କମିଶନଙ୍କ ସହ ଆଇନଗତ ଯୁଦ୍ଧ କରିବା ୩ ଦିନ ହେଲା ଦିଲ୍ଲୀରେ ରହିଥିବା ମମତା ଆଜି ନିଜର ଯୁକ୍ତିକୁ ନିଜେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମଳୟ ବାଗଚି ଓ ଜଷ୍ଟିସ ବିପୁଲ ପଞ୍ଚୋଲିଙ୍କ ସାମ୍ନାରେ ଉପସ୍ଥାପନ କରିଛନ୍ତି। ବେଙ୍ଗଲର ଏସ୍ଆଇଆର ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନର ଶୁଣାଣି ଏହି ଖଣ୍ଡପୀଠ କରୁଛନ୍ତି।
ଖଣ୍ଡପୀଠଙ୍କୁ ହାତ ଯୋଡ଼ି ମମତା କହିଛନ୍ତି, “କାହିଁକି କେବଳ ବେଙ୍ଗଲ? ଆସାମ କିମ୍ବା ଅନ୍ୟ ଉତ୍ତରପୂର୍ବ ରାଜ୍ୟରେ ଏହା ହେଉ ନାହିଁ? ନିର୍ବାଚନ କମିଶନ କେବଳ ବେଙ୍ଗଲକୁ ଟାର୍ଗେଟ କରୁଛନ୍ତି। ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷିତ କରିବାକୁ କୋର୍ଟ ହସ୍ତକ୍ଷେପ କରନ୍ତୁ। ନିର୍ବାଚନ ପୂର୍ବରୁ ବେଆଇନ ଭାବେ ବେଙ୍ଗଲକୁ ଟାର୍ଗେଟ କରାଯାଉଛି।”
ନିଜର ଯୁକ୍ତି ଉପସ୍ଥାପନ ବେଳେ ମମତା ଆହୁରି କହିଛନ୍ତି ଯେ ଏସ୍ଆଇଆରର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୮ ଲକ୍ଷ ନାଁକୁ ହଟା ଯାଇଥିଲା। ଫର୍ମ ୬ରେ ଅନେକ ଭୋଟରଙ୍କୁ ଆବେଦନ ପାଇଁ ଅନୁମତି ନ ଦେଇ ଏପରି କରାଯାଇଛି। ନାଁ ହଟାଇବା ପ୍ରକ୍ରିୟାକୁ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା କରାଯାଇଛି। ଏମାନେ ସମସ୍ତେ ବଜେପି ଶାସିତ ରାଜ୍ୟର। ସ୍ଥାନୀୟ ନିର୍ବାଚନ କର୍ମଚାରୀଙ୍କୁ ଅଣଦେଖା କରାଯାଇଛି। ଯାଞ୍ଚ ବେଳେ ଅନେକ ବୈଧକ ଦସ୍ତାବିଜ ଓ ସରକାରଙ୍କ ଦ୍ୱାରା ଜାରି ପ୍ରମାଣପତ୍ରକୁ ମଧ୍ୟ ଗ୍ରହଣ କରାଯାଇ ନଥିବା ମମତା ଅଭିଯୋଗ କରିଛନ୍ତି।
କାର୍ଯ୍ୟକ୍ରମରେ ତ୍ରୁଟି ଥିବା ଦର୍ଶାଇ ମମତା କହିଛନ୍ତି ଯେ ଏସ୍ଆଇଆର ସମ୍ଭବତଃ କେବଳ ନାଁ ହଟାଇବାକୁ ଡିଜାଇନ କରାଯାଇଛି। ଛୋଟ ଧରଣର ପରିବର୍ତ୍ତନ ଯଥା- ଜଣେ ମହିଳା ନିଜ ସ୍ୱାମୀଙ୍କ ସାଙ୍ଗିଆ ଗ୍ରହଣ କଲେ କିମ୍ବା ନିଜ ଶାଶୂ ଘରକୁ ଗଲେ ଏହାକୁ ମେଳ ଖାଉ ନଥିବା ଭୋଟର ଭାବେ ଚିହ୍ନଟ କରାଯାଉଛି। ସେହିପରି କାମ ପାଇଁ ଅନ୍ୟତ୍ର ଯାଉଥିବା ଭୋଟରଙ୍କୁ ମଧ୍ୟ ଭୋଟର ତାଲିକାରୁ ହଟାଇ ଦିଆଯାଉଛି ବୋଲି ମମତା କହିଛନ୍ତି।
ଏସ୍ଆଇଆରକୁ ସମାଲୋଚନା କରି ମମତା କହିଛନ୍ତି, “୨୪ ବର୍ଷ ପରେ ହଠାତ୍ ୪ ମାସରେ ଏହାକୁ ଶେଷ କରିବାକୁ ଏତେ ବ୍ୟସ୍ତ କାହିଁକି? ଅମଳ ଓ ପୂଜା ଋତୁରେ ଲୋକମାନେ ନିଜ ଘର ଠାରୁ ବାହାରେ ଥିବା ବେଳେ ସେମାନଙ୍କୁ ନୋଟିସ ପଠାଯାଇଥିଲା। ସବୁ କିଛି ଶେଷ ହୋଇଯିବା ପରେ ଓକିଲମାନେ ସବୁବେଳେ ମାମଲା ପାଇଁ ଲଢ଼େଇ କରନ୍ତି।
ବନ୍ଦ ଦ୍ୱାରରେ ନ୍ୟାୟ ଆଜି କାନ୍ଦୁଛି। ମୁଁ ଭାରତୀୟ ନିର୍ବାଚନ କମିଶନଙ୍କୁ ୬ଥର ଚିଠି ଲେଖିଛି। କିନ୍ତୁ କୌଣସି ଜବାବ ମିଳିନାହିଁ। ମୁଁ ଜଣେ ଗୁରୁତ୍ୱହୀନ ମଣିଷ, ଜଣେ ଶ୍ରମିକ। ମୁଁ ଏଠାରେ ମୋ ଦଳ ପାଇଁ ଲଢ଼େଇ କରୁ ନାହିଁ। ମୁଁ ଜଣେ ସାଧାରଣ ଲୋକ ହିସାବରେ ନ୍ୟାୟ ଭିକ୍ଷା କରୁଛି।”
ନିଜ ଯୁକ୍ତିର ଶେଷ ଭାଗରେ ସେ ନିର୍ବାଚନ କମିଶନଙ୍କୁ ସିଧା ସମାଲୋଚନା କରିଛନ୍ତି। ନିର୍ବାଚନ କମିଶନଙ୍କୁ ମମତା ବାନାର୍ଜୀ ହ୍ୱାଟସଆପ କମିଶନ କହିଛନ୍ତି। ସେ କହିଛନ୍ତି, “ନିର୍ବାଚନ କମିଶନ ସରି ହ୍ୱାଟସଆପ କମିଶନ ଏସବୁ କରୁଛନ୍ତି। ଲୋକଙ୍କ ନାଁ ହଟାଇ ଦିଆଯାଉଛି। ବେଙ୍ଗଲକୁ ଟାର୍ଗେଟ କରାଯାଉଛି।”
ମମତାଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଜବାବ ଦଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫେବୃଆରୀ ୧୦ ସୁଦ୍ଧା ଜବାବ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହାପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
