Advertisment

SIR Protest: ଏସଆଇଆର ବିରୋଧରେ ମମତାଙ୍କ ରାଲି, ବିଜେପି ମାରିଲା ଏମିତି ରଙ୍ଗ

ବେଙ୍ଗଲର କ୍ଷମତାସୀନ ଟିଏମସିର କହିବା କଥା ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବେଶ ଚତୁରତାର ସହ ନିର୍ବାଚନ କମିଶନଙ୍କ ଦ୍ୱାରା ଭୋଟରଙ୍କ ସ୍ୱରକୁ ଚାପି ଦେବା ଓ ଅଦୃଶ୍ୟ ରିଗିଂ ପାଇଁ ଏପରି ସର୍ଭେ କରୁଛନ୍ତି।

author-image
Hemant Lenka
Mamata

ମମତାଙ୍କ ରାଲି


ବିହାର ପରେ ବିଭିନ୍ନ ରାଜ୍ୟରେ ଭୋଟର ସଂଶୋଧନ ସର୍ଭେ ବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସ୍‌ଆଇଆର) ଆରମ୍ଭ ହୋଇଛି। ଏସ୍‌ଆଇଆର ହେଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗ ବି ରହିଛି। କିନ୍ତୁ ଏସ୍‌ଆଇଆର ବିରୋଧରେ କୋଲକାତାରେ ବିଶାଳ ରାଲି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Advertisment

ବେଙ୍ଗଲର କ୍ଷମତାସୀନ ଟିଏମସିର କହିବା କଥା ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବେଶ ଚତୁରତାର ସହ ନିର୍ବାଚନ କମିଶନଙ୍କ ଦ୍ୱାରା ଭୋଟରଙ୍କ ସ୍ୱରକୁ ଚାପି ଦେବା ଓ ଅଦୃଶ୍ୟ ରିଗିଂ ପାଇଁ ଏପରି ସର୍ଭେ କରୁଛନ୍ତି। ଏଥିପାଇଁ ଆଜି ମମତା(Mamata Banarjee) ଓ ତାଙ୍କ ପୁତୁରା ତଥା ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ ହଜାର ହଜାର ଟିଏମସି ସମର୍ଥକ କୋଲକାତା ରାଜରାସ୍ତାରେ ପଦଯାତ୍ରା କରିଛନ୍ତି। 

ଏସଆଇଆର(sir) ବିରୋଧରେ ଟିଏମସିର ପଦଯାତ୍ରା ରେଡ ରୋଡରେ ଥିବା ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରୁ ଆରମ୍ଭ ହୋଇଥିଲା। ଏହା ୩.୮ କିମି ଦୂରରେ ଥିବା ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର ଯାଏ ଚାଲିଥିଲା। ପଦଯାତ୍ରା ବେଳେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଟିଏମସି କର୍ମୀ ଓ ନେତାମାନେ ଦଳୀୟ ପତାକା ସହ ଏସଆଇଆର ବିରୋଧରେ ଲେଖାଥିବା ପ୍ଲାକାର୍ଡ ଧରିଥିଲେ। 

Advertisment

ବିଶାଳ ପଦଯାତ୍ରର ସବୁଠାରୁ ଆଗରେ ରହିଥିଲେ ମମତା। ସେ ଆଗେଆଗେ ଚାଲୁଥିବା ବେଳେ ତାଙ୍କୁ ଅନ୍ୟମାନେ ଅନୁକରଣ କରି ଚାଲିଥିଲେ। ଏହି ସମୟରେ ବିଭିନ୍ନ କୋଠା ଓ ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କୁ ମଧ୍ୟ ମମତା ହାତ ହଲାଇଥିଲେ। 

ନିଜର ସମର୍ଥକଙ୍କୁ ସମ୍ବୋଧନ କରି ଅଭିଷେକ ବାନାର୍ଜୀ ବିଜେପି ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, “ବିଜେପି ଥରେ ସବୁ କିଛି ଭାବିବା ଦରକାର। ଯଦି ଆମେ ଦୁଇ ଦିନ ଭିତରେ ଏତେ ବଡ଼ ଶୋଭାଯାତ୍ରା ଆୟୋଜନ କରିପାରିଲୁ, ତା’ହେଲେ ଆମେ ଦିଲ୍ଲୀରେ ଯେତେବେଳେ ବିକ୍ଷୋଭ କରିବୁ ସେତେବେଳେ କେତେ ଭିଡ଼ ହେବ, ସେକଥା ଚିନ୍ତା କରୁ। ଆମେ ଦିଲ୍ଲୀର ଜମିଦାରଙ୍କ ଆଗରେ କେବେ ବି ମୁଣ୍ଡ ନୁଆଁବୁ ନାହିଁ।”

ସେ ଅଭିଯୋଗ କରିଛନ୍ତି ଯେ ଏସଆଇଆର ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଭୟ ଅନେକ ଜୀବନ ନେଇ ସାରିଲାଣି। ଅଭିଷେକ କହିଛନ୍ତି, “ଗତ ୭ ଦିନରେ ଏସ୍‌ଆଇଆର ଭୟରେ ଯେଉଁ ସବୁ ଲୋକ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାର ସଦସ୍ୟ ଆଜି ଆମ ସହ ରାଲିରେ ଉପସ୍ଥିତ ରହିଛନ୍ତି। ପ୍ରାଣ ହରାଇ ଥିବା ସମସ୍ତ ୭ ଜଣ ସେମାନଙ୍କ ଭୋଟ ଅଧିକାର ଛଡ଼ାଇ ନିଆଯିବା ବୋଲି ଆଶଙ୍କା କରୁଥିଲେ।”

ବିଜେପିକୁ ଚେତାବନୀ ଦେଇ ଅଭିଷେକ କହିଛନ୍ତି, “ଯଦି ଗୋଟିଏ ହେଲେ ବି ବୈଧ ଭୋଟର ସେମାନଙ୍କ ନାଁ ହରାଇବେ, ତା’ହେଲେ ଟିଏମସି ବେଙ୍ଗଲ ଲୋକଙ୍କ ଶକ୍ତି କ’ଣ, ସେକଥା ଦିଲ୍ଲୀରେ ଦେଖାଇବ।

ସିଏଏ କ୍ୟାମ୍ପ ଲଗାଇ କେନ୍ଦ୍ର ସରକାର ଡ୍ରାମା କରୁଛନ୍ତି। ଯଦି ଆପଣମାନେ ସେମାନଙ୍କ ଟ୍ରାପରେ ପଡ଼ିବେ, ତା’ହେଲେ ସବୁ କିଛି ହରାଇବେ। ଯେମତି ଏନଆରସି ଯୋଗୁ ଆସାମରେ ୧୨ ଲକ୍ଷ ହିନ୍ଦୁ ବେଙ୍ଗଲୀ ନିଜର ଭୋଟ ଦେବା ଅଧିକାର ହରାଇଥିଲେ। ତେଣୁ ଦିଲ୍ଲୀରେ ବଡ଼ ବିକ୍ଷୋଭ ପାଇଁ ସମସ୍ତେ ପ୍ରସ୍ତୁତ ରୁହନ୍ତୁ।” 

ତେବେ ମମତା ଓ ଟିଏମସି(TMC)ର ଏପରି ଏସ୍‌ଆଇଆର ବିରୋଧୀ ରଣହୁଙ୍କାରରେ ସାଂପ୍ରଦାୟିକ ରଙ୍ଗ ମାରିଛି ବିଜେପି(Bjp)। ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହାକୁ ଜମାତର ଶୋଭାଯାତ୍ରା ବୋଲି କହିଛନ୍ତି। ଏହା ଭାରତୀୟ ସମ୍ବିଧାନର ବିରୋଧାଚରଣ ବୋଲି ଶ୍ରୀ ଅଧିକାରୀ କହିଛନ୍ତି।

ସମାନ କଥା ଦୋହରାଇଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ। ସେ କହିଛନ୍ତି, “ଯଦି ମମତାଜୀଙ୍କୁ କିଛି କହିବାର ଅଛି, ତା’ହେଲେ ସେ ସୁପ୍ରିମକୋର୍ଟ ଯାଆନ୍ତୁ। ପଶ୍ଚିମବଙ୍ଗରେ ଏବେ ସଂପୂର୍ଣ୍ଣ ଭାବେ ଅରାଜକତା ଚାଲିଛି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି।

ରାଜ୍ୟର ଭୌଗଳିକ ସ୍ଥିତିରେ ପରିବର୍ତ୍ତନ ହୋଇଛି। ମମତା ବାନାର୍ଜୀ ରାଜ୍ୟକୁ ରୋହିଙ୍ଗ୍ୟାମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। କ’ଣ ଭୋଟର ତାଲିକାରେ ରୋହିଙ୍ଗ୍ୟା ସାମିଲ ହୁଅନ୍ତୁ ବୋଲି ଗଣତନ୍ତ୍ର ଚାହେଁ?” ଟିଏମସିର ଏହି ବିଶାଳ ଶୋଭାଯାତ୍ରାକୁ ବିଜେପି ଆଇଟି ସେଲ ମୁଖିଆ ଅମିତ ମାଲବ୍ୟ ଅନୁପ୍ରବେଶ ବଞ୍ଚାଅ ଯାତ୍ରା ବୋଲି କହିଛନ୍ତି। 

Bjp TMC Mamata Banarjee sir