Advertisment

ନୀତି ଆୟୋଗ ବୈଠକ ମଝିରୁ ଉଠି ଚାଲିଗଲେ ମମତା, ଆଣିଲେ ପକ୍ଷପାତ ଅଭିଯୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ମଝିରୁ ଉଠି ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

author-image
Niharika Rout
ଅଦ୍ୟତନ ହୋଇଛି
mamata-banerjee

mamata-banerjee

ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଦେଖିବାକୁ ମିଳିଛି ହାଇଡ୍ରାମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ମଝିରୁ ଉଠି ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିଜ ଦାବି ରଖୁଥିବା ବେଳେ ମାଇକ୍‌କୁ ବନ୍ଦ କରି ଦିଆଯାଇଥିବା ଅଭିଯୋଗ ଆଣି ସେ ବୈଠକ ତ୍ୟାଗ କରିଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

Advertisment

ନୀତି ଆୟୋଗ ବୈଠକକୁ ବହୁ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବର୍ଜନ କରିଥିବା ବେଳେ ନିଜ ରାଜ୍ୟର ସ୍ୱାର୍ଥ ପାଇଁ ଏହି ବୈଠକରେ ମମତା ବାନାର୍ଜୀ ଯୋଗ ଦେଇଥିଲେ। ତେବେ ବୈଠକରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନ ଥିବା ଅଭିଯୋଗ କରି ବର୍ଷିଛନ୍ତି ମମତା।

କେନ୍ଦ୍ର ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣି ସେ କହିଛନ୍ତି, ବୈଠକରେ ମୁଁ ମୋ’ ନିଜ ରାଜ୍ୟର ସମସ୍ୟା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରିବାକୁ ଚାହୁଁଥିଲି। ମାତ୍ର ବୈଠକରେ ମୋତେ କେବଳ ୫ ମିନିଟ୍‌ କହିବାକୁ ଅନୁମତି ମିଳିଲା। 

Advertisment

କିନ୍ତୁ ଏହି ବୈଠକରେ ମୋ’ ପୂର୍ବରୁ ବହୁ ନେତା ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ନିଜ ଭାଷଣ ଦେଇଛନ୍ତି। ବୈଠକରେ ଆନ୍ଧ୍ର ପ୍ରଦେଶ, ଆସାମ, ଗୋଆ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ କହିବାକୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ମୋତେ ଜାଣିଶୁଣି ଏପରି ଅପମାନିତ କରାଯାଇଛି।

ଏଥିସହ ସେ କହିଛନ୍ତି, ବୈଠକରେ ପଶ୍ଚିମବଙ୍ଗକୁ କେନ୍ଦ୍ର ଅନୁଦାନ ମିଳୁ ନ ଥିବା ପ୍ରସଙ୍ଗ ଉଠାଇଥିଲି। ଫଳରେ ମୋ’ ମାଇକ୍‌କୁ ବନ୍ଦ କରି ଦିଆଗଲା। ମୁଁ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମୋ’ ପ୍ରତି ଭେଦଭାବ କରାଯିବା ସହ ମୋ ନିଜ ପକ୍ଷ ରଖିବାକୁ ଦିଆଯାଉ ନ ଥିବା କହିଥିଲି। କିନ୍ତୁ କେହି ଶୁଣି ନ ଥିଲେ। ତେଣୁ ମୁଁ ତୁରନ୍ତ ବୈଠକ ସ୍ଥଳ ତ୍ୟାଗ କରିଥିଲି।

ମୁଁ ବିପକ୍ଷ ଦଳର ହୋଇଥିବାରୁ ବୈଠକରେ ମୋତେ କହିବାକୁ ଅନୁମତି ମିଳିଲା ନାହିଁ। ଏହା କେବଳ ମୋ’ ପାଇଁ ନୁହେଁ, ସମସ୍ତ ଆଞ୍ଚଳିକ ରାଜନୈତିକ ଦଳ ପ୍ରତି ଅପମାନ । କାରଣ ବହୁ ଅଣବିଜେପି ମୁଖ୍ୟମନ୍ତ୍ରୀ ବୈଠକକୁ ବର୍ଜନ କରିଥିବା ବେଳେ ମୁଁ ଏଥିରେ ସାମିଲ ହୋଇଥିଲି। ଏଥିରେ କେନ୍ଦ୍ର ସରକାର ଖୁସି ହେବା ପରିବର୍ତ୍ତେ ନିଜ ପାର୍ଟି, ନିଜ ସରକାର ଓ ନିଜ ନେତାଙ୍କୁ ଅଧିକ ଗୁରୁତ୍ୱ ଦେଇ ମୋତେ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିଥିବା କହିଛନ୍ତି ମମତା।

ବୈଠକରେ ଯୋଗ ଦେବା ପୂର୍ବରୁ ମମତା ବାନାର୍ଜୀ କହିଥିଲେ,  ନିଜ ରାଜ୍ୟର ସମସ୍ୟା ଓ ଆବଶ୍ୟକତା ଉତ୍‌ଥାପନ କରିବାକୁ ନୀତି ଆୟୋଗ ବୈଠକକୁ ନିଶ୍ଚିତ ଯିବି। କିନ୍ତୁ ଏହାକୁ ଭାଙ୍ଗି ଦେବା ଉଚିତ, କାରଣ ଏହା ପାଖରେ କୌଣସି ଆର୍ଥକ କ୍ଷମତା ହିଁ। ମାତ୍ର ବୈଠକରେ ତାଙ୍କ କଥାକୁ ଗୁରୁତ୍ୱ ଦିଆ ନ ଗଲେ ସେ ମଝିରୁ ଉଠି ଚାଲିଯିବେ ବୋଲି ସେ ପୂର୍ବରୁ କହିଥିଲେ।

ନୀତି ଆୟୋଗ ବୈଠକରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିବା ବେଳେ ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ବର୍ଜନ କରିଛନ୍ତି । ମୁଖ୍ୟତଃ କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, କେରଳ ଓ ପଞ୍ଜାବ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକକୁ ବର୍ଜନ କରିଛନ୍ତି । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେଇଥିବା ବେଳେ ସଭା ମଝିରୁ ଚାଲି ଯାଇଛନ୍ତି।

Mamata Banerjee Delhi Niti Aayog Meeting