ମମତା ବାନାର୍ଜୀ
ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଶ୍ଚିମବଙ୍ଗରେ ଆଜି ଶେଷ ହୋଇଛି ଭୋଟର ତାଲିକା ସଂଶୋଧ ସର୍ଭେ ବା ଏସ୍ଆଇଆର। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ବଡ଼ ବୟାନ ଦେଇଛନ୍ତି ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରୁ ଯଦି ନାଁ କଟୁଛି, ତା’ହେଲେ ମହିଳାମାନେ ରୋଷେଇ ଘରେ ବ୍ୟବହୃତ ହେଉଥିବା ଜିନିଷ ଧରି ପ୍ରସ୍ତୁତ ରହିଥାଆନ୍ତୁ ବୋଲି ମମତା(Mamata Banerjee) ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।
ବେଙ୍ଗଲର କ୍ରିଷ୍ଣନଗରରେ ଆୟୋଜିତ ରାଲିରେ ମମତା କହିଛନ୍ତି ଯେ “କ’ଣ ଏସ୍ଆଇଆର ନାଁରେ ଆପଣ ମା’ ଓ ଉଭଣୀମାନଙ୍କ ଅଧିକାରୀ ଛଡ଼ାଇ ନେବେ? ସେମାନେ ନିର୍ବାଚନ ବେଳେ ଦିଲ୍ଲୀରୁ ପୁଲିସ ଆଣି ପାରନ୍ତି ଓ ମା’-ଭଉଣୀଙ୍କୁ ଡରାଇ ପାରନ୍ତି। ମା’ ଓ ଭଉଣୀମାନେ ଶୁଣନ୍ତୁ, ଯଦି ଆପଣମାନଙ୍କ ନାଁ ହଟି ଯାଉଛି, ତା’ହେଲେ ଆପଣଙ୍କ ପାଖରେ ଜିନିଷ ଅଛି। ଠିକ କହିଛି ତ?
ରୋଷେଇରେ ବ୍ୟବହାର କରୁଥିବା ଜିନିଷ ଆପଣମାନଙ୍କ ପାଖରେ ରହିଛି। ଆପଣମାନଙ୍କ ପାଖରେ ଶକ୍ତି ରହିଛି। ଠିକ? ଯଦି ଆପଣମାନଙ୍କ ନାଁ କଟି ଯାଉଛନ୍ତି, ତା’ହେଲେ ଚୁପ ରହିବେ ନାହିଁ? ମହିଳାମାନେ ସାମ୍ନାରୁ ଲଢ଼ିବେ ଓ ପୁରୁଷମାନେ ସେମାନଙ୍କ ପଛରେ ରହିବେ।
ରାଜ୍ୟର ମହିଳାମାନେ ନା ବିଜେପି ବେଶୀ ଶକ୍ତିଶାଳୀ ମୁଁ ଦେଖିବାକୁ ଚାହୁଁଛି। ମୁଁ ସାଂପ୍ରଦାୟିକତାରେ ବିଶ୍ୱାସ କରେ ନାହିଁ। ମୁଁ ଧର୍ମ ନିରପେକ୍ଷରେ ବିଶ୍ୱାସ ରଖେ। ଯେତେବେଳେ ବି ନିର୍ବାଚନ ଆସୁଛି ବିଜେପି ଟଙ୍କା ଓ ଅନ୍ୟ ରାଜ୍ୟର ଲୋକଙ୍କୁ ବ୍ୟବହାର କରି ବିଭେଦ ସୃଷ୍ଟି କରିଛି।”
ରବିବାର କୋଲକାତାରେ ବିଶାଳ ଭାଗବତ ଗୀତା ଗାନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ମମତା ମତ ରଖିଛନ୍ତି। ସେ କହିଛନ୍ତି, “ଆମେ ଆମ ଘରେ ଯେତେବେଳେ ଇଚ୍ଛା ଗୀତା ପଢ଼ୁଛୁ। କାହିଁକି ଏଥିପାଇଁ ସାଧାରଣ ସଭାର ଆୟୋଜନ ହେବ? ଭଗବାନ ହୃଦୟରେ ରୁହନ୍ତି। ଯେଇଁମାନେ ଆଲ୍ଲାଙ୍କୁ ପ୍ରାର୍ଥନା କରୁଛନ୍ତି, ସେମାନଙ୍କ ହୃଦୟରେ ସେ ରହିଛନ୍ତି।
ରମଜାନ ଓ ଦୁର୍ଗା ପୂଜା ସମୟରେ ଆମେ ଏକାଠି ପ୍ରାର୍ଥନା କରୁ। ଯେଉଁମାନେ ଗୀତା ସମ୍ପର୍କରେ ଚିତ୍କାର କରୁଛନ୍ତି, ସେମାନଙ୍କୁ ମୁଁ ଭଗବାନ କୃଷ୍ଣ କ’ଣ କହିଥିଲେ ପଚାରିବାକୁ ଚାହୁଁଛି। ଧର୍ମର ଅର୍ଥ ପବିତ୍ର, ମାନବିକତା ଓ ଶାନ୍ତି। ଏହା କେବେ ହେଲେ ହିଂସା, ବିଭେଦ ଓ ବିଭାଜନ ନୁହେଁ। ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଟାଗୋର ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଲୋକଙ୍କୁ ଭାଗଭାଗ କରୁ ନଥିଲେ। ତା’ହେଲେ ଆପଣମାନେ(ବିଜେପି) କିଏ?”
ମମତା ଆହୁରି କହିଛନ୍ତି ଯେ ସ୍ୱାଧୀନତା ପାଇଁ ସଂଗ୍ରାମ କରୁଥିବା ଓ ଦେଶ ପାଇଁ ବଳିଦାନ ଦେଇଥିବା ବେଙ୍ଗଲର ଲୋକମାନେ ନିଶ୍ଚିତ ଭାବେ ସେମାନେ ଭାରତର ନାଗରିକ ବୋଲି ପ୍ରମାଣ କରି ଦେଖାଇବେ। ମାଛ ଖାଇବା ନା ମାଂସ, ସେକଥା ଆପଣ ନିଷ୍ପତ୍ତି ନେବେ। ବିଜେପି ଆପଣଙ୍କୁ ସେସବୁ ମଧ୍ୟ ଖାଇବାକୁ ଦେବ ନାହିଁ। ତେଣୁ ଆପଣମାନଙ୍କୁ ଏସବୁର ନିଷ୍ପତ୍ତି ନେବାକୁ ପଡ଼ିବ। କିଏ ଆମିଷ ଖାଇବା ଓ କିଏ ନିରାମିଷ ଖାଇବ, ତାହା ବ୍ୟକ୍ତିଗତ ପସନ୍ଦ ବୋଲି ମମତା କହିଛନ୍ତି।
ମମତାଙ୍କ କହିବା କଥା ଯେ ଆହତ ବାଘ ଗୋଟିଏ ସୁସ୍ଥ ବାଘ ଠାରୁ ଅଧିକ ଆକ୍ରମଣାତ୍ମକ। ସେ କହିଛନ୍ତି, “ଯଦି ଆପଣ ଆମକୁ ଆକ୍ରମଣ କରିବେ, ତା’ହେଲେ ଏହାର ଜବାବ କେମିତି ଦେବାକୁ ପଡ଼ିବ, ସେକଥା ଆମେ ଜାଣିଛୁ। ଅନ୍ୟାୟକୁ କେମିତି ବନ୍ଦ କରିବାକୁ ପଡ଼ିବ, ସେକଥା ଆମେ ଜାଣୁ। ବିଜେପି ନିଜ ଆଇଟି ସେଲ ଦ୍ୱାରା ପ୍ରସ୍ତୁତ ତାଲିକା ଅନୁସାରେ ନିର୍ବାଚନ କରିବାକୁ ଚାହୁଁଛି। ମନେ ରଖନ୍ତୁ, ବିହାର କରିପାରିଲା ନାହିଁ। କିନ୍ତୁ ବେଙ୍ଗଲ ସବୁ କିଛି କରିବ। ଆପଣ ଯାହା କଲେ ବି କିଛି ଲାଭ ନାହିଁ।”
ମମତାଙ୍କ କହିବା କଥା ଯେ ତାଙ୍କ ସରକାର ବେଙ୍ଗଲରୁ କାହାକୁ ବି ବେଦଖଲ ହେବାକୁ ଦେବେ ନାହିଁ। ସେ କହିଛନ୍ତି, “ମୋର ସମସ୍ତଙ୍କୁ ଗୋଟିଏ ଅନୁରୋଧ। ସୀମାନ୍ତ ଅଞ୍ଚଳରେ ଥିବା ବିଏସଏଫ ପୋଷ୍ଟ ନିକଟସ୍ଥ ଅଞ୍ଚଳକୁ କେହି ବି ଯାଆନ୍ତୁ ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/11/mamata-2025-12-11-18-05-53.jpg)