/odisha-reporter/media/media_files/2026/01/09/mamata-and-amit-shah-2026-01-09-19-23-40.jpg)
ତୃଣମୂଳ କଂଗ୍ରେସର ରାଜନୀତିକ ପରାମର୍ଶଦାତା I-PACର ଦୁଇଟି ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ାଉ ପରେ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଯଦି ତାଙ୍କ ଉପରେ ଓ ତାଙ୍କ ସରକାର ଉପରେ ଅଧିକ ଚାପ ପକାଯାଏ, ତା’ହେଲେ କୋଇଲା ଘୋଟାଲାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସଂପୃକ୍ତି ନେଇ ତାଙ୍କ ପାଖରେ ଯେଉଁ ସବିଶେଷ ତଥ୍ୟ ରହିଛି, ତାକୁ ସାର୍ବଜନୀନ କରିଦିଆଯିବ। ଇଡିର ଚଢ଼ାଉ ବିରୋଧରେ ଆଜି କୋଲକାତାରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରିବା ଅବସରରେ ମମତା କେନ୍ଦ୍ର ସରକାର ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି।
ମମତା କହିଛନ୍ତି, ମୋ ପାଖରେ କିଛି ପେନ୍ ଡ୍ରାଇଭ ଅଛି। ମୁଁ ଯେଉଁ ପଦରେ ରହିଛି, ତା’ର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ଚୁପ୍ ରହିଛି। ମୋ ଉପରେ ଅଧିକ ଚାପ ପକାନ୍ତୁ ନାହିଁ। ମୁଁ ସବୁ କଥା ପଦାରେ ପକାଇ ଦେବି। ପୂରା ଦେଶ ଚକିତ ହୋଇଯିବ।
ସେ ଅଭିଯୋଗ କରିଛନ୍ତି ଯେ କୋଇଲା ଘୋଟାଲାରୁ ମିଳିଥିବା ସମସ୍ତ ଟଙ୍କା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଯାଇଛି। ପଶ୍ଚିମବଙ୍ଗର ବିଜେପି ସାଂସଦ ଜଗନ୍ନାଥ ସରକାର ଓ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମାଧ୍ୟମରେ ସମସ୍ତ ପାଣ୍ଠି ଅମିତ ଶାହଙ୍କ ପାଖକୁ ଯାଇଛି। ବିଜେପି ସାଂସଦ ଜଗନ୍ନାଥ ସରକାରଙ୍କୁ ମମତା ଡକାୟତ କହିଥିବା ବେଳେ ଶୁଭେନ୍ଦୁ ଅଧିକାରୀଙ୍କୁ ଗଦ୍ଦାର ଓ ଶାହଙ୍କ ନୂଆ ଧରମ ପୁଅ ବୋଲି କହିଛନ୍ତି।
ଏହା ସହିତ ବିଏସ୍ଏଫ୍ ଓ ସିଆଇଏସ୍ଏଫ୍ର ଭୂମିକା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଘେରିଛନ୍ତି ମମତା। ସେମାନେ ବେଆଇନ କୋଇଲା ଚାଲାଣକୁ ରୋକିବାରେ ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଗତକାଲି ଇଡି ରେଡ୍ ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାକୁ ଯାଇ କାର୍ଯ୍ୟରେ ବାଧାଦେବା ତଥା କିଛି ଫାଇଲ ନେଇଯିବା ଘଟଣାକୁ ସମାଲୋଚନା କରାଯାଉଥିବା ବେଳେ ସେ କହିଛନ୍ତି ଯେ ଏଥିରେ କୌଣସି ଭୁଲ ନାହିଁ। ସେ କହିଛନ୍ତି ଯେ ସେହି ଫାଇଲରେ ନିର୍ବାଚନ ରଣନୀତି ନେଇ ସମ୍ବେଦନଶୀଳ ତଥ୍ୟ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
