Advertisment

ଆଜି ପଶ୍ଚିମବଙ୍ଗରେ ପଶିବ ରାହୁଲଙ୍କ 'ଭାରତ ଯୋଡୋ ନ୍ୟାୟ ଯାତ୍ରା', ମିଳୁନି ଦିଦିଙ୍କ ଗ୍ରୀନ୍‌ ସିଗନାଲ

ଆଜି ରାହୁଲଙ୍କ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିବ । ଏହି ଯାତ୍ରା ମାଲଦା ଓ ମୁର୍ଶିଦାବାଦ ଦେଇ ଅତିକ୍ରମ କରିବ। ମାତ୍ର କଂଗ୍ରେସର ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ମମତା ସରକାର ସାହାଯ୍ୟ କରୁ ନ ଥିବା ଅଭିଯୋଗ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Rahu Gandhi & Mamata Banerjee

Rahu Gandhi & Mamata Banerjee

ଇଣ୍ଡିଆ ମେଣ୍ଟରେ ତାଳମେଳ ଠିକ୍ ନାହିଁ । ସିଟ୍‌ ସେୟାରିଂକୁ ନେଇ ବିରୋଧୀ ଦଳଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ପଶ୍ଚିମବଙ୍ଗରେ କଂଗ୍ରେସକୁ ମାତ୍ର ୨ଟି ସିଟ୍‌ ଅଫର୍ କରାଯାଇଥିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମ୍‌ସି- କଂଗ୍ରେସ ।

Advertisment

ଏହା ମଧ୍ୟରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ଦ୍ୱିତୀୟ ଥର ପାଇଁ ପଶ୍ଚିମବଙ୍ଗରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ରାହୁଲଙ୍କ ଏହି ଯାତ୍ରାକୁ ମମତା ଦିଦି ଗ୍ରୀନ୍‌ ସିଗନାଲ୍‌ ଦେଉ ନ ଥିବା ଜଣାଯାଇଛି।

ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ମମତା ବାନାର୍ଜୀ ମାଲଦା ଓ ମୁର୍ଶିଦାବାଦରେ ରାହୁଲଙ୍କ କାର୍ଯ୍ୟକ୍ରମକୁ ଅନୁମତି ଦେଉ ନାହାନ୍ତି । ଏପରିକି ସେ ନିଜ ରାଜ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁକ ଖଡଗେଙ୍କ ସାଧାରଣ ବୈଠକକୁ ବି ଅନୁମତି ଦେଉ ନାହାନ୍ତି। କାରଣ ସେ ଇଣ୍ଟିଆ ମେଣ୍ଟର ଚେହେରା ହେବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଧ୍ୟକ୍ଷ ରଞ୍ଜନ ଚୌଧୁରୀ ।

Advertisment

ଆଜି ରାହୁଲଙ୍କ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିବ । ଏହି ଯାତ୍ରା ମାଲଦା ଓ ମୁର୍ଶିଦାବାଦ ଦେଇ ଅତିକ୍ରମ କରିବ । ଏହି ଦୁଇଟି ଲୋକସଭା ଆସନରେ କଂଗ୍ରେସ ୨୦୧୯ ନିର୍ବାଚନରେ ଜିତିଥିଲା। ମାତ୍ର କଂଗ୍ରେସର ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ମମତା ସରକାର ସାହାଯ୍ୟ କରୁ ନ ଥିବା ଅଭିଯୋଗ ହୋଇଛି।

ରାହୁଲଙ୍କ ଯାତ୍ରା ଗତ ୧୪ ତାରିଖରୁ ମଣିପୁରରୁ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏହି ଯାତ୍ରା ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ ଓ ଆସାମ ହୋଇ ପଶ୍ଚିମବଙ୍ଗରେ ପ୍ରବେଶ କରିଥିଲା। ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଏହି ଯାତ୍ରାରେ ଦୁଇ ଦିନ ପାଇଁ ବିରାମ ଥିଲା। ଏହାପରେ ଜଲପାଇଗୁଡ଼ି ହୋଇ ଯାତ୍ରା ବିହାରର ପୂର୍ଣ୍ଣିୟାରେ ପ୍ରବେଶ କରିଥିଲା। ଆଜି ପୁଣି ଥରେ ଏହି ଯାତ୍ରା ପଶ୍ଚିମବଙ୍ଗର ମାଲଦା- ମୁର୍ଶିଦାବାଦରେ ପ୍ରବେଶ କରିବ ।

ଏହି ଯାତ୍ରାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଥିଲେ ବି ଲୋକେ ଏହାକୁ ଖୁବ୍‌ ଭଲ ପାଇବା ଦେଉଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଏନେଇ ସେ କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ଇଣ୍ଡିଆ ବ୍ଲକ୍‌ରୁ ବାହାରିଯିବା ପରେ ବିହାରରେ ଏଡି ଯାତ୍ରା ପ୍ରତି ଲୋକଙ୍କ ମଧ୍ୟରେ ଉତ୍ସାହ କମିଯିବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ, ଏହାର ଠିକ୍‌ ବିପରୀତ ହେଲା। ରାହୁଲଙ୍କ ଯାତ୍ରା ସୀମାଞ୍ଚଳ କ୍ଷେତ୍ରରେ ପ୍ରବେଶ କରିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି।

Mamata Banerjee Rahul Gandhi