Advertisment

ବାମ ଦଳ ଓ ବିଜେପି ବିରୋଧରେ ବିଷ ଉଗାରିଲେ ମମତା

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆରଜି କର ହସ୍‌ପିଟାଲ ନିକଟରେ ଅଣରାଜନୀତିକ ରାଲି ଚାଲିଥିବା ବେଳେ ମମତା ବାନାର୍ଜୀ ସେଠାକୁ ଗୁଣ୍ଡା ପଠାଇଥିଲେ। ସେମାନଙ୍କୁ ପୁଲିସ୍ ସୁରକ୍ଷିତ ଭାବେ ଯିବା ପାଇଁ ବାଟ ଛାଡ଼ି ଦେଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Mamata Banarjee

Mamata Banarjee

କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜୋର ଧରିଛି ରାଜନୀତି। ଗୁରୁବାର ଆନ୍ଦୋଳନକାରୀମାନେ ଏହି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଧସେଇ ପଶିବା ସହିତ ଭଙ୍ଗାରୁଜା କରିଥିବା ବେଳେ ଏହା ପଛରେ ବାମ ଦଳ ଓ ବିଜେପିର ମିଳିତ ଷଡ଼ଯନ୍ତ୍ର ରହିଛି ବୋଲି ଆଜି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

Advertisment

ଉଭୟ ଗୃହ ଓ ସ୍ୱାସ୍ଥ୍ୟ ବିଭାଗକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ପାଇଁ ବିରୋଧୀଙ୍କ ନିଶାନାରେ ଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାର ସତ୍ୟକୁ ଅସ୍ପଷ୍ଟ ରଖିବାକୁ ବିରୋଧୀମାନେ ଉଦ୍ୟମ କରୁଛନ୍ତି।

କୋଲକାତାରେ ଏକ ରାଲିରେ ସେ କହିଛନ୍ତି, ଆମେ ଚାହୁଁଛୁ ସତ ସାମ୍ନାକୁ ଆସୁ। କିନ୍ତୁ କିଛି ଲୋକ ମିଥ୍ୟା କଥା ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ସୋଶାଲ ମିଡିଆରେ ମିଛ ଖବର ପ୍ରସାରଣ କରାଯାଇ ସତକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି। ଆମେ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛୁ। ଆମେ ଚାହୁଁଛୁ ଦୋଷୀମାନଙ୍କୁ ଦଣ୍ଡ ମିଳୁ।

Advertisment

ମମତା କହିଛନ୍ତି, ବାମ ଦଳ ଓ ବିଜେପି ମଧ୍ୟରେ ଥିବା ଭିତିରି ବୁଝାମଣା କଥା ସାମ୍ନାକୁ ଆସିବା ଉଚିତ। ଆରଜି କର ହସ୍‌ପିଟାଲରେ ହିଂସାକାଣ୍ଡ ପଛରେ ସିପିଆଇଏମ୍ ଓ ବିଜେପିର ହାତ ଅଛି। ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ ହସ୍‌ପିଟାଲରେ ଭଙ୍ଗାରୁଜା କରିଛନ୍ତି। ବାମ ଦଳ ଓ ବିଜେପି ପଶ୍ଚିମବଙ୍ଗରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଏହି କାର୍ଯ୍ୟ କରିବାକୁ ଏକାଠି ହୋଇଛନ୍ତି। ଯେଉଁମାନେ ହସ୍‌ପିଟାଲରେ ଭଙ୍ଗାରୁଜା କରିଥିଲେ, ସେମାନେ ସମସ୍ତେ ବାହାର ଲୋକ। ମୁଁ ଭିଡିଓ ଦେଖିଛି। ସେହି ଭିଡିଓଗୁଡ଼ିକରେ ଲୋକେ ବିଜେପି ଓ ସିପିଆଇଏମ୍‌ର ଦଳୀୟ ପତାକା ଧରିଥିବା ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ବିଜେପି କହିଛି ଯେ ତାଙ୍କ (ମମତାଙ୍କ) ଦଳ ହିଁ ହସ୍‌ପିଟାଲରେ ହୋଇଥିବା ଆକ୍ରମଣର ପ୍ରାୟୋଜକ ଥିଲା।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆରଜି କର ହସ୍‌ପିଟାଲ ନିକଟରେ ଅଣରାଜନୀତିକ ରାଲି ଚାଲିଥିବା ବେଳେ ମମତା ବାନାର୍ଜୀ ସେଠାକୁ ଗୁଣ୍ଡା ପଠାଇଥିଲେ। ସେମାନଙ୍କୁ ପୁଲିସ୍ ସୁରକ୍ଷିତ ଭାବେ ଯିବା ପାଇଁ ବାଟ ଛାଡ଼ି ଦେଇଥିଲା।

ବିଜେପି ସହିତ ତୃଣମୂଳ କଂଗ୍ରେସର ଶତ୍ରୁତା କାହାକୁ ଅଛପା ନାହିଁ। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ବ୍ଲକରେ ସିପିଆଇଏମ୍ ଅଛି। ଏହି ମେଣ୍ଟରେ ମମତାଙ୍କ ତୃଣମୂଳ କଂଗ୍ରେସ ମଧ୍ୟ ଅଛି। କିନ୍ତୁ ସେମାନଙ୍କ ମଧ୍ୟରେ ତାଳମେଳ ରହୁ ନଥିବା ଦେଖାଯାଉଛି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ସ୍ଥାନୀୟ ପ୍ରଶାସନ ଠିକ୍ ଭାବେ ପରିଚାଳନା କରିପାରିଲା ନାହିଁ ବୋଲି ରାହୁଲ ଗାନ୍ଧି କହିବା ପରେ ମମତା ତାଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ।

Mamata Banerjee Kolkata Raped-Murdered Case