Mamata Banerjee
ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ବୈଠକ । ଚଳିତ ବର୍ଷ ଏହି ବୈଠକରେ ଯୋଗ ଦେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ସେ ଖୋଦ ଘୋଷଣା କରିଛନ୍ତି। ଏହି ବୈଠକରେ ନିଜ ରାଜ୍ୟ ସମସ୍ୟା ଉତ୍ଥାପନ କରିବେ ବୋଲି ସେ କହିଛନ୍ତି। ଏଥିପାଇଁ ଆବଶ୍ୟକ ପଡ଼ିଲେ ସୂର୍ଯ୍ୟାସ୍ତ ପରେ ବି ବସି ରହିବେ ବୋଲି କହିଛନ୍ତି ଦିଦି ।
ଟିଏମ୍ସି ମୁଖ୍ୟ ମମତାଙ୍କ କହିବାନୁଯାୟୀ, ପୂର୍ବରୁ ଯୋଜନା ଆୟୋଗ ବୈଠକରେ ରାଜ୍ୟମାନଙ୍କୁ ନିଜ ସମସ୍ୟା ରଖିବାକୁ ମଞ୍ଚ ଦିଆଯାଉଥିଲା। କିନ୍ତୁ ଏବେ ନୀତି ଆୟୋଗ ବୈଠକ ନିମନ୍ତେ ପୂର୍ବରୁ ଏଜେଣ୍ଡା ସ୍ଥିର ହୋଇ ଯାଉଛି। ତେଣୁ ରାଜ୍ୟମାନେ ନିଜ ସମସ୍ୟା ରଖିବାକୁ ଅଉ ସୁଯୋଗ ପାଇ ପାରୁ ନାହାନ୍ତି ।
ଏଥିସହ ସେ କହିଛନ୍ତି, ମୁଁ ଏହି ମଞ୍ଚରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। କାରଣ ଏଥିନିମନ୍ତେ ଆଉ କୌଣସି ମଞ୍ଚ ନାହିଁ। ମୋତେ କହିବା ପାଇଁ ଶେଷରେ ସୁଯୋଗ ମିଳିଲେ ବି ମୁଁ ଧୈର୍ଯ୍ୟର ସହ ଅପେକ୍ଷା କରିବି। କାରଣ ପଶ୍ଚିମବଙ୍ଗ ସମସ୍ୟାକୁ ମୁଁ ଜାତୀୟ ମଞ୍ଚରେ ଉଠାଇବାକୁ ଚାହୁଁଛି।
ଗତବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ଥିବା ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କଡ଼ା ଟିପ୍ପଣୀ ଦେଇଥିଲେ।
ଏପରିକି କେନ୍ଦ୍ର ରାଜ୍ୟମାନଙ୍କ ଉପରେ ନିଜ ଯୋଜନାଗୁଡ଼ିକୁ ଜବରଦସ୍ତି ଲଦି ଦେବା ପରିବର୍ତ୍ତେ ସେମାନଙ୍କ ଦାବିକୁ ଗୁରୁତର ସହ ନେଇ ତାହାର ସମାଧାନ କରିବାକୁ ସେ କହିଥିଲେ। ଏଥିନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆବଶ୍ୟକ ବୋଲି ସେ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us