/odisha-reporter/media/post_attachments/uploadimage/library/16_9/16_9_0/Marriage__1753966274.jpg)
Marriage
ବାଳିକା ବଧୂ ସିରିଏଲ କଥା ସମସ୍ତେ ଶୁଣିଥିବେ କିମ୍ବା ଦେଖିଥିବେ। ଏବେ ବାସ୍ତବ ଜୀବନରେ ବାଳିକା ବଧୂ ଘଟଣା ସାମ୍ନାକୁ ଆସିଛି। ୧୩ ବର୍ଷର ନାବାଳିକାଙ୍କୁ ବଳପୂର୍ବକ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ସହ ବିବାହ କରି ଦିଆଯାଇଛି। ଏହି ବ୍ୟକ୍ତି ଜଣଙ୍କ ପୂର୍ବରୁ ବାହା ହୋଇଥିଲେ। ତଥାପି ସେ ନାବାଳିକାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି।
ତେଲଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲାରେ ଏପରି ଘଟଣା ଘଟିଥିବା ବେଳେ ନାବାଳିକାଙ୍କୁ ବାଲ୍ୟ ବିବାହ କବଳରୁ ଶିଶୁ ସୁରକ୍ଷା ସେବାର ଅଧିକାରୀ ଓ ପୁଲିସ୍ ଉଦ୍ଧାର କରିଛନ୍ତି। ନାବାଳିକାଙ୍କ ଶିକ୍ଷୟିତ୍ରୀଙ୍କ ଯୋଗୁ ପିଲାଟି ବାଲ୍ୟ ବିବାହ ଯନ୍ତ୍ରଣାରୁ ଉଦ୍ଧାର ହୋଇପାରିଛି।
୧୩ ବର୍ଷର ଝିଅଟି ୮ମ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କର ବାହାଘର ମେ’ ୨୮ରେ ୪୦ ବର୍ଷୀୟ ଶ୍ରୀନିବାସ ଗୌଡଙ୍କ ସହ ହୋଇଥିଲା। ଶ୍ରୀନିବାସଙ୍କ ଘର କାଣ୍ଡିୱାଡାରେ। ନାବାଳିକା ଜଣଙ୍କ ତାଙ୍କ ଶିକ୍ଷୟିତ୍ରୀଙ୍କୁ ଏସମ୍ପର୍କରେ ଜଣାଇବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ପିଲାଟି ପାଖରୁ ସବୁ ତଥ୍ୟ ନେବା ପରେ ଶିକ୍ଷୟିତ୍ରୀ ଜଣଙ୍କ ତହସିଲଦାର ରାଜେଶ୍ୱରୀ ଓ ଇନସପେକ୍ଟର ପ୍ରସାଦଙ୍କୁ ଯୋଗାଯୋଗ କରିଥିଲେ।
ପୁଲିସ୍ ଇନସପେକ୍ଟର କହିଛନ୍ତି, “ଝିଅଟି ତାଙ୍କ ମା ଓ ଭାଇଙ୍କ ସହ ରୁହନ୍ତି। ସେମାନେ ଯେଉଁ ଘରେ ଭଡ଼ା ରହୁଥିଲେ, ତା’ର ମାଲିକଙ୍କୁ ଝିଅର ବାହାଘର କରାଇ ଦେବାକୁ ଚାହୁଁଥିବା ମା’ କହିଥିଲେ। ଏକଥା ଶୁଣିବା ପରେ ଜଣେ ମଧ୍ୟସ୍ଥି ଆସିଥିଲେ। ଏହାପରେ ୪୦ ବର୍ଷୀୟ ଶ୍ରୀନିବାସଙ୍କ ସହ ଝିଅର ବାହାଘର ମେ’ ମାସରେ ହୋଇଥିଲା। ମଧ୍ୟସ୍ଥି, ଝିଅର ମା’, ଘର ମାଲିକ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ବେଆଇନ ବାହାଘର କରାଇବା ଅଭିଯୋଗରେ ମାମଲା ହୋଇଛି।”
ନାବାଳିକାଙ୍କୁ ବାଲ୍ୟ ବିବାହ ଯନ୍ତ୍ରଣାରୁ ଉଦ୍ଧାର କରି ଗୋଟିଏ ସଖୀ ସେଣ୍ଟରରେ ରଖାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପରବୀନ କୁମାର କହିଛନ୍ତି ଯେ “ଅଧିକାରୀମାନେ ତାଙ୍କର କାଉନସେଲିଂ କରୁଛନ୍ତି। ବାହାଘର ୨ ମାସ ତଳେ ହୋଇଥିଲା। ଯଦି ପିଲାଟି ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖାଯାଇଥିବ, ତା’ହେଲେ ଶ୍ରୀନିବାସ ଗୌଡଙ୍କ ବିରୋଧୀ ପୋସକୋ ଆଇନ ଅନୁସାରେ ମାମଲା କରାଯିବ।”
ତେଲଙ୍ଗାନାରେ ବାଲ୍ୟ ବିବାହ ଅଧିକ ଥିବାରୁ ଏହାକୁ ରୋକିବାକୁ ସରକାର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତଥାପି ଏହା ଥମିବାର ନାଁ ଧରୁନି। ଚଳିତ ବର୍ଷ ୪୪ଟି ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସି ସାରିଲାଣି। ଗତବର୍ଷ ଏହି ସଂଖ୍ୟା ୬୦ ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
