ଭାରତର ଅନେକ ପ୍ରାନ୍ତରେ ଛାଡ଼ପତ୍ର ନିଷେଧ ରହିଥାଏ। ଅନେକ ଦମ୍ପତି ବି ଶେଷ ପର୍ଯ୍ୟାୟରେ(ଅତିରୁ ଇତି ନହେବା ପର୍ଯ୍ୟନ୍ତ) ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନିଅନ୍ତି ନାହିଁ। କୋର୍ଟ ମଧ୍ୟ ପ୍ରତି ୧୦୦ ମାମଲାରେ କ୍ୱଚିତ ଗୋଟିଏ ଘଟଣାରେ ଛାଡ଼ପତ୍ର ପାଇଁ ଅନୁମତି ଦେଇଥାନ୍ତି। ନଚେଚ୍ ଅନେକଙ୍କୁ ପୁନର୍ବାର ଏକାଠି ରହିବାର ସୁଯୋଗ ଦିଅନ୍ତି। କ୍ରୁରତା, ହିଂସା କିମ୍ବା ଅଯଥା ଅର୍ଥ ଦାବିର ପ୍ରମାଣ ମିଳିଲେ କୋର୍ଟ ଛାଡ଼ପତ୍ର ଆବେଦନକୁ ମଞ୍ଜୁରି ଦିଅନ୍ତି।
ଏବେ ୮୯ ବର୍ଷୀୟ ଜଣେ ବୃଦ୍ଧଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ହେଉଛି। ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ କାହାଣୀ ଶେଷରେ ୨୭ ବର୍ଷ ପରେ ହାପି ଏଣ୍ଡିଂ ହୋଇଛି। ଆଉ ୧୯୮୪ ମସିହାରୁ ଅଲଗା ରହୁଥିବା ଏହି ଦମ୍ପତିଙ୍କୁ ପରିଣତ ବୟସରେ ଏକାଠି ରହିବାକୁ ଅନୁମତି ଦେଇଛନ୍ତି କୋର୍ଟ।
ସୂଚନା ଅନୁସାରେ, ନିର୍ମଳ ସିଂହ ପାନେସର( ଏବେ ୮୯) ୧୯୬୩ରେ ପରମଜିତ୍ କୌର ପାନସର(ଏବେ ୮୨)ଙ୍କୁ ବିବାହ କରିଥିଲେ। କିନ୍ତୁ ୧୯୮୪ରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ନିର୍ମଳ ସିଂହ ସେତେବେଳେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିଲେ। ତାଙ୍କୁ ଚେନ୍ନାଇରେ ନିଯୁକ୍ତି ମିଳିଥିଲା। କିନ୍ତୁ ପତ୍ନୀ ପରମଜିତ ତାଙ୍କ ସହ ଚେନ୍ନାଇ ଯିବାକୁ ମନା କରିଦେଇଥିଲେ।
କ୍ରୁରତା ଏବଂ ନିର୍ଯାତନା ଦର୍ଶାଇ ନିର୍ମଳ ୧୯୯୬ରେ ପତ୍ନୀଙ୍କଠାରୁ ଛାଡ଼ପତ୍ର ଆବେଦନ କରିଥିଲେ। ଦୀର୍ଘ ଚାରି ବର୍ଷ ମାମଲା ଚାଲିବା ପରେ ୨୦୦୦ ମସିହାରେ ଜିଲ୍ଲା କୋର୍ଟ ଆବେଦନକୁ ମଞ୍ଜୁରୀ ଦେଇଥିଲେ। ମାତ୍ର ପରମଜିତ୍ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ସେହି ବର୍ଷ ହିଁ ଛାଡ଼ପତ୍ର ଆବେଦନ ଖାରଜ ହୋଇଯାଇଥିଲା।
ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପାଇଁ ଦୁଇ ଦଶନ୍ଧି ସମୟ ନେଇଯାଇଛି। ଶେଷରେ ୨୭ ବର୍ଷ ପରେ ସୁପ୍ରିମକୋର୍ଟରେ ପୁନର୍ବାର ଆବେଦନ କରିଥିଲେ ନିର୍ମଳ। ମାମଲାର ଶୁଣାଣି ସମୟରେ କୋର୍ଟରେ ହାଜର ହୋଇଥିଲେ ୮୯ ବର୍ଷୀୟ ନିର୍ମଳ ଓ ୮୨ ବର୍ଷୀୟ ପରମଜିତ। ପରମଜିତ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବାକୁ ମନା କରିଦେଇଥିଲେ। ଜୀବନର ଶେଷ ସମୟରେ ସେ ତାଙ୍କ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଅଦାଲତଙ୍କୁ ନିବେଦନ କରିଥିଲେ।
ମୋତେ ଛାଡ଼ପତ୍ର ଦେଇ ଶେଷ ସମୟରେ କଳଙ୍କ ବୋହିବାର ବୋଝ ଦିଅନ୍ତୁ ନାହିଁ ବୋଲି ପରମଜିତ୍ ଅଦାଲତଙ୍କୁ ନିବେଦନ କରି କହିଥିଲେ। ଉଭୟ ପକ୍ଷଙ୍କ ଆବେଦନ ଶୁଣିବା ପରେ ସର୍ବୋଚ୍ଚ ଅଦାଲତ ମଧ୍ୟ ଛାଡ଼ପତ୍ରକୁ ଖାରଜ କରି ଦୁଇ ଜଣଙ୍କୁ ଏକାଠି ରହିବାକୁ ଅନୁମତି ଦେଇଛନ୍ତି।
ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଯଦି ଏହି ବିଚ୍ଛେଦ ପ୍ରଦାନ କରାଯାଏ, ତେବେ ପରମଜିତଙ୍କ ପ୍ରତି ଅନ୍ୟାୟ ହେବ। ଭାରତୀୟ ସମାଜରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଏକ ଧାର୍ମିକ, ଆଧ୍ୟାତ୍ମିକ ଏବଂ ଅମୂଲ୍ୟ ଭାବପ୍ରବଣତାର ସମ୍ପର୍କ। ପରମଜିଚ ଶେଷ ଅବସ୍ଥାରେ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଛନ୍ତି, ଏପରିକି ସ୍ୱାମୀଙ୍କ ଯତ୍ନ ନେବାକୁ ମଧ୍ୟ ରାଜି ଅଛନ୍ତି। ତେଣୁ ଛାଡ଼ପତ୍ର ଦିଆଗଲେ ତାଙ୍କ ପ୍ରତି ଅନ୍ୟାୟ ହେବ।
ପ୍ରକାଶ ଥାଉ କି, ଗତ ବର୍ଷ କେନ୍ଦ୍ର ସରକାର କହିଥିଲେ ଯେ ସାରା ଦେଶରେ ପ୍ରାୟ ୪ କୋଟି ୩୨ ଲକ୍ଷ ମାମଲା ବିଚାରାଧୀନ ରହିଛି।