Advertisment

ଗୁଣିଆ କଥାରେ ମୋଚିଙ୍କୁ ବଳି

ଗୁପ୍ତ ଧନ ପାଇବା ଆଶାରେ ଜଣେ ବ୍ୟକ୍ତି ଗୁଣିଆ କଥାରେ ବିଶ୍ୱାସ କରି ଜଣେ ମୋଚିଙ୍କୁ ହତ୍ୟା କରିଛନ୍ତି। ଗୁଣିଆ ଜଣଙ୍କ ଅଭିଯୁକ୍ତଙ୍କୁ ମାନବ ବଳି ଦେଲେ ଗୁପ୍ତ ଧନ ମିଳିବ ବୋଲି କହିଥିଲେ।

author-image
Hemant Lenka
AP

AP

ଆଧୁନିକ ଯୁଗରେ ବି ବଳି ପ୍ରଥା ଜାରି ରହିଛି। ଏବେ ବି ଲୋକମାନେ ଗୁଣି ଗାରେଡ଼ିରେ ବିଶ୍ୱାସ କରୁଛନ୍ତି। କଳା ଯାଦୁର ବଶବର୍ତ୍ତୀ ହୋଇ ନିରୀହ ଲୋକଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଗୁଣିଆ ଓ ଜ୍ୟୋତିଷଙ୍କ କଥାରେ ବିଶ୍ୱାସ କରି ଭୟଙ୍କର କାଣ୍ଡ ଘଟାଉଛନ୍ତି। ଏହିକ୍ରମରେ ଗୁପ୍ତ ଧନ ପାଇବା ଆଶାରେ ଜଣେ ବ୍ୟକ୍ତି ଗୁଣିଆ କଥାରେ ବିଶ୍ୱାସ କରି ଜଣେ ମୋଚିଙ୍କୁ ହତ୍ୟା କରିଛନ୍ତି। ଗୁଣିଆ ଜଣଙ୍କ ଅଭିଯୁକ୍ତଙ୍କୁ ମାନବ ବଳି ଦେଲେ ଗୁପ୍ତ ଧନ ମିଳିବ ବୋଲି କହିଥିଲେ। ଏଥିପାଇଁ ବ୍ୟକ୍ତି ଜଣଙ୍କ ଜଣେ ନିରୀହ ମୋଚିଙ୍କ ଜୀବନ ନେଇ ଯାଇଛନ୍ତି।

Advertisment

ଆନ୍ଧ୍ର ପ୍ରଦେଶରେ ଘଟିଥିବା ଏହି ଭୟଙ୍କର ହତ୍ୟା କାଣ୍ଡର ୨୪ ଘଣ୍ଟା ମଧ୍ୟରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ପୂରା ଘଟଣା କର୍ଣ୍ଣାଟକା-ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା ପର୍ଶୁରାମ ପୁଲିସ୍‌ ଷ୍ଟେସନ ଅଧୀନରେ ଘଟିଥିଲା। ଫେବୃଆରୀ ୯ ତାରିଖରେ ଅଭିଯୁକ୍ତ ଜଣଙ୍କ ରାସ୍ତା କଡ଼ରେ ଚପଲ ଓ ଜୋତା ମରାମତି କରୁଥିବା ଜଣେ ବ୍ୟକ୍ତିଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ହତ୍ୟା କରିଥିଲେ।

ପୁଲିସ୍‌ କହିଛି ଯେ ପୀଡ଼ିତ ଜଣଙ୍କ ହେଲେ ୫୨ ବର୍ଷୀୟ ପ୍ରଭାକର। ସେ ଛତ୍ରଦୁର୍ଗା ଜିଲ୍ଲାର ପର୍ଶୁରାମପୁର ବସ୍‌ ଷ୍ଟାଣ୍ଡ ନିକଟରେ ମୋଚି ଭାବେ କାମ କରୁଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଆନ୍ଧ୍ର ପ୍ରଦେଶର କୁଣ୍ଡୁରପି ଗାଁର ଆନନ୍ଦ ରେଡ୍ଡୀ। ସେ ପାଭାଗାଡାରେ ଥିବା ଗୋଟିଏ ରେଷ୍ଟୁରାଣ୍ଟରେ ରୋଷେଆ ଭାବେ କାମ କରନ୍ତି। ସେହିପରି ଘଟଣାର ଦ୍ୱିତୀୟ ଅଭିଯୁକ୍ତ ହେଉଛନ୍ତି ଗୁଣିଆ ରାମକୃଷ୍ଣ। ତାଙ୍କ ଘର ତୁମକୁରୁ ଜିଲ୍ଲାର କୋଟେଗୁଡ୍ଡା ଗାଁରେ।

Advertisment

ଆନନ୍ଦ ରେଡ୍ଡୀ ଗୁପ୍ତ ଧନ ପାଇବାର ସ୍ୱପ୍ନ ଦେଖୁଥିଲେ। ଏହି ସମୟରେ ତାଙ୍କୁ ରାମକୃଷ୍ଣ ମାନବ ବଳି ଦେଲେ ସ୍ୱପ୍ନ ପୂରଣ ହେବ ବୋଲି କହିଥିଲେ। ଏଥିରେ ବିଶ୍ୱାସ କରି ସେ ପ୍ରଭାକରଙ୍କୁ ଗୋଟିଏ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ରାମକୃଷ୍ଣଙ୍କ କଥାରେ ପ୍ରଭାକରଙ୍କୁ ହତ୍ୟା କରାଯାଇଥିଲା।

ଆନନ୍ଦ ବେଶ କିଛି ମାସ ହେଲା ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲେ। ଏଥିପାଇଁ ସେ ରାମକୃଷ୍ଣଙ୍କୁ ଯୋଗାଯୋଗ କରିଥିଲେ। ଏହି ସମୟରେ ସେ ମା’ ମାରାମ୍ମାଙ୍କୁ ମାନବ ବଳି ଦେଇ ଶାନ୍ତି କରିବାକୁ ପରାମର୍ଶ ଦେଇଥିଲେ। ମା’ଙ୍କୁ ବଳି ଦେଲେ ତାଙ୍କ ଭାଗ୍ୟ ଫିଟିବ ବୋଲି ରାମକୃଷ୍ଣ କହିଥିଲେ।

ଆନନ୍ଦଙ୍କୁ ରାମକୃଷ୍ଣ ପ୍ରତିଶ୍ରୁତି ଦେଇଥିଲେ ଯେ ମାନବ ବଳି ଦେବା ପରେ ତାଙ୍କୁ ପର୍ଶୁରାମପୁରର ପଶ୍ଚିମ ଦିଗରୁ ଗୁପ୍ତ ଧନର ସନ୍ଧାନ ମିଳିବ। ତାଙ୍କ ପରାମର୍ଶକ୍ରମେ ଆନନ୍ଦ ପର୍ଶୁରାମପୁର ଉପକଣ୍ଠରେ ନିଜର ଶିକାରକୁ ଅପେକ୍ଷା କରି ରହିଥିଲେ। ଏହି ସମୟରେ ପ୍ରଭାକର ଘରକୁ ଫେରୁଥିବା ଆନନ୍ଦଙ୍କ ନଜରକୁ ଆସିଥିଲା। ସେ ଚାଲି ଚାଲି ଘରକୁ ଯାଉଥିବା ପ୍ରଭାକରଙ୍କୁ ନିଜ ବାଇକରେ ଲିଫ୍ଟ ଦେବାକୁ ଚାହିଁଥିଲେ। ପ୍ରଭାକର ମଧ୍ୟ ତୁରନ୍ତ ତାଙ୍କ ଗାଡ଼ିରେ ବସି ପଡ଼ିଥିଲେ।

ଏହାର ଫାଇଦା ଉଠାଇ ଆନନ୍ଦ ତାଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ଗାଡ଼ିର ଷ୍ଟାର୍ଟ ବନ୍ଦ କରି ଦେଇଥିଲେ। ଗାଡ଼ିର ତେଲ ସରି ଯାଇଥିବା ସେ ପ୍ରଭାକରଙ୍କୁ କହିଥିଲେ। ପ୍ରଭାକର ଗାଡ଼ିରୁ ଓହ୍ଲାଇବା କ୍ଷଣି ଆନନ୍ଦ ନିଜ ପାଖରେ ରଖିଥିବା ଧାରୁଆ ଛୁରୀରେ ତାଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରି ଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପୁଲିସ୍‌ ମୃତଦେହକୁ ଜବତ କରିବା ସହ ଆନନ୍ଦ ଓ ରାମକୃଷ୍ଣଙ୍କୁ ଗିରଫ କରିଛି।

Andhra Pradesh Black Magic Human Sacrifice