ପତ୍ନୀଙ୍କ ନିର୍ଯାତନା ସହିତ ନପାରି ଦିଲ୍ଲୀର ଜଣେ ୩୯ ବର୍ଷୀୟ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଦିଲ୍ଲୀର ମଡେଲ ଟାଉନ୍ର କଲ୍ୟାଣ ବିହାର ଅଞ୍ଚଳରେ ଏହି ଘଟଣା ଘଟିଛି।
ମୃତ ଯୁବକଙ୍କ ନାଁ ପୁନୀତ ଖୁରାନା। ସେ ଦିଲ୍ଲୀର ଅନ୍ୟତମ ଜଣାଶୁଣା କାଫେ ‘ଉଡ୍ବକ୍ସ’ର ଯୁଗ୍ମ ପ୍ରତିଷ୍ଠାତା ଥିଲେ। ପତ୍ନୀ ମାଣିକ ଜଗଦୀଶ ପହୱାଙ୍କ ସହିତ ମିଶି ସେ ଏହି କାଫେ ତିଆରି କରିଥିଲେ। ୨୦୧୬ରେ ସେମାନେ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ସମ୍ବନ୍ଧ ଆଉ ଭଲ ନଥିଲା। କୋର୍ଟରେ ସେମାନଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଥିବା ବେଳେ ଆତ୍ମହତ୍ୟା କରିଛନ୍ତି ପୁନୀତ ଖୁରାନା। ବ୍ୟବସାୟକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ଜଣାପଡ଼ିଛି।
ପୁନୀତ ଖୁରାନାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ପତ୍ନୀଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ଥିଲେ। ମୃତ୍ୟୁ ପୂର୍ବରୁ ୩୦ ତାରିଖ ବିଳମ୍ବିତ ରାତିରେ ପତ୍ନୀଙ୍କୁ ଫୋନ୍ କରିଥିଲେ ପୁନୀତ ଖୁରାନା। ସେହି ସମୟରେ ସେମାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ସାମ୍ନାକୁ ଆସିଛି। ୧୬ ମିନିଟ୍ରେ ଏହି ବାର୍ତ୍ତାଳପରେ ପୁନୀତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କେବଳ ଝଗଡ଼ା ହୋଇଛି। ଏମିତିକି ପୁନୀତଙ୍କୁ ତାଙ୍କ ପତ୍ନୀ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି।
ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍କୁ ନେଇ ସେମାନଙ୍କ ବାର୍ତ୍ତାଳପ ଆରମ୍ଭ ହୋଇଥିଲା। ମାଣିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ କରିଛନ୍ତି ବୋଲି ପୁନୀତ ଅଭିଯୋଗ କରିଛନ୍ତି। ମାଣିକ ଏହାକୁ ଖଣ୍ଡନ କରିଛନ୍ତି। ଏହା ପରେ ମାଣିକ ତାଙ୍କୁ କହିଛନ୍ତି ଯେ ପୁଣି ସେହି ଆତ୍ମହତ୍ୟା ଓ ଘରଛାଡ଼ି ଚାଲିଯିବା ଧମକ ଦିଅ। ତୁମେ କ’ଣ ଚାହଁ ବୋଲି ମାଣିକଙ୍କୁ ପଚାରିଛନ୍ତି ପୁନୀତ। ଏହାର ଜବାବରେ ମାଣିକ ଧମକ ଦେଇ କହିଛନ୍ତି ଯେ କାଲି ସକାଳେ ତାଙ୍କ ସମ୍ମୁଖକୁ ଆସିଲେ ସେ କହିବେ। କିନ୍ତୁ ପୁନୀତ ତାଙ୍କୁ ଭେଟିବାକୁ ମନା କରି ଦେଇଛନ୍ତି। ଏହା ପରେ ମାଣିକ କହିଛନ୍ତି, ତା’ହେଲେ କ’ଣ ପାଇଁ ପଚାରୁଥିଲ ଯେ କ’ଣ ଦରକାର ବୋଲି। ସେ ପୁନୀତଙ୍କୁ ଆହୁରି କହିଥିଲେ ଯେ ସାମ୍ନାକୁ ଆସିବାକୁ ସାହାସ ନାହିଁ ତ ରାତି ୩ଟାରେ ଫୋନ କରି ଫାଲତୁ କଥାବାର୍ତ୍ତା କାହିଁକି କରୁଛ।
ଏହା ପରେ ସେମାନଙ୍କ ମଧ୍ୟରେ ଏକ ପାସ୍ୱାର୍ଡକୁ ନେଇ କଥା କଟାକଟି ହୋଇଛି। ତା’ପରେ ପୁନୀତଙ୍କର ଅନ୍ୟ କୌଣସି ମହିଳାଙ୍କ ସହିତ ସଂପର୍କ ଥିବା କଥା ଉଠାଇଛନ୍ତି ମାଣିକ। ଏହାକୁ ଦୃଢ଼ ସ୍ୱରରେ ଖଣ୍ଡନ କରିଛନ୍ତି ପୁନୀତ। ଏହା ମଧ୍ୟରେ ସେମାନଙ୍କ ମଧ୍ୟରେ ଝଗଡ଼ା ବଢ଼ିଯାଇଥିଲା। ତା’ ମଧ୍ୟରେ ମାଣିକ କହିଥିଲେ ଯେ ବିବାହ ବିଚ୍ଛେଦ ନେଇ ସେମାନଙ୍କ ମାମଲା କୋର୍ଟରେ ରହିଛି। କିନ୍ତୁ ଏବେ ବି ସେ ତାଙ୍କର ବିଜ୍ନେସ ପାର୍ଟନର ଅଛନ୍ତି। ତାଙ୍କର ସବୁ ବକେୟା ଶୀଘ୍ର ଦେବାକୁ ସେ ପୁନୀତଙ୍କୁ କହିଛନ୍ତି। ଏହା ପରେ ଦୁହେଁ ପରସ୍ପରକୁ ତୁ, ତା କହି ଗାଳିଗୁଲଜ କରିଛନ୍ତି। ପୁନୀତଙ୍କ ପରିବାର ଲୋକଙ୍କୁ ଗାଳି କରିଛନ୍ତି ମାଣିକ। ୟୁଟ୍ୟୁବରେ ମାଣିକଙ୍କ ମୁଖା ଖୋଲି ଦେବାକୁ ପୁନୀତ ଧମକ ଦେଇଛନ୍ତି। କିନ୍ତୁ ସେ କିଛି କରିପାରିବେ ନାହିଁ ବୋଲି ମାଣିକ କହୁଥିବା ଶୁଣିବାକୁ ମିଳଛି।
ପୁଲିସ୍ ପୁନୀତ ଖୁରାନାଙ୍କ ଫୋନ୍ଙ୍କୁ ଜବତ କରିଛି ଏବଂ ଉକ୍ତ ରେକର୍ଡ ବାର୍ତ୍ତାଳପ ଆଧାରରେ ତାଙ୍କ ପତ୍ନୀ ମାଣିକ ଜଗଦୀଶ ପହୱାଙ୍କୁ ପଚରାଉଚରା କରିବାକୁ ଥାନାକୁ ଡାକିଛି।
ପୁନୀତଙ୍କ ଭଉଣୀ ଲୀନା କହିଛନ୍ତି, ମୋ ଭାଇଙ୍କୁ ମାଣିକ ବହୁତ ନିର୍ଯାତନା ଦେଇଛନ୍ତି। ମାଣିକଙ୍କ ପରିବାର ଲୋକେ ପ୍ରୋପର୍ଟୀ ବିଜ୍ନେସ କରନ୍ତି। ମୋ ବାପାଙ୍କର ରୋହିଣୀରେ ଏକ ଘର ଥିଲା। ସେମାନେ ଉକ୍ତ ଘରକୁ ବିକ୍ରି କରାଇ ଦେବେ ବୋଲି କହିଥିଲେ। ମୋ ଭାଇ ସେମାନଙ୍କ ଉପରେ ବିଶ୍ୱାସ କରି ବିକ୍ରି କରାଇ ଦେବା ପାଇଁ କହିଥିଲେ। ଘର ବିକ୍ରି ହୋଇଗଲା। ସେମାନେ ସୁଧ ଦେବେ କହି ଘର ବିକ୍ରିରୁ ମିଳିଥିବା ଟଙ୍କା ଭାଇକୁ ଦେଲେ ନାହିଁ। ପରେ ସୁଧ ଦେଲେନି କି ଉକ୍ତ ଘର ବିକ୍ରିରୁ ମିଳିଥିବା ଟଙ୍କା ମଧ୍ୟ ଦେଲେନି। ତା’ ବଦଳରେ ଏକ ଫ୍ଲାଟ କିଣି ଦେବେ ବୋଲି କହିଥିଲେ। କିନ୍ତୁ ଫ୍ଲାଟ୍ ମଧ୍ୟ ଦେଲେ ନାହିଁ। ଏହିଭଳି ଅନେକ ଘଟଣାକୁ ନେଇ ଭାଇ ବହୁତ ଚାପରେ ରହୁଥିଲେ ବୋଲି ଲୀନା କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।