ପରକୀୟା ପ୍ରୀତି ପାଇଁ ମହାକୁମ୍ଭକୁ ନେଇ ପତ୍ନୀଙ୍କୁ ମାରିଦେଲେ

ଦିନରେ ବୁଡ଼ ପକାଇବା ପରେ ରାତିରେ ପତ୍ନୀଙ୍କୁ ହତ୍ୟା କରିଥିଲେ।

Accused and Victim

ଅଭିଯୁକ୍ତ ଓ ମୃତ ମହିଳା

Jitendra Garnayak
  • Published: Sunday, 23 February 2025
  • , Updated: 23 February 2025, 06:03 PM IST

ପରକୀୟା ପ୍ରୀତି ପାଇଁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ମହାକୁମ୍ଭକୁ ବୁଲାଇବାକୁ ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଫେବ୍ରୁଆରୀ ୧୮ ତାରିଖ ରାତିରେ ଘଟିଛି ଏହି ଘଟଣା। ପୁଲିସ ଏହି ମାମଲାର ପର୍ଦ୍ଦାଫାସ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି।

ମୃତ ମହିଳାଙ୍କ ନାଁ ମୀନାକ୍ଷୀ। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ଅଶୋକ କୁମାର। ସେମାନେ ଦିଲ୍ଲୀର ତ୍ରିଲୋକପୁରୀରେ ରହୁଥିଲେ। ଗତ ୧୮ ତାରିଖରେ ସ୍ୱାମୀଙ୍କ ସହିତ ପ୍ରୟାଗରାଜରେ ପହଞ୍ଚିଥିଲା ମୀନାକ୍ଷୀ। ସେମାନେ ଝୁନସୀ ଥାନା ଅଞ୍ଚଳର ଆଜାଦ ନଗର କୋଲୋନୀରେ ଏକ ଗେଷ୍ଟ ହାଉସ୍‌ରେ ରହିଥିଲେ। ସେହିଦିନ ରାତିରେ ଗେଷ୍ଟ ହାଉସର ବାଥ୍‌ ରୁମ୍‌ରେ ମୀନାକ୍ଷୀଙ୍କୁ ହତ୍ୟା କରିଥିଲେ ଅଶୋକ। ସେ ମୀନାକ୍ଷୀଙ୍କ ତଣ୍ଟି କାଟି ଦେଇଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ।

ଫେବ୍ରୁଆରୀ ୧୯ ତାରିଖ ସକାଳେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ଖବର ପାଇ ପ୍ରୟାଗରାଜ ପୁଲିସ୍ ସେଠାରେ ପହଞ୍ଚିଥିଲା। ପ୍ରାରମ୍ଭିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଲା ଯେ ମୀନାକ୍ଷୀ ସେଠାକୁ ଜଣେ ପୁରୁଷଙ୍କ ସହିତ ଆସିଥିଲେ ଓ ସେମାନେ ପରସ୍ପରକୁ ସ୍ୱାମୀସ୍ତ୍ରୀର ପରିଚୟ ଦେଇଥିଲେ। କିନ୍ତୁ ଗେଷ୍ଟ ହାଉସ୍ ମ୍ୟାନେଜର ସେମାନଙ୍କ ପରିଚୟ ଯାଞ୍ଚ ନ କରି କିମ୍ବା କୌଣସି ପରିଚୟପତ୍ର ନମାଗି ସେମାନଙ୍କୁ ସେଠାରେ ରହିବାକୁ ରୁମ୍ ଦେଇଥିଲେ।

ପୁଲିସ ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ତାଙ୍କ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିବା ସହିତ ଖବରକାଗଜରେ ପ୍ରକାଶ କରିଥିଲା। ପୁଲିସର ଏହି ଉଦ୍ୟମ ସଫଳତା ଆଣି ଦେଇଥିଲା। ମୀନାକ୍ଷୀଙ୍କ ଫଟୋ ଦେଖି ଫେବ୍ରୁଆରୀ ୨୧ ତାରିଖରେ ପ୍ରୟାଗରାଜରେ ପହଞ୍ଚିଥିଲେ ମୀନାକ୍ଷୀଙ୍କ ଭାଇ ପରବେଶ କୁମାର ଓ ଦୁଇ ପୁଅ ଅଶ୍ୱନୀ ଏବଂ ଆଦର୍ଶ। ପ୍ରୟାଗରାଜର ଝୁନସୀ ଥାନାରେ ସେମାନେ ମୀନାକ୍ଷୀଙ୍କ ପରିଚୟ ସ୍ପଷ୍ଟ କରିଥିଲେ। ଏହା ପରେ ପୁଲିସ ଅଶୋକ କୁମାରଙ୍କ ନାଁରେ ମାମଲା ରୁଜୁ କରି ତାଙ୍କ ମୋବାଇଲକୁ ଟ୍ରାକ୍ କରିଥିଲା ଓ ତାଙ୍କୁ ଗିରଫ କରିଥିଲା।

ଜେରା ବେଳେ ମୀନାକ୍ଷୀଙ୍କ ସ୍ୱାମୀ ଅଶୋକ କୁମାର ତାଙ୍କ ଦୋଷ ସ୍ୱୀକାର କରିଥିଲେ। ଇଷ୍ଟ ଦିଲ୍ଲୀର ତ୍ରିଲୋକପୁରୀରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାରଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ସଂପର୍କ ଥିଲା। ସେହି ଅବୈଧ ସଂପର୍କକୁ ଜାରି ରଖିବାକୁ ସେ ପତ୍ନୀ ମୀନାକ୍ଷୀଙ୍କୁ ହତ୍ୟା କରିଥିବା କହିଥିଲେ। ମୀନାକ୍ଷୀଙ୍କୁ ହତ୍ୟା କରିବାକୁ ସେ ୩ ମାସ ହେଲାଣି ଯୋଜନା କରିଥିଲେ। ଶେଷରେ ସେ ପତ୍ନୀଙ୍କୁ କୁମ୍ଭମେଳାରେ ବୁଡ଼ ପକାଇବାକୁ ନେଇ ହତ୍ୟା କରିବାକୁ ଯୋଜନା କରିଥିଲେ।

ଫେବ୍ରୁଆରୀ ୧୭ ତାରିଖରେ ମୀନାକ୍ଷୀଙ୍କୁ ନେଇ ଅଶୋକ କୁମାର ପ୍ରୟାଗରାଜ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୧୮ ତାରିଖରେ ସେମାନେ ସେଠାରେ ପହଞ୍ଚି ଝୁନସୀ ଥାନା ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ରୁମ୍ ନେଇଥିଲେ। ଦିନ ବେଳେ ସେମାନେ ବୁଡ଼ ପକାଇ ଗେଷ୍ଟ ହାଉସକୁ ଫେରିଥିଲେ। ରାତିରେ ମୀନାକ୍ଷୀଙ୍କ ସହିତ ଅଶୋକଙ୍କର ଝଗଡ଼ା ହୋଇଥିଲା। ଝଗଡ଼ା ବେଳେ ମୀନାକ୍ଷୀ ବାଥ୍‌ରୁମ୍ ଯାଇଥିଲେ। ଏହି ସମୟରେ ଅଶୋକ କୁମାର ବାଥ୍‌ରୁମ୍‌କୁ ଯାଇ ଏକ ଛୁରୀରେ ମୀନାକ୍ଷୀଙ୍କ ତଣ୍ଟି କାଟି ଦେଇଥିଲେ। ଏହା ପରେ ସେ ତାଙ୍କର ରକ୍ତଭିଜା ପୋଷାକ ବଦଳାଇ ସେଠାରୁ ଫେରାର ହୋଇଯାଇଥିଲେ।

ଗେଷ୍ଟ ହାଉସ ଛାଡ଼ିବା ପରେ ଅଶୋକ କୁମାର ତାଙ୍କ ଘରକୁ ଫୋନ୍‌ କରିଥିଲେ ଓ ମୀନାକ୍ଷୀ ମହାକୁମ୍ଭ ମେଳା ଭିଡ଼ରେ ହଜି ଯାଇଥିବା ପୁଅମାନଙ୍କୁ କହିଥିଲେ। ସେ ପୂରା ବ୍ୟସ୍ତ ଥିବା ଭଳି ସ୍ୱରରେ ପୁଅମାନଙ୍କ ସହିତ କଥା ହୋଇଥିଲେ। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସେ ମୀନାକ୍ଷୀଙ୍କୁ ପାଉ ନଥିବା କହିଥିଲେ।

Related story