Advertisment

ବିବାହ ବିଚ୍ଛେଦ ହେବା ପରେ କ୍ଷୀରରେ ଗାଧେଇଲେ ଯୁବକ

‘ମୁଁ ଆଜିଠାରୁ ସ୍ୱାଧୀନ’ ବୋଲି କହି ସେ କ୍ଷୀରରେ ଗାଧେଇଥିଲେ।

author-image
Jitendra Garnayak
Milk Bath

Milk Bath

ବିବାହ ବିଚ୍ଛେଦ ହେବା ପରେ ଖୁସିରେ କ୍ଷୀରରେ ଗାଧେଇଛନ୍ତି ଜଣେ ଯୁବକ। ଘଟଣାଟି ଘଟିଛି ଆସାମର ନଳବାଡ଼ି ଜିଲ୍ଲାରେ।

Advertisment

ଏହି ଯୁବକଙ୍କ ନାଁ ମାଣିକ ଅଲୀ। ସେ କ୍ଷୀରରେ ଗାଧୋଉଥିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ତାଙ୍କ ଘର ବାହାରେ ଛିଡ଼ା ହୋଇଛନ୍ତି। ତାଙ୍କ ପାଖରେ କ୍ଷୀର ଭର୍ତ୍ତି ୪ଟି ପ୍ଲାଷ୍ଟିକ୍ ବାଲ୍‌ଟି ରହିଛି। ତା’ପରେ ସେ କ୍ଷୀରରେ ଗାଧୋଉଛନ୍ତି।

ମାଣିକ ପାଖାପାଖି ୪୦ ଲିଟର କ୍ଷୀରରେ ଗାଧେଇଥିଲେ। ସେହି ସମୟରେ ସେଠାରେ ଏକ ଛୋଟ ଭିଡ଼ ଉପସ୍ଥିତ ଥିଲା। କିଛି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଉପସ୍ଥିତ ରହିଥିଲେ। ‘ମୁଁ ଆଜିଠାରୁ ସ୍ୱାଧୀନ’ ବୋଲି କହି ସେ କ୍ଷୀରରେ ଗାଧେଇଥିଲେ।

Advertisment

ଏହି ଭିଡିଓରେ ମାଣିକ କହିଛନ୍ତି, ସେ (ତାଙ୍କ ପତ୍ନୀ) ତା’ ପ୍ରେମିକ ସହିତ ପଳାଇଲା। ମୁଁ ପାରିବାରିକ ଶାନ୍ତି ପାଇଁ ଚୁପ୍ ରହିଲି। ଗତକାଲି ମୋ ଓକିଲ ମୋତେ ଜଣାଇଲେ ଯେ ମୋ ବିବାହ ବିଚ୍ଛେଦ ଚୂଡ଼ାନ୍ତ ହୋଇଯାଇଛି। ତେଣୁ ଆଜି ମୁଁ କ୍ଷୀରରେ ଗାଧୋଇ ମୁକ୍ତ ହେବାର ଖୁସିକୁ ଜାହିର କରୁଛି।

ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାଣିକଙ୍କ ପତ୍ନୀ ତାଙ୍କ ପ୍ରେମିକ ସହିତ ଦୁଇ ଥର ଫେରାର ହୋଇଯାଇଥିଲେ। ସେ ପ୍ରଥମ ଥର ଫେରାର ହେବା ପରେ ମାଣିକ ତାଙ୍କୁ ବୁଝାଇସୁଝାଇ ଘରକୁ ଫେରାଇ ଆଣିଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ପତ୍ନୀ ପୁଣି ଥରେ ତାଙ୍କ ପ୍ରେମିକଙ୍କ ସହିତ ଫେରାର ହୋଇଯାଇଥିଲେ। ଝିଅ ମୁହଁକୁ ଚାହିଁ ମାଣିକ ପୁଣି ପତ୍ନୀଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଥିଲେ। କିନ୍ତୁ ପତ୍ନୀ ମାନି ନଥିଲେ। ଏହା ପରେ ଆଇନ ଅନୁଯାୟୀ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିଲେ ମାଣିକ। ଆଉ ତାହା ମଞ୍ଜୁର ହେବା ପରେ ମାଣିକଙ୍କ ଖୁସିର ସୀମା ନଥିଲା। ସେଥିପାଇଁ ସେ କ୍ଷୀରରେ ଗାଧେଇ ସେଲିବ୍ରେସନ କରିଥିଲେ।