ପ୍ରଶାନ୍ତ ଓ ଦୁର୍ଘଟଣାଗ୍ରସ୍ତ କାର
କ୍ରିକେଟ ମ୍ୟାଚ୍ ହାରିବା କେତେ ଭୟଙ୍କର ହୋଇପାରେ, ତା’ର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। କ୍ରିକେଟ ମ୍ୟାଚ୍ ହାରିବା ପରେ ଆରମ୍ଭ ହୋଇଥିବା ପାଟିତୁଣ୍ଡ ଶେଷରେ ଜଣଙ୍କ ଜୀବନ ନେଇ ଯାଇଛି। ଜଣେ ୨୮ ବର୍ଷୀୟ ଯୁବକ ତାଙ୍କ ସାଙ୍ଗଙ୍କ ଚଳନ୍ତା କାରରେ ଝୁଲିଥିଲେ।
ତଥାପି ମ୍ୟାଚ ହାରିବା ରାଗରେ ଝୁଲିଥିବା ସାଙ୍ଗକୁ କାର ସହ ନେଇ ଗଛରେ ପିଟି ଦେଇଛି ଜଣେ ଯୁବକ। ଏଥିରେ ଯୁବକଙ୍କ ସାଙ୍ଗ ପ୍ରାଣ ହରାଇଥିବା ବେଳେ ଗାଡ଼ି ଚଳାଉଥିବା ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ବେଙ୍ଗାଲୁରୁରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି।
ପୁଲିସ୍ର କହିବା କଥା ଯେ ପୂରା ଘଟଣା ରବିବାର ରାତିରେ ଘଟିଥିଲା। ଗାଡ଼ିରେ ଲାଗିଥିବା ଡାଶକ୍ୟାମେରାରେ ପୂରା ଘଟଣା କଏଦ ହୋଇଛି। ମୃତକ ଜଣଙ୍କ ହେଲେ ୨୮ ବର୍ଷୀୟ ପ୍ରଶାନ୍ତ। ସେ ହେବାଗୋଡ଼ିରେ ରୁହନ୍ତି। ଘଟଣା ପଛ(Murder)ରେ ତାଙ୍କ ସାଙ୍ଗ ୨୭ ବର୍ଷୀୟ ରୋଶନ ହେଗଡେ ରହିଛନ୍ତି।
ସ୍ଥାନୀୟ ଅଞ୍ଚଳରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ହାରିବା ପରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହା କିନ୍ତୁ ପଡ଼ିଆରେ ଶେଷ ହୋଇ ନଥିଲା। ଦୁଇ ଜଣ ମ୍ୟାଚ୍ ହାରିବା ପାଇଁ ପରସ୍ପରକୁ ଦୋଷ ଦେଇଥିଲେ। ସନ୍ଧ୍ୟା ବେଳେ ଉଭୟ ଏକାଠି ମଦ ପିଇବା ପରେ ବିବାଦ ଆହୁରି ବଢ଼ିଥିଲା।
ବିବାଦ ବଢ଼ିବାରୁ ରୋଶନ ନିଜ କାରରେ ସେଠାରେ ଚାଲି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରଶାନ୍ତ ଚଳନ୍ତା ଗାଡ଼ିକୁ ଅଟକାଇବା ପାଇଁ ବାମପଟ ଝରକାକୁ ବଳପୂର୍ବକ ଧରି ରଖିଥିଲେ। ପ୍ରଶାନ୍ତ ଝରକାରେ ଓହଳି ଥିବା ବେଳେ ରୋଶନ ଗାଡ଼ିକୁ ନ ଅଟକାଇ ଦ୍ରୁତଗତିରେ ଏହାକୁ ଆଗକୁ ନେଇ ଚାଲିଥିଲେ। ଶେଷରେ ଗୋଟିଏ ଗଛରେ ଜାଣିଶୁଣି ପ୍ରଶାନ୍ତଙ୍କ ସହ ଗାଡ଼ିକୁ ଧକ୍କା ଦେଇଥିଲେ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ିର ସାମ୍ନା ପଟ ପୂରା ଛିନଛତ୍ର ହୋଇ ଯାଇଛି। ପ୍ରଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲେ ହେଁ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।
ରୋଶନ ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଛି। ପୁଲିସ୍ ଗୋଟିଏ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/27/car-2026-01-27-13-21-11.jpg)