ପାହାଡ଼ି ମୁଲକର ଜଣେ ସରଳ, ନିଷ୍ପପଟ ମଣିଷର କଥାକୁହା ଆଖିରେ ଛନ୍ଦି ହୋଇଗଲା ଜଣେ ବିଦେଶୀ ସୁନ୍ଦରୀଙ୍କ ଆଖି। ରାଜଧାନୀ ଦିଲ୍ଲୀର ଛାତି ଉପରେ ଏହି ଦୁଇ ପ୍ରେମ ପକ୍ଷୀଙ୍କର ହଠାତ୍ ଭେଟ ହେବା ପରେ ସେମାନେ ପରସ୍ପରର ପ୍ରେମରେ ପଡ଼ିଗଲେ। ଆଉ ଏହି ପ୍ରେମ ଏତେ ନିବିଡ଼ ଥିଲା ଯେ, ଦୀର୍ଘ ୪୩ ବର୍ଷ ହେଲାଣି ଉଭୟଙ୍କ ପ୍ରେମରେ ଭଟା ପଡ଼ିନି ।
ଭାରତରେ ପରସ୍ପରକୁ ସାତ ଜନ୍ମର ସାଥୀ କରିବା ପରେ ନିଜ ଦେଶକୁ ଫେରି ଯାଇଥିଲେ ବିଦେଶିନୀ। ହେଲେ ନିଜ ପ୍ରାଣପ୍ରିୟାଙ୍କଠାରୁ ଦୂରରେ ରହି ବିରହ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରେମିକଜଣକ ଏକ ସାଇକେଲରେ ୮ଟି ଦେଶ ଅତିକ୍ରମ କରି ନିଜ ରାଜକୁମାରୀର ମୁଲକରେ ପହଞ୍ଚିଗଲେ। ଆଉ ସେଠାରେ ଗଢ଼ି ତୋଳିଲେ ସୁଖର ସଂସାର। ପ୍ରାୟ ୪୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଯୋଡ଼ି ନିଜ ପ୍ରେମ ରାଇଜରେ ବିଚରଣ କରୁଥିବା ବେଳେ ନିଷ୍କପଟ ଭଲ ପାଇବାର ପାଲଟିଛନ୍ତି ଉଦାହରଣ। ଏପରି ଏକ ଯୋଡ଼ି ହେଉଛନ୍ତି ଭାରତର ପି.କେ ମହାନନ୍ଦିଆ ଓ ସ୍ୱିଡେନର ଚାରଲୋଟ ଭୋନ୍ ସଚେଡଭିନ।
ଅନୁଗୁଳ ଜିଲ୍ଲା କନ୍ଧପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମହାନନ୍ଦିଆ ସ୍କୁଲରେ ପାଠ ପଢ଼ିବାବେଳେ ଭେଦଭାବର ଶିକାର ହୋଇଥିଲେ। ତଥାପି ଶିକ୍ଷାଠାରୁ ଦୂରେଇ ଯାଇନଥିଲେ। ପାଠପଢ଼ା ସହିତ ତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା। ଏହି ଆଗ୍ରହରୁ ସେ ୧୯୭୧ ମସିହାରେ ଦିଲ୍ଲୀରେ ଏକ ଆର୍ଟ କଲେଜରେ ନାମ ଲେଖାଇଥିଲେ।
ପି.କେ ମହାନନ୍ଦିଆଙ୍କ ଚିତ୍ର କଳା ସମ୍ପର୍କରେ ସମ୍ୟକ ସୂଚନା ପାଇଥିଲେ ଚାରଲୋଟ ଭୋନ୍ ସଚେଡଭିନ । ତେଣୁ ମହାନନ୍ଦିଆଙ୍କ ହାତରେ ନିଜର ଏକ ପେଣ୍ଟିଂ ପାଇଁ ସେ ସୁଦୂର ସ୍ୱିଡେନରୁ ଭାରତ ଛୁଟି ଆସିଥିଲେ।
ମହାନନ୍ଦିଆଙ୍କ ହାତରେ ନିଜ ଚିତ୍ର ଆଙ୍କିବା ମଧ୍ୟରେ ତାଙ୍କ ପ୍ରେମରେ ପଡ଼ିଗଲେ ଚାରଲୋଟ । ଏହା ମଧ୍ୟରେ ମହାନନ୍ଦିଆଙ୍କ ସରଳତା ତାଙ୍କ ହୃଦୟକୁ ଛୁଇଁ ଯାଇଥିବା ବେଳେ ମହାନନ୍ଦିଆ ବି ତାଙ୍କ ସୁନ୍ଦରତାର ଦିୱାନା ପାଲଟି ଯାଇଥିଲେ। ଏହାପରେ ଉଭୟ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ।
ଚାରଲୋଟ ନିଜ ଦେଶକୁ ଫେରିବା ପୂର୍ବରୁ ଉଭୟ ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ବିଦେଶିନୀ ଚାରଲୋଟ ଭାରତୀୟ ପରମ୍ପରା, ସଂସ୍କୃତିକୁ ଆପଣାଇ ଶାଢୀ ପିନ୍ଧି ମହାନନ୍ଦିଆଙ୍କ ପରିବାରକୁ ଭେଟିଥିଲେ । ଏହାପରେ ଆଦିବାସୀ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ। ଏହାପରେ ଚାରଲୋଟ ନିଜ ଦେଶକୁ ଫେରି ଯାଇଥିଲେ। ଆଉ ପାଠପଢ଼ା ସାରି ପତ୍ନୀଙ୍କ ପାଖକୁ ଯିବେ ବୋଲି ନିଜ ବିଦେଶୀ ପତ୍ନୀଙ୍କୁ କଥା ଦେଇଥିଲେ ମହାନନ୍ଦିଆ।
ଏହାପରେ ଚିଠି ମାଧ୍ୟରେ ଉଭୟ ପରସ୍ପର ସହ ଭାବ ଦିଆନିଆ କରୁଥିଲେ। ହେଲେ ପତ୍ନୀଙ୍କଠୁ ଦୂରରେ ରହି ବିରହ ଯନ୍ତ୍ରଣାରେ ଛଟପଟ ହେଉଥିବା ମହାନନ୍ଦିଆ ଶେଷରେ ସ୍ୱିଡେନ ଯିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଫ୍ଲାଇଟ ଟିକେଟ କିଣିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବାରେ ସେ ଅସମର୍ଥ ହେଲେ ।
ହେଲେ ପତ୍ନୀଙ୍କ ପ୍ରତି ଥିବା ଭଲ ପାଇବା ପାଇଁ ସେ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ଥିଲେ । ଶେଷରେ ୧୯୭୭ ମସିହାରେ ନିଜ ସବୁ ଜିନିଷ ବିକ୍ରି କରି ଏକ ପୁରୁଣା ସାଇକେଲ କିଣିଥିଲେ। ଦୀର୍ଘ ୫ ମାସ କାଳ ସାଇକେଲ ଚଲାଇ ପାକିସ୍ତାନ, ଆଫଗାନିସ୍ତାନ, ଇରାକ, ତୁର୍କୀ ପରି ୮ଟି ଦେଶ ଅତିକ୍ରମ କରିଥିଲେ। ବାଟରେ ବହୁ ଥର ସାଇକେଲ ଭାଙ୍ଗି ଯାଇଥିଲେ ବି ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି କିନ୍ତୁ ଟଳମଳ ହୋଇ ନ ଥିଲା। ତେଣୁ ଦୀର୍ଘ ଦିନର କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ସେ ସ୍ୱିଡେନରେ ପହଞ୍ଚିଥିଲେ। ଆଉ ସେବେଠୁ ସେଠାରେ ସେ ସ୍ୱିଡେନର ନାଗରିକତ୍ୱ ଗ୍ରହଣ କରି ବସବାସ କରୁଛନ୍ତି।
ଏନେଇ ମହାନନ୍ଦିଆ କହିଛନ୍ତି, ୟୁରୋପ ସମ୍ପର୍କରେ ମୋର କିଛି ଜ୍ଞାନ ନ ଥିବା ବେଳେ ଏହା ମୋ’ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା। କିନ୍ତୁ ପ୍ରତି କ୍ଷେତ୍ରରେ ସେ ମୋ’ ସହ ପାଦ ମିଳାଇ ଚାଲିଛନ୍ତି। ସେ ମୋ‘ ପାଇଁ ସବୁବେଳେ ଖାସ୍। ୪୩ ବର୍ଷ ପୂର୍ବେ ତାଙ୍କୁ ଯେମିତି ପାଗଳ ପରି ଭଲ ପାଉଥିଲି, ଆଜି ବି ଠିକ୍ ସେହିପରି ଭଲ ପାଉଛି।
ଏହି ଦମ୍ପତି ଏବେ ସ୍ୱିଡେନରେ ନିଜ ୨ ପିଲାଙ୍କ ସହ ବେଶ ହସଖୁସିରେ ସମୟ କାଟୁଛନ୍ତି। ସେଠାରେ ମଧ୍ୟ ମହାନନ୍ଦିଆ ଜଣେ ଚିତ୍ରକର ଭାବେ କାମ କରୁଛନ୍ତି। ଏଥିସହ ସେ ସ୍ୱିଡେନ୍ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ମଧ୍ୟ କାମ କରୁଛନ୍ତି।