Kurubara Suresh and his wife
ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେ ପାଖାପାଖି ୧୮ ମାସ ଜେଲ୍ରେ ରହିବା ପରେ ଜାମିନ ପାଇଥିଲେ। ଜାମିନରେ ଥିବା ବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ଜୀବିତ ଅଛନ୍ତି। ଏହା ପ୍ରମାଣିତ ହୋଇଯିବା ପରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ତା’ ସହିତ ତାଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ ବ୍ୟକ୍ତି ଜଣଙ୍କ। ସେ ହାଇକୋର୍ଟରେ ଏକ ଆବେଦନ କରି ତାଙ୍କୁ ୫ କୋଟି ଟଙ୍କାର କ୍ଷତି ପୂରଣ ଦିଆଯାଉ ବୋଲି କହିଛନ୍ତି। ଏହା ସହିତ ତାଙ୍କୁ ଗିରଫ କରି ଜେଲ୍ରେ ପୂରେଇଥିବା ପୁଲିସ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣାଟି ଘଟିଛି କର୍ଣ୍ଣାଟକାରେ।
ଏହି ବ୍ୟକ୍ତିଙ୍କ ନାଁ କୁରୁବାରା ସୁରେଶ। ତାଙ୍କ ଘର କର୍ଣ୍ଣାଟକାର କୋଡାଗୁ ଜିଲ୍ଲା କୁଶଲନଗର ସବ୍-ଡିଭିଜନର ବସବନହଲ୍ଲୀ ଗାଁରେ। ୨୦୨୧ରେ କୁରୁବାରା ସୁରେଶ ଥାନାରେ ଏକ ଏତଲା ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ପତ୍ନୀ ମଲ୍ଲିଗେ ନିଖୋଜ ହୋଇଯାଇଛନ୍ତି। ୨୦୨୨ ମସିହାରେ ନିକଟସ୍ଥ ମହୀଶୂର ଜିଲ୍ଲାର ବେଟ୍ଟାଡାପୁରା ଥାନା ଅଞ୍ଚଳରୁ ଏକ ମଣିଷ କଙ୍କାଳ ଜବତ କରିଥିଲା ପୁଲିସ। କଙ୍କାଳଟି ମଲ୍ଲିଗେଙ୍କର ବୋଲି ପୁଲିସର ସନ୍ଦେହ ହୋଇଥିଲା। ସୁରେଶ ଓ ତାଙ୍କ ଶାଶୁ (ମଲ୍ଲିଗେଙ୍କ ମା’)ଙ୍କୁ ଉକ୍ତ କଙ୍କାଳକୁ ଚିହ୍ନଟ କରି ତାହା ମଲ୍ଲିଗେଙ୍କର ବୋଲି କହିବାକୁ ପୁଲିସ ବାଧ୍ୟ କରିଥିଲା ବୋଲି ଅଭିଯୋଗ ହୋଇଛି। ପୁଲିସ୍ ଡିଏନ୍ଏ ମ୍ୟାଚ୍ ନକରାଇ ତାହା ମଲ୍ଲିଗେଙ୍କ କଙ୍କାଳ ବୋଲି କହି ତାଙ୍କର ହତ୍ୟା ଅଭିଯୋଗରେ କୁରୁବାରା ସୁରେଶଙ୍କୁ ଗିରଫ କରିଥିଲା। ସେ ୧୮ ମାସ ଜେଲରେ ରହିଥିଲେ। କୋର୍ଟ ଡିଏନ୍ଏ ଟେଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଡିଏନ୍ଏ ଟେଷ୍ଟରୁ ଜଣାପଡ଼ିଥିଲା ଯେ ଉକ୍ତ କଙ୍କାଳ ମଲ୍ଲିଗେଙ୍କର ନୁହେଁ। ଏହା ପରେ କୋର୍ଟ କୁରୁବାରା ସୁରେଶଙ୍କୁ ଜାମିନ ପ୍ରଦାନ କରିଥିଲେ ଓ ସେ ଜେଲ୍ରୁ ମୁକୁଳି ଥିଲେ।
୨୦୨୫ ଏପ୍ରିଲ ମାସରେ ଏହି ଘଟଣା ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଥିଲା। କୁରୁବାରା ସୁରେଶଙ୍କ ଜଣେ ବନ୍ଧୁ ତାଙ୍କ ପତ୍ନୀଙ୍କୁ କୋଡାଗୁ ଜିଲ୍ଲାର ମଡିକେରୀ ସହରର ଏକ ହୋଟେଲରେ ଖାଉଥିବାର ଦେଖିଥିଲେ। ସେ ଏ ସଂପର୍କରେ କୁରୁବାରା ସୁରେଶଙ୍କୁ ଜଣାଇଥିଲେ। ତା’ପରେ ଏ ସଂପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ମଲ୍ଲିଗେଙ୍କୁ ନିଜ ହେପାଜତକୁ ନେଇଥିଲା ଓ କୋର୍ଟରେ ହାଜର କରିଥିଲା।
ମଲ୍ଲିଗେ ଜୀବିତ ମିଳିବା ପରେ ପୁଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିଥିଲା। ଅନ୍ୟପକ୍ଷରେ ତଳ କୋର୍ଟ କୁରୁବାରା ସୁରେଶଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ସହିତ ତାଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ କର୍ଣ୍ଣାଟକା ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ କୋର୍ଟ ଏହି ଘଟଣାର ତଦନ୍ତ କରିଥିବା ଇନ୍ସପେକ୍ଟର ପ୍ରକାଶ ବିଜିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତଳକୋର୍ଟଙ୍କ ରାୟରେ ଖୁସି ନଥିଲେ କୁରୁବାରା ସୁରେଶ। ସେଥିପାଇଁ ସେ ହାଇକୋର୍ଟ ଯାଇଛନ୍ତି। ତାଙ୍କୁ କ୍ଷତିପୂରଣ ବାବଦକୁ ୫ କୋଟି ଟଙ୍କା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ତା’ ସହିତ ତାଙ୍କୁ ଗିରଫ କରିଥିବା ପୁଲିସ ଅଧିକାରୀମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲୁ କରିବାକୁ ସେ ଉଚ୍ଚ ନ୍ୟାୟାଳରେ ଆବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ ୫ ଜଣ ପୁଲିସ ଅଫିସରଙ୍କ ନାଁ ଉଲ୍ଲେଖ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୁଲିସ ଇନ୍ସପେକ୍ଟର (ପ୍ରକାଶ ବିଜି), ଜଣେ ଅତିରିକ୍ତ ଏସ୍ପି, ଦୁଇ ଜଣ ସବ୍-ଇନ୍ସପେକ୍ଟର ଓ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଅଛନ୍ତି। ଏହି ପୁଲିସ ଅଧିକାରୀମାନେ ତାଙ୍କ ବିରୋଧରେ ମିଛ ପ୍ରମାଣ ଦେଖାଇଥିବା ସହିତ ସେମାନଙ୍କ ପଦ ଓ କ୍ଷମତାର ଅପବ୍ୟବହାର କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ମାମଲାର ତଦନ୍ତକୁ ଏକ ପ୍ରକ୍ରିୟା ଭିତରେ ଏହି ଅଫିସରମାନେ କରି ନଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ପାଖାପାଖି ଚାରି ବର୍ଷ ଧରି କୁରୁବାରା ସୁରେଶଙ୍କ ପତ୍ନୀ ମଲ୍ଲିଗେ କେଉଁଠି ଥିଲେ, ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ସେହିଭଳି କେଉଁ ପରିସ୍ଥିତିରେ ସେ ଘର ଛାଡ଼ି ପଳାଇଥିଲେ, ତାହା ବି ସ୍ପଷ୍ଟ ହୋଇପାରିନି। ଏହି ଦିଗରେ ପୁଲିସର ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1750950060.jpg)