Advertisment

ଛୁଟି ଦରଖାସ୍ତ ପଠାଇବାର ୧୦ ମିନିଟ୍ ପରେ ଚାଲିଗଲା ଜୀବନ

ସେ ସୁସ୍ଥ ଓ ଫିଟ୍‌ ଥିଲେ। ସେ ବିବାହିତ ଥିଲେ। ତାଙ୍କର ଗୋଟିଏ ଛୁଆ ଅଛି। ସେ କେବେ ମଦ ପିଉ ନଥିଲେ କି ସିଗାରେଟ୍ ଟାଣୁ ନଥିଲେ।

author-image
Jitendra Garnayak
Heart attack

Heart attack

ଶରୀର ଅସୁସ୍ଥ ଥିବାରୁ ନିଜ ଉପର ଅଧିକାରୀ ବା ବସ୍‌ଙ୍କ ପାଖକୁ ଛୁଟି ଦରଖାସ୍ତ ପଠାଇଥିଲେ ଜଣେ ବ୍ୟକ୍ତି। ଆଉ ଛୁଟି ଦରଖାସ୍ତ ପଠାଇବାର ମାତ୍ର ୧୦ ମିନିଟ୍ ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ତାଙ୍କ ବସ୍‌ ଓ ଅଫିସର ଅନ୍ୟ କର୍ମଚାରୀମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ବସ୍‌ ସୋଶାଲ ମିଡିଆରେ ଏହି ଖବରଟିକୁ ଶେଆର କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ଘଟିଛି ଏହି ଘଟଣା। 

Advertisment

ମୃତ ବ୍ୟକ୍ତିଙ୍କ ନାଁ ଶଙ୍କର। ତାଙ୍କୁ ୪୦ ବର୍ଷ ହୋଇଥିଲା। ତାଙ୍କ ବସ୍‌ଙ୍କ ନାଁ କେଭି ଆୟର। ଶ୍ରୀ ଆୟର ଏହି ଘଟଣା ବିଷୟରେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଶଙ୍କର ନାମରେ ମୋର ଜଣେ ସହଯୋଗୀ ସକାଳ ୮ଟା ୩୭ରେ ମୋତେ ଏକ ମେସେଜ ପଠାଇଥିଲେ। ପିଠିରେ ଅସହ୍ୟ ଯନ୍ତ୍ରଣା ହେଉଥିବା ଯୋଗୁ ସେ ଅଫିସ ଆସିପାରିବେ ନାହିଁ ବୋଲି ଲେଖିଥିଲେ। ଏହା ସହିତ ତାଙ୍କ ଛୁଟି ମଞ୍ଜୁର କରିବା ପାଇଁ ଅନୁରୋଧ କରିଥିଲେ। ଏଭଳି ମେସେଜ ଏକ ସାଧାରଣ କଥା। ତେଣୁ ମୁଁ ଠିକ୍ ଅଛି ବୋଲି ଲେଖିଥିଲି। ତା’ସହିତ ବିଶ୍ରାମ ନେବାକୁ ତାଙ୍କୁ ଲେଖିଥିଲି। କିନ୍ତୁ ଦିନଟି ଅସାଧାରଣ ଥିଲା। 

ସେ ଲେଖିଛନ୍ତି, ଦିନ ୧୧ଟା ବେଳେ ମୋ ପାଖକୁ ଆସିଥିବା ଏକ ଫୋନ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ମୋତେ କହିଥିଲେ ଯେ ଶଙ୍କରଙ୍କ ମୃତ୍ୟୁ ହୋଇଯାଇଛି। ପ୍ରଥମେ ମୁଁ ବିଶ୍ୱାସ କଲି ନାହିଁ। ତେଣୁ ମୁଁ ମୋର ଅନ୍ୟ ଜଣେ ସହଯୋଗୀଙ୍କୁ ଫୋନ୍ କଲି ଓ ତାଙ୍କ (ଶଙ୍କରଙ୍କ) ଠିକଣା ଯୋଗାଡ଼ କଲି। ଯେତେବେଳେ ମୁଁ ତାଙ୍କ ଘରେ ପହଞ୍ଚିଲି, ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। 

Advertisment

କେଭି ଆୟର ଲେଖିଛନ୍ତି, ସେ ୬ ବର୍ଷ ହେଲା ମୋ ଟିମ୍‌ରେ ଥିଲେ। ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା। ସେ ସୁସ୍ଥ ଓ ଫିଟ୍‌ ଥିଲେ। ସେ ବିବାହିତ ଥିଲେ। ତାଙ୍କର ଗୋଟିଏ ଛୁଆ ଅଛି। ସେ କେବେ ମଦ ପିଉ ନଥିଲେ କି ସିଗାରେଟ୍ ଟାଣୁ ନଥିଲେ। ତାଙ୍କର ହୃଦଘାତ ହୋଇଥିଲା। ବିଶ୍ୱାସ କରି ହେଉ ନାହିଁ ଯେ ସେ ସକାଳ ୮ଟା ୩୭ ମିନିଟ୍‌ରେ ଛୁଟି ଦରଖାସ୍ତ ପଠାଇଲେ ଓ ୮ଟା ୪୭ ମିନିଟ୍‌ରେ ତାଙ୍କର ମୃତ୍ୟୁ ହୋଇଗଲା। ଶେଷ ନିଃଶ୍ୱାସ ତ୍ୟାଗ କରିବାରୁ ମାତ୍ର ୧୦ ମିନିଟ୍ ପୂର୍ବରୁ ପୂରା ସଚେତନ ଅବସ୍ଥାରେ ସେ ଛୁଟି ଦରଖାସ୍ତ ପଠାଇଥିଲେ। ଏହି ଘଟଣାରେ ମୁଁ ପୂରା ଆଶ୍ଚର୍ଯ୍ୟ। 

ସେ ଆହୁରି ଲେଖିଛନ୍ତି, ଜୀବନର କିଛି ଭରସା ନାହିଁ। ଆପଣଙ୍କ ସହିତ ରହୁଥିବା ଲୋକଙ୍କ ପ୍ରତି ସଦୟ ହୁଅନ୍ତୁ ଓ ଖୁସିରେ ରହୁନ୍ତୁ। କାରଣ ଆପଣ ଜାଣି ନାହାନ୍ତି ପରବର୍ତ୍ତୀ ମିନିଟ୍‌ରେ କ’ଣ ଘଟିବ। 

Sudden Heart Attack