Advertisment

ଗୋଟିଏ ରାଜ୍ୟରୁ ଯାଇ ଆଉ ଗୋଟିଏ ରାଜ୍ୟରେ ପତ୍ନୀଙ୍କୁ ମାରିଲେ, ଘରକୁ ଫେରି ନିଜେ ଆତ୍ମହତ୍ୟା କଲେ

ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ହତ୍ୟା କରିଛନ୍ତି ସ୍ୱାମୀ। ପତ୍ନୀଙ୍କୁ ମାରିବା ପାଇଁ ସେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାଇଥିଲେ।

author-image
Hemant Lenka
Kerala

Kerala

ସନ୍ଦେହ ସବୁ ସମ୍ପର୍କକୁ ଖିନଭିନ କରିଦିଏ। ସନ୍ଦେହ ଆଗରେ ସବୁ କିଛି ତୁଚ୍ଛ। ସନ୍ଦେହ ଯୋଗୁ ଉଜୁଡ଼ି ଯାଏ ସୁନାର ସଂସାର। ସନ୍ଦେହ ସବୁଠାରୁ ମାରାତ୍ମକ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ହତ୍ୟା କରିଛନ୍ତି ସ୍ୱାମୀ। ପତ୍ନୀଙ୍କୁ ମାରିବା ପାଇଁ ସେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାଇଥିଲେ। ପତ୍ନୀଙ୍କୁ ଗୁଳି କରି ମାରିବା ପରେ ଘରକୁ ଫେରିଥିଲେ ଓ ବାପାଙ୍କ ସାମ୍ନାରେ ନିଜ ମଧ୍ୟ ଜୀବନ ହାରିଥିଲେ।

Advertisment

କେରଳରେ ରହୁଥିବା ୫୨ ବର୍ଷୀୟ କ୍ରିଷ୍ଣ କୁମାର ରାଓ ଦୀର୍ଘ ୮୩ କିମି ବାଟ ଯାତ୍ରା କରି ପତ୍ନୀ ସଙ୍ଗୀତା ରହୁଥିବା ତାମିଲନାଡୁର କୋଏମ୍ବାଟୁରରେ ପହଞ୍ଚିଥିଲେ। ସେଠାରେ ପତ୍ନୀ ତାଙ୍କ ଦୁଇ ଝିଅ ଅମୀଶା ଓ ଅକସରାଙ୍କ ସହ ରୁହନ୍ତି। କ୍ରିଷ୍ଣ କୁମାର ଦୁଇ ଝିଅଙ୍କ ସହ କିଛି ସମୟ ବିତାଇବା ପରେ ସେମାନେ ସ୍କୁଲ ଚାଲି ଯାଇଥିଲେ। ଏହାପରେ ସଙ୍ଗୀତାଙ୍କ ସହ ସେ କଥା ହୋଇଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ।

ଏଥିରେ ରାଗି ଯାଇ ୫୨ ବର୍ଷୀୟ କ୍ରିଷ୍ଣା କୁମାର ନିଜ ପାଖରେ ରଖିଥିବା ଦେଶୀ ବନ୍ଧୁକ ବାହାର କରିଥିଲେ। କେହି କିଛି ବୁଝିବା ଆଗରୁ ସେ ଏକାଧିକ ରାଉଣ୍ଡ ଗୁଳି ସଙ୍ଗୀତାଙ୍କ ଉପରକୁ ଚଳାଇଥିଲେ। ଘଟଣା ସ୍ଥଳରେ ହିଁ ସଙ୍ଗୀତା ଟଳି ପଡ଼ିଥିଲେ।

Advertisment

ସଙ୍ଗୀତା ଗୋଟିଏ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାନ୍ତି। ପତ୍ନୀଙ୍କୁ ମାରିବା ପରେ କ୍ରିଷ୍ଣା କୁମାର ସିଧା କାର ଧରି କେରଳରେ ଥିବା ନିଜ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ସେ ନିଜ ବାପାଙ୍କ ସାମ୍ନାରେ ନିଜକୁ ମଧ୍ୟ ଗୁଳି କରି ଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। 

କ୍ରିଷ୍ଣ କୁମାର ମାଲେସିୟାରେ କାମ କରୁଥିଲେ। ଭାରତକୁ ଫେରିବା ପରେ ସେ କୋଏମ୍ବାଟୁରରେ ରହିବା ଆରମ୍ଭ କରିଥିଲେ। କିନ୍ତୁ ବିଗତ ୨ ବର୍ଷ ହେଲାଣି କ୍ରିଷ୍ଣ କୁମାର ଓ ସଙ୍ଗୀତାଙ୍କ ମଧ୍ୟରେ ସବୁ କିଛି ଠିକଠାକ ଚାଲି ନଥିଲା। ସଙ୍ଗୀତା ପରକୀୟା ପ୍ରୀତିରେ ମାତି ଥିବା କ୍ରିଷ୍ଣ କୁମାର ସନ୍ଦେହ କରୁଥିଲେ। ଏଥିପାଇଁ ସେ କୋଏମ୍ବାଟୁରରେ ପତ୍ନୀ ଓ ୨ ଝିଅଙ୍କୁ ଛାଡ଼ି କେରଳ ସ୍ଥିତ ଘରକୁ ଚାଲି ଆସିଥିଲେ।

କିନ୍ତୁ ପ୍ରାୟତଃ ସେ ଦୁଇ ଝିଅଙ୍କୁ ଦେଖା କରିବାକୁ କୋଏମ୍ବାଟୁର ଯାଆନ୍ତି। ସେହିପରି ସଙ୍ଗୀତା ଓ କ୍ରିଷ୍ଣ କୁମାର ଆଇନଗତ ଉପାୟରେ ଅଲଗା ହେବାକୁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏସବୁ ଭିତରେ କ୍ରିଷ୍ଣ କୁମାର ୮୩ କିମି ବାଟ ଅତିକ୍ରମ ପରି କୋଏମ୍ବାଟୁରରେ ପହଞ୍ଚି ପତ୍ନୀଙ୍କୁ ହତ୍ୟା କରିଛନ୍ତି। ପୁଲିସ୍‌ ଏବେ ହତ୍ୟା ଓ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି।

Tamilnadu Kerala