ପୁଅ ହତ୍ୟାର ପ୍ରତିଶୋଧ ପାଇଁ ଅଭିଯୁକ୍ତକୁ ଜାମିନରେ ଆଣିଲେ, ପରେ ଗୁଳି କରି ମାରିଦେଲେ

ପୁଲିସ୍‌ କହିଛି ଯେ ୨୦୨୧ ମସିହାରେ କାଶୀଙ୍କ ପତ୍ନୀ ତାଙ୍କ ନିଜ ପୁଅ ଜିତେନ୍ଦ୍ରଙ୍କୁ ଲାଲାଙ୍କ ସହାୟତାରେ ହତ୍ୟା କରିଥିଲେ। ଲାଲା ଓ କାଶୀଙ୍କ ପତ୍ନୀ ଯୌନକ୍ରୀଡ଼ା କରୁଥିବା ବେଳେ ଜିତେନ୍ଦ୍ର ଏହାକୁ ଦେଖି ଦେଇଥିଲେ।

representational image

  • Published: Monday, 08 May 2023
  • , Updated: 08 May 2023, 03:47 PM IST

ପୁଅ ହତ୍ୟାର ପ୍ରତିଶୋଧ ନେଇଛନ୍ତି ଜଣେ ୫୦ ବର୍ଷୀୟ ଚାଷୀ। ୧୪ ବର୍ଷୀୟ ପୁଅକୁ ଚାଷୀଙ୍କ ପତ୍ନୀ ଓ ଜଣେ ସମ୍ପର୍କୀୟ ହତ୍ୟା କରିଥିଲେ। ଏବେ ଚାଷୀ ଜଣଙ୍କ ପୁଅ ହତ୍ୟାର ପ୍ରତିଶୋଧ ପାଇଁ ପ୍ରଥମେ ସମ୍ପର୍କୀୟଙ୍କୁ ଜାମିନରେ ଜେଲରୁ ବାହାର କରିଥିଲେ। ଏହାପରେ ୩ ରାଉଣ୍ଡ ଗୁଳି ତାଙ୍କ ମୁଣ୍ଡକୁ ମାରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି।

ଉତ୍ତର ପ୍ରଦେଶର ଖେର ଜିଲ୍ଲା ଅନ୍ତର୍ଗତ ମିତାଉଲି ଅଞ୍ଚଳରେ ଏପରି ଘଟଣା ଘଟିଛି। ଗୁଳିମାଡ଼ରେ ଚାଷୀଙ୍କ ସମ୍ପର୍କୀୟ ଶତ୍ରୁଧନ ଲାଲା ପ୍ରାଣ ହରାଇଛନ୍ତି। ଲାଲଙ୍କୁ ତାଙ୍କ ପୁଅଙ୍କ ଶ୍ୱଶୁର କାଶୀ କଶ୍ୟପ ହତ୍ୟା କରିଛନ୍ତି।

ପୁଲିସ୍‌ କହିଛି ଯେ ୨୦୨୧ ମସିହାରେ କାଶୀଙ୍କ ପତ୍ନୀ ତାଙ୍କ ନିଜ ପୁଅ ଜିତେନ୍ଦ୍ରଙ୍କୁ ଲାଲାଙ୍କ ସହାୟତାରେ ହତ୍ୟା କରିଥିଲେ। ଲାଲା ଓ କାଶୀଙ୍କ ପତ୍ନୀ ଯୌନକ୍ରୀଡ଼ା କରୁଥିବା ବେଳେ ଜିତେନ୍ଦ୍ର ଏହାକୁ ଦେଖି ଦେଇଥିଲେ। ଏହି ସମୟରେ କାଶୀ ଆଉ ଗୋଟିଏ ମାମଲାରେ ଜେଲରେ ଥିଲେ। ଲାଲା ଓ କାଶୀଙ୍କ ପତ୍ନୀଙ୍କ ଭିତରେ ଥିବା ଅନୈତିକ ସମ୍ପର୍କ ବିଷୟରେ କାଳେ ଜିତେନ୍ଦ୍ର କାହାକୁ କହିଦେବେ, ସେହି ଭୟରେ ସେମାନେ ତାଙ୍କୁ ହତ୍ୟା କରିଥିଲେ।

ପୁଲିସ୍‌ ଏହି ଘଟଣାରେ କାଶୀଙ୍କ ପତ୍ନୀ ଓ ଲାଲାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା। କିନ୍ତୁ କାଶୀ ସବୁବେଳେ ପୁଅ ହତ୍ୟାର ପ୍ରତିଶୋଧ ନିଜେ ନେବାକୁ ଚାହୁଁଥିଲେ। କାଶୀ ୨୦୨୨ ଡିସେମ୍ବର ମାସରେ ଜେଲରୁ ବାହାରି ଥିଲେ। ଏହାପରେ ସେ ଲାଲାଙ୍କୁ ଜେଲରୁ ମୁକୁଳାଇବା ପାଇଁ ଚାହିଁଥିଲେ।

ସେ ନିଜେ ଜଣେ ଓକିଲଙ୍କୁ ଟଙ୍କା ଦେବା ସହ ଲାଲାଙ୍କୁ ଜାମିନରେ ବାହାର କରିଥିଲେ। ଲାଲା ଏପ୍ରିଲ ମାସରେ ଜେଲରୁ ବାହାରିବା ପରେ ତାଙ୍କୁ ହତ୍ୟା କରିବା ପାଇଁ କାଶୀ ସୁଯୋଗ ଅପେକ୍ଷାରେ ରହିଥିଲେ। ଶେଷରେ ଶୁକ୍ରବାର ସନ୍ଧ୍ୟାରେ ଲାଲା ଚାଷ ଜମିରୁ ଘରକୁ ଫେରୁଥିବା ବେଳେ କାଶୀ ବନ୍ଧୁକ ନେଇ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ। ଏହାପରେ ତାଙ୍କ ମୁଣ୍ଡକୁ ୩ଟି ଗୁଳି ମାଡ଼ କରିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲେ। କାଶୀ ଏହି ହତ୍ୟାକାଣ୍ଡ ଘଟାଇଥିବା ପ୍ରମାଣ ରହିଛି ବୋଲି ପୁଲିସ୍‌ କହିଛି।

୨୦୨୦ରେ କାଶୀ ଗୋଟିଏ ହତ୍ୟା ମାମଲାରେ ଜେଲ ଯାଇଥିଲେ। ଜେଲ ଯିବା ପୂର୍ବରୁ ସେ ତାଙ୍କ ପତ୍ନୀ ଓ ପୁଅ ଜିତେନ୍ଦ୍ରଙ୍କୁ ଝିଅର ଶାଶୁ ଘରେ ଛାଡ଼ି ଦେଇଥିଲେ। ୨୦୨୧ରେ ଖବର ମିଳିଥିଲା ଯେ ଜିତେନ୍ଦ୍ର ନିଖୋଜ ହୋଇଯାଇଛି। କିଛି ଦିନ ପରେ ଗୋଟିଏ ନଦୀ କୂଳରୁ ତାଙ୍କ ମୃତଦେହ ମିଳିଥିଲା। ପାଣି ବୁଡ଼ି ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପ୍ରଥମେ ପୁଲିସ ସନ୍ଦେହ କରି କୌଣସି ମାମଲା କରି ନଥିଲା।

ତେବେ କିଛି ଦିନ ପରେ ଲାଲା ଓ କାଶୀଙ୍କ ପତ୍ନୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏଥିପାଇଁ କାଶୀଙ୍କ ପତ୍ନୀ କୋର୍ଟ ଯିବା ସହ ଜିତେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଦାବି କରି ଏଫଆଇଆର ରୁଜୁ କରିବାକୁ ଦାବି କରିଥିଲେ। ପୁଲିସ୍‌ ଏହାପରେ ତଦନ୍ତ କରି ଉଭୟ ହତ୍ୟା ଘଟଣାରେ ସାମିଲ ଥିବା ଜାଣିବାକୁ ପାଇଥିଲା।

Related story