Advertisment

ବାହା ହେବା ନିଶାରେ ଭାରତରୁ ପାକିସ୍ତାନ ପଳାଇଲେ, କିନ୍ତୁ...

ଯେଉଁ ଅନାଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।

author-image
Hemant Lenka
Man Enters Pakistan

Man Enters Pakistan

ଅନଲାଇନରେ ବନ୍ଧୁତା। ଧୀରେଧୀରେ ବନ୍ଧୁଙ୍କୁ ବାହା ହେବାକୁ ମନେ ବଳାଇଲେ। ଶେଷରେ ବେଆଇନ ଭାବେ ଭାରତରୁ ସୀମା ଡେଇଁ ସିଧା ପାକିସ୍ତାନରେ ପହଞ୍ଚିଗଲେ। ହେଲେ ସୀମା ଡେଇଁବା ତାଙ୍କୁ ମହଙ୍ଗା ପଡ଼ିଛି। ଭାରତର ୩୦ ବର୍ଷୀୟ ଯୁବକଙ୍କୁ ବାହାଘର ନିଶା ପାକିସ୍ତାନରେ ଜେଲରେ ପୂରାଇ ଦେଇଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ଅନାଲାଇନ ବନ୍ଧୁଙ୍କୁ ବାହା ହେବାକୁ ଯୁବକ ଜଣଙ୍କ ଏତେ ରିସ୍କ ନେଇଥିଲେ, ସେ ନିଜେ ହିଁ ତାଙ୍କ ବାହାଘର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।

Advertisment

ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର ୩୦ ବର୍ଷୀୟ ବାଦଲ ବାବୁଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ମଣ୍ଡି ବାହାଉଦ୍ଦିନ ଜିଲ୍ଲା ପୁଲିସ୍‌ ଗିରଫ କରିଛି। ସେ ବେଆଇନ ଭାବେ ସୀମା ଅତିକ୍ରମ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ବାବୁ ସୀମା ଡେଇଁ ତାଙ୍କର ଜଣେ ଅନଲାଇନ ବନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଗିରଫ ପରେ ବାବୁ ପାକିସ୍ତାନ ପୁଲିସ୍‌କୁ ସବୁ କହିଥିଲେ।

ଏହାପରେ ବାବୁଙ୍କ ଫେସବୁକ ବନ୍ଧୁ ୨୧ ବର୍ଷୀୟ ସାନା ରାଣୀଙ୍କୁ ପୁଲିସ୍‌ ଡାକିଥିଲା। ହେଲେ ସେ ବାବୁଙ୍କୁ ବାହା ହେବାକୁ ଚାହୁଁ ନଥିବା ପୁଲିସ୍‌ ଆଗରେ ସ୍ପଷ୍ଟ କରିଛନ୍ତି। ପୁଲିସ୍‌ ମଧ୍ୟ ସାନାଙ୍କ ବୟାନକୁ ରେକର୍ଡ କରିଛି।

Advertisment

ପଞ୍ଜାବ ପୁଲିସ୍‌ ଅଫିସର ନାସିର ଶାହ କହିଛନ୍ତି, “ପୁଲିସ୍‌କୁ ଦେଇଥିବା ବୟାନରେ ସାନା ରାଣୀ ସ୍ପଷ୍ଟ କରିଛନ୍ତି ଯେ ଫେସବୁକରେ ବାବୁଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଉଭୟ ପରସ୍ପରକୁ ଅଢ଼େଇ ବର୍ଷରୁ ଅଧିକ ସମୟ ହେଲା ଜାଣିଥିଲେ। କିନ୍ତୁ ତାଙ୍କୁ ବାହା ହେବା ପାଇଁ ସାନାଙ୍କର କୌଣସି ପ୍ରକାରର ଆଗ୍ରହ ନାହିଁ। ବାବୁ ବାହା ହେବା ଆଶାରେ ବେଆଇନ ଭାବେ ସୀମା ଅତିକ୍ରମ କରିଥିଲେ। ଏହାପରେ ସେ ସାନାଙ୍କ ମୌଙ୍ଗ ଗାଁରେ ପହଞ୍ଚି ଯାଇଥିଲେ। ସେଠାରୁ ପୁଲିସ୍‌ ତାଙ୍କୁ ଗିରଫ କରିଛି।”

ବାବୁଙ୍କ ସହ ସାନାଙ୍କ ଦେଖା ହୋଇଛି ବୋଲି ପ୍ରଶ୍ନରେ ଶାହ କିଛି ନିଶ୍ଚିତ କରି ନାହାନ୍ତି। ସେହିପରି କୌଣସି ଚାପରେ ସାନା ପୁଲିସ୍‌ ଅଗରେ ବାବୁଙ୍କୁ ମନା କରିଛନ୍ତି କି ବୋଲି ପ୍ରଶ୍ନର ଉତ୍ତର ବି ମିଳିନି।

ତଥାପି ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଗୋଟିଏ ଗୁଇନ୍ଦା ବିଭାଗ ସାନା ଓ ତାଙ୍କ ପରିବାର ସଦସ୍ୟଙ୍କୁ ବାବୁଙ୍କ ସହ ଥିବା ସମ୍ପର୍କକୁ ନେଇ ଜେରା କରିଛି। ବାବୁ ଗିରଫ ହେବା ପରେ ତାଙ୍କ ପ୍ରେମ କାହାଣୀ ପୁଲିସ୍‌କୁ କହିଥିଲେ। ହେଲେ ବେଆଇନ ଭାବେ ସେ ପାକିସ୍ତାନରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜାନୁଆରୀ ୧୦ ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି।

Love Love Birds Uttar Pradesh Love Story Police