Advertisment

ଭିଡିଓ ଲାଇକ୍‌ କଲେ ମିଳିବ ଟଙ୍କା! ୯ ହଜାର ପାଇଲେ, ୧୨.୨୪ ଲକ୍ଷ ହରାଇଲେ

ସାଇବର ଠକମାନେ ଭିଡିଓ ଲାଇକ୍‌ କଲେ ଟଙ୍କା ମିଳିବାର ଲୋଭ ଦେଖାଇ ଜାନୁଆରୀ ୧୪ ଓ ୧୫ ତାରିଖରେ ମୋଟ ୧୨.୨୪ ଲକ୍ଷ ଟଙ୍କା ଲୁଟ କରିଛନ୍ତି।

author-image
Hemant Lenka
cyber fraud

cyber fraud

ପୁଣେ: ନୂଆଧରଣର ଠକାମୀର ଶିକାର ହୋଇଛନ୍ତି ପୁଣେର ହିଞ୍ଜେୱାଡିରେ ରହୁଥିବା ଜଣେ ୪୩ ବର୍ଷୀୟ ବ୍ୟକ୍ତି। ତାଙ୍କୁ ସାଇବର ଠକମାନେ ଭିଡିଓ ଲାଇକ୍‌ କଲେ ଟଙ୍କା ମିଳିବାର ଲୋଭ ଦେଖାଇ ଜାନୁଆରୀ ୧୪ ଓ ୧୫ ତାରିଖରେ ମୋଟ ୧୨.୨୪ ଲକ୍ଷ ଟଙ୍କା ଲୁଟ କରିଛନ୍ତି। ସାଇବର ଲୁଟେରାମାନେ ପ୍ରଥମେ ବ୍ୟକ୍ତିଙ୍କ ବିଶ୍ୱାସ ଜିତିବା ପାଇଁ କିଛି ଟଙ୍କା ପଠାଇଥିଲେ। ଏହାପରେ ଅଧିକ ଟଙ୍କା ପାଇଁ ନିବେଶ କରିବାକୁ ଉସକାଇଥିଲେ। ଅଧିକ ଆୟ ଲୋଭରେ ଏବେ ବ୍ୟକ୍ତି ଜଣଙ୍କ ଲକ୍ଷାଧିକ ଟଙ୍କା ହରାଇ ପୁଲିସରେ ଅଭିଯୋଗ କରିଛନ୍ତି।

Advertisment

ପୁଲିସ୍‌ କହିଛି ଯେ ଅଭିଯୋଗକାରୀ ହିଞ୍ଜେୱାଡିରେ ରହିବା ସହ ଗୋଟିଏ ଘରୋଇ କମ୍ପାନୀରେ କାମ କରନ୍ତି। ଗତ ଶନିବାର ‌ଅଭିଯୋଗକାରୀଙ୍କ ମୋବାଇଲକୁ ଗୋଟିଏ ଟେକ୍ସଟ ମେସେଜରେ ଲିଙ୍କ ଆସିଥିଲା। ଏହି ଲିଙ୍କରେ ଥିବା ଭିଡିଓକୁ କ୍ଲକି କରି ଲାଇକ୍ ପିଛା ୫୦ ଟଙ୍କା ପାଆନ୍ତୁ ବୋଲି ଲେଖାଯାଇଥିଲା।

ଏଥିସହ ଟଙ୍କା ଗ୍ରହଣ କରିବାକୁ ବ୍ୟାଙ୍କ ତଥ୍ୟ ଦେବାକୁ ଲୁଟେରାମାନେ କହିଥିଲେ। ଟଙ୍କା ପାଇବା ଲୋଭରେ ବ୍ୟକ୍ତି ଜଣଙ୍କ ଲିଙ୍କରେ କ୍ଲିକ କରି ନିଜର ପଞ୍ଜୀକରଣ କରିଥିଲେ। ତାଙ୍କ ପାଖକୁ ପ୍ରଥମେ ୩ଟି କ୍ଲିପ ଆସିଥିଲା। ସେ ଏହାକୁ ଲାଇକ କରିବା ପରେ ସାଇବର ଠକମାନେ ତାଙ୍କ ଆକାଉଣ୍ଟକୁ କିଛି ଟଙ୍କା ଟ୍ରାନ୍ସଫର କରିଥିଲେ।

Advertisment

ଅନ୍ୟ ୧୪ଟି କ୍ଲିପକୁ ଲାଇକ କରି ମଧ୍ୟ ସେ ଟଙ୍କା ପାଇଛନ୍ତି। ଠକମାନେ ଟଙ୍କା ପଠାଇବା ପରେ ତାଙ୍କୁ ନିବେଶ ଯୋଜନା ସମ୍ପର୍କରେ ବୁଝାଇଥିଲେ। ଏହି ଯୋଜନାରେ ଅଧିକ ସଂଖ୍ୟକ ଭିଡିଓକୁ ଲାଇକ କଲେ ବୋନସ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବ୍ୟକ୍ତି ଜଣଙ୍କ ପ୍ରାଥମିକ ଅବସ୍ଥାରେ ୧ ହଜାର ଟଙ୍କା ନିବେଶ କରିଥିଲେ ଓ ୯ ହଜାର ଟଙ୍କା ପାଇଥିଲେ।

ଏହାପରେ ସେ ଭାବିଥିଲେ ଯେ ଅଧିକ ନିବେଶ କଲେ, ଅଧିକ ଟଙ୍କା ମିଳିବ। ଏଥିପାଇଁ ସେ ଜାନୁଆରୀ ୧୫ ତାରିଖ ସକାଳୁ ସେ ୨ଟି ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୧୨.୨୪ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ। ତେବେ ଏତେ ପରିମାଣର ଟଙ୍କା ନିବେଶ କରିଥିଲେ ମଧ୍ୟ ତାଙ୍କୁ ୧୬ ତାରିଖ ମଧ୍ୟାହ୍ନ ଯାଏ କୌଣସି ପ୍ରକାରର ମେସେଜ କିମ୍ବା ବୋନସ ବାବଦ ଟଙ୍କା ଆସି ନଥିଲା।

ଏହାପରେ ସେ ଲିଙ୍କ ପଠାଇଥିବା ସାଇବର ଠକମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ କୌଣସି ପ୍ରକାରର ଉତ୍ତର ଦେଇ ନଥିଲେ। ସେହିପରି ସମସ୍ତ ଲିଙ୍କକୁ ମଧ୍ୟ ଡିଲିଟ କରିଦେଇଥିଲେ। ଶେଷରେ ବ୍ୟକ୍ତି ଜଣଙ୍କ ଠକାମୀର ଶିକାର ହୋଇଥିବା ଜାଣିପାରି ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ୪୨୦ ଓ ୪୦୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ଅଭିଯୁକ୍ତଙ୍କ ବ୍ୟାଙ୍କ ତଥ୍ୟ ମଧ୍ୟ ପୁଲିସ୍‌ ମାଗିଛି।

Cyber Fraud