/odisha-reporter/media/media_files/2026/03/07/shafi-2026-03-07-14-04-16.jpg)
ହତ୍ୟା ପରେ ପତ୍ନୀଙ୍କୁ ଲଜରେ ଭେଟିଥିଲା
ବନ୍ଧୁ ସାଜିଲା ବୈରୀ। ବନ୍ଧୁଙ୍କ ପିଠିରେ ପଛରୁ ମାରିଲା ଛୁରୀ। ସାମାନ୍ୟ ଟଙ୍କା ପାଇଁ ଜଣେ ଯୁବକ ନିଜ ବନ୍ଧୁଙ୍କ ଜୀବନ ନେବାକୁ ମଧ୍ୟ ପଛାଇ ନାହିଁ। କେବଳ ବନ୍ଧୁଙ୍କୁ ହତ୍ୟା(Murder) କରିନାହିଁ, ବରଂ ତାଙ୍କ ପାଖରେ ଥିବା ୨.୫ ଲକ୍ଷ ଟଙ୍କା ମଧ୍ୟ ଚୋରି କରିନେଲା। ଚୋରି ଟଙ୍କାରେ ସେ ପୂର୍ବତନ ପତ୍ନୀଙ୍କୁ ଉପହାର ମଧ୍ୟ ଦେଇଛି। କର୍ଣ୍ଣାଟକାରୁ ଏପରି ଘଟଣା ସାମ୍ନାକୁ ଆସିଛି।
ପୁଲିସ୍ ଏହି ଘଟଣାରେ ଚିକ୍କାମାଗାଲୁରୁ ଜିଲ୍ଲାର ବିରୁରରେ ରହୁଥିବା ଶାଫି ନାମକ ଯୁବକକୁ ଗିରଫ କରିଛି। ସେ ଟଙ୍କା ପାଇଁ ନିଜର ବନ୍ଧୁ ପୁଟ୍ଟାରାଜୁଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ପୁଲିସ୍ର କହିବା କଥା ଯେ ପୂରା ଘଟଣା ଫେବୃଆରୀ ୧୯ରେ ଘଟିଥିଲା। ଘଟଣା ଦିନ ଶାଫି ବନ୍ଧୁ ପୁଟ୍ଟାରାଜୁଙ୍କୁ ଗୋଟିଏ କମ୍ପାନୀ ପକ୍ଷରୁ ଆୟୋଜିତ ସୁନା ନିଲାମୀରେ ସାମିଲ ହେବା ନାଁରେ ଡାକିଥିଲା।
ତା’କୁ ବିଶ୍ୱାସ କରି ଦିନ ପ୍ରାୟ ୧୧ଟା ବେଳେ ପୁଟ୍ଟାରାଜୁ ୨.୫ ଲକ୍ଷ ଟଙ୍କା ଧରି ଘରୁ ବାହାରି ଯାଇଥିଲା। ଏହାପରେ ଶାଫି କୌଶଳକ୍ରମେ ପୁଟ୍ଟାରାଜୁଙ୍କୁ ଗୋଟିଏ ବାଇକରେ ହୋନ୍ନାଭାଲ୍ଲି ସ୍ଥିତ ଜଙ୍ଗଲିଆ ଅଞ୍ଚଳକୁ ନେଇ ଯାଇଥିଲା। ସେଠାରେ ଗୋଟିଏ ଧାରୁଆ ଅସ୍ତ୍ରରେ ପୁଟ୍ଟାରାଜୁଙ୍କୁ ଆକ୍ରମଣ କରିବା ସହ ହତ୍ୟା କରି ଦେଇଥିଲା। ସେଠାରୁ ୨.୫ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଥିଲା।
ଫେବୃଆରୀ ୨୦ ତାରିଖ ସକାଳୁ ଜଣେ କ୍ଷୀର ବ୍ୟବସାୟୀ ସେହି ବାଟେ ଯାଉଥିବା ବେଳେ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍ ମୃତକ ଜଣଙ୍କ ପୁଟ୍ଟାରାଜୁ ବୋଲି ଜାଣିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଶାଫି ପାଖରେ ପହଞ୍ଚିଥିଲା ପୁଲିସ।
ଶାଫିକୁ ଧରିବା ପରେ ପୁଲିସ୍ ପୂରା ଘଟଣା ଉପରୁ ପରଦା ଉଠାଇଛି। ପୁଲିସ୍ ଜାଣିବାକୁ ପାଇଛି ଯେ ହତ୍ୟା ପରେ ଶାଫି ନିଜର ପୂର୍ବତନ ପତ୍ନୀଙ୍କୁ ଗୋଟିଏ ଲଜରେ ଭେଟିଥିଲା। ସେଠାରେ ତାଙ୍କୁ ୬୦ ହଜାର ଟଙ୍କା ଦେଇଥିଲା ଓ ତାଙ୍କୁ ଉପହାର ସ୍ୱରୂପ ଗୋଟିଏ ଟିଭି ମଧ୍ୟ ଦେଇଥିଲା।
ସେହିପରି କିଛି ଟଙ୍କା ମଧ୍ୟ ସେ ଖର୍ଚ୍ଚ କରିଥିଲା। ଏକଥା ଜଣାପଡ଼ିବା ପରେ ପୁଲିସ ତା’କୁ ଗିରଫ କରିଛି। ଶାଫି ଓ ପୁଟ୍ଟାରାଜୁଙ୍କ ମଧ୍ୟରେ ୭ ବର୍ଷର ବନ୍ଧୁତା ରହିଥିଲା। ହେଲେ ଟଙ୍କା ପାଇଁ ସେ ବନ୍ଧୁଙ୍କ ଜୀବନ ନେଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
