Advertisment

ଲିଭ୍‌ ଇନ୍‌ ପାର୍ଟନଙ୍କୁ ହତ୍ୟା କରି ଫ୍ରିଜ୍‌ ରଖିଲେ, ତା’ପରେ ଆଉ ଜଣଙ୍କୁ ବାହା ହେଲେ

ସାହିଲ ୨୦୧୮ରୁ ନିକ୍କିଙ୍କୁ ପ୍ରେମ କରୁଥିଲେ ମଧ୍ୟ ଏକଥା ତାଙ୍କ ଘରେ ଜଣାଇ ନଥିଲେ।

 live-in partner

live-in partner

Advertisment

ପୁଣିଥରେ ରାଜଧାନୀ ଦିଲ୍ଲୀରୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ଲିଭ ଇନ୍ ପାର୍ଟନଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ସେ ମୃତଦେହକୁ ନଜଫଗଡ଼ର ମିତ୍ରାଓଁ ଗାଁ ଉପକଣ୍ଠରେ ଥିବା ଗୋଟିଏ ଢାବାର ଫ୍ରିଜ୍‌ ମଧ୍ୟରେ ରଖି ଫେରାର ହୋଇଯାଇଥିଲେ। ଖାଲି ସେତିକି ନୁହେଁ, ଯେଉଁଦିନ ପ୍ରେମିକଙ୍କୁ ହତ୍ୟା କରିଥିଲେ ସେହିଦିନ ଯୁବକ ଜଣଙ୍କ ଆଉ ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କରିଥିଲେ। ଏବେ ପୁଲିସ୍‌ ଯୁବକଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ମୃତ ଯୁବତୀ ଜଣଙ୍କ ହେଲେ ୨୨ ବର୍ଷୀୟ ନିକ୍କି ଯାଦବ। ତାଙ୍କୁ ୨୪ ବର୍ଷୀୟ ସାହିଲ ଗେହଲଟ କଶ୍ମୀର ଗେଟ୍‌ ଆଇଏସବିଟି ନିକଟରେ ତଣ୍ଟି ଚିପି ପ୍ରଥମେ ହତ୍ୟା କରିଥିଲେ। ଫେବୃଆରୀ ୯ ଓ ୧୦ ତାରିଖରେ ହତ୍ୟାକାଣ୍ଡ ଘଟିଥିଲା। ସାହିଲ କାରରେ ଥିବା ମୋବାଇଲ ଡାଟା କେବୁଲକୁ ବ୍ୟବହାର କରି ନିକ୍କିଙ୍କୁ ହତ୍ୟା କରିଥିଲେ।

ହତ୍ୟା କରିବା ପରେ ସେ ନିକ୍କିଙ୍କ ମୃତଦେହକୁ କାର୍‌ ଯୋଗେ ମିତ୍ରାଓଁ ଗାଁ ନିକଟରେ ଥିବା ତାଙ୍କ ଢାବା ନିକଟକୁ ନେଇ ଯାଇଥିଲେ। ଏହାପରେ ସେଠାରେ ଥିବା ଫ୍ରିଜରେ ଏହାକୁ ଲୁଚାଇ ଦେଇଥିଲେ। ମଙ୍ଗଳବାର ପୁଲିସ୍‌ ଢାବାର ଫ୍ରିଜ୍‌ ଭିତରୁ ନିକ୍କିଙ୍କ ମୃତଦେହ ଉଦ୍ଧାର କରିବା ପରେ ସାହିଲଙ୍କୁ ଗିରଫ କରିଛି।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସାହିଲ ଓ ନିକ୍କି ଦୀର୍ଘ ଦିନ ହେଲା ପରସ୍ପରକୁ ପ୍ରେମ କରୁଥିଲେ। ସାହିଲଙ୍କ ଘର ମିତ୍ରାଓଁ ଗାଁରେ। ସେ ୨୦୧୮ରେ ଉତ୍ତମନଗର ଅଞ୍ଚଳରେ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ହରିଆଣାର ମୂଳବାସିନ୍ଦା ନିକ୍କିଙ୍କୁ ଭେଟିଥିଲେ। ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ସାହିଲ ପ୍ରଥମ ଦେଖାରେ ନିକ୍କିଙ୍କ ସହ ବନ୍ଧୁତା କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଉଭୟ ଗ୍ରେଟର ନୋଏଡାରେ ଥିବା ସମାନ କଲେଜରେ ନାଁ ଲେଖାଇଥିଲେ।

କଲେଜରେ ପାଠପଢ଼ିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ଗ୍ରେଟର ନୋଏଡାରେ ଉଭୟ ଏକାଠି ରହିବା ଆରମ୍ଭ କରିଥିଲେ। ମହାମାରୀ କରୋନା ଲକଡାଉନ ବେଳେ ଉଭୟ ନିଜ ନିଜ ଘରକୁ ଚାଲି ଯାଇଥିଲେ। ଲକଡାଉନ ଖୋଲିବା ପରେ ସାହିଲ ଓ ନିକ୍କି ପୁଣି ଏକାଠି ହୋଇଥିଲେ। ଏଥିସହ ଦ୍ୱାରକା ଅଞ୍ଚଳରେ ଗୋଟିଏ ଭଡ଼ା ଘର ନେଇ ସାଥୀ ହୋଇ ରହିଥିଲେ। 

ଅଭିଯୁକ୍ତ ସାହିଲ ୨୦୧୮ରୁ ନିକ୍କିଙ୍କୁ ପ୍ରେମ କରୁଥିଲେ ମଧ୍ୟ ଏକଥା ତାଙ୍କ ଘରେ ଜଣାଇ ନଥିଲେ। ଘରେ ପୁଅର ପ୍ରେମ ସମ୍ପର୍କ କଥା ଜାଣି ନଥିବାରୁ ବାହାଘର ପାଇଁ ଚାପ ପକାଇବା ଆରମ୍ଭ କରିଥିଲେ। ଏଥିସହ ଫେବୃଆରୀ ୧୦ରେ ସାହିଲଙ୍କ ବାହାଘର ହେବ ବୋଲି ମଧ୍ୟ ଘର ଲୋକ ସ୍ଥିର କରିଥିଲେ।

ନିକ୍କି ଏକଥା ଜାଣିବା ପରେ ସାହିଲଙ୍କୁ ଡାକିବା ସହ ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହି ପାଟୁତୁଣ୍ଟ ବେଳେ ସାହିଲ ରାଗି ଯାଇ ମୋବାଇଲ ଡାଟା କେବୁଲ ଜରିଆରେ ନିକ୍କିଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ହତ୍ୟା ପରେ ସେ ମୃତଦେହକୁ ନିଜ ମାଲିକାନାରେ ଥିବା ଢାବାକୁ ନେଇଥିଲେ। ସେଠାରେ ଥିବା ଫ୍ରିଜରେ ମୃତଦେହକୁ ଲୁଚାଇ ଦେଇ ଘରକୁ ଚାଲି ଯାଇଥିଲେ। ଏଥିସହ ଆଉ ଜଣେ ମହିଳାଙ୍କୁ ବିବାହ ମଧ୍ୟ କରି ନେଇଥିଲେ।

ତେବେ ନିକ୍କି ହଠାତ୍‌ ନିଖୋଜ ହୋଇଯିବା ଓ ସାହିଲ ଆଉ ଜଣଙ୍କୁ ବିବାହ କରିବା ଘଟଣାକୁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ସହଜରେ ହଜମ କରି ପାରି ନଥିଲେ। ଏଥିପାଇଁ ସେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମଧ୍ୟ ନିକ୍କିଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ହେଲେ କୌଣସି ସୁରାକ ପାଇ ନଥିଲା।

ଏହାପରେ ପୁଲିସ୍‌ ସାହିଲଙ୍କୁ ଉଠାଇ ଆଣି ଜେରା କରିବାରୁ ସେ ସବୁ ସତ କଥା ମାନି ଯାଇଥିଲେ। ଶେଷରେ ପୁଲିସ ଢାବାର ଫ୍ରିଜ୍‌ରୁ ନିକ୍କିଙ୍କ ମୃତଦେହ ଜବତ କରିବା ସହ ସାହିଲଙ୍କୁ ଗିରଫ କରିଛି।

Delhi Live In Relation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe