/odisha-reporter/media/media_files/2025/11/28/trade-2025-11-28-15-35-23.jpg)
ଏଆଇ ଫଟୋ
ଗୋଟିଏ ଟ୍ରେଡିଂ ସ୍କାମରେ ଫସି ୩୫ କୋଟି ଟଙ୍କା ହରାଇଛନ୍ତି ଜଣେ ୭୨ ବର୍ଷୀୟ ବୃଦ୍ଧ। ୪ ବର୍ଷ ହେଲାଣି ସେ ଠକେଇର ଶିକାର ହୋଇ ଚାଲିଥିଲେ ହେଁ ତାଙ୍କୁ ଏ ବିଷୟରେ କିଛି ବି ଜଣା ନଥିଲା। ମୁମ୍ବାଇ(Mumbai)ର ମାତୁଙ୍ଗା ୱେଷ୍ଟରେ ରହୁଥିବା ୭୨ ବର୍ଷୀୟ ଭାରତ ହରକଚାନ୍ଦ ଶାହ ଏବେ ଠକେଇ ସମ୍ପର୍କରେ ଜାଣିବା ପରେ ପୂରା ଜଳକା ପାଲଟି ଯାଇଛନ୍ତି।
ତାଙ୍କ କହିବା କଥା ଯେ ଗ୍ଲୋବ କ୍ୟାପିଟାଲ ମାର୍କେଟ ଲିଃ ନାମକ ଗୋଟିଏ ବ୍ରୋକର କମ୍ପାନୀ ତାଙ୍କର ଓ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ବ୍ୟବହାର କରି ଅନାଧିକୃତ ଟ୍ରେଡିଂ କରି ଚାଲିଥିଲା। ଦୀର୍ଘ ୪ ବର୍ଷ ଧରି ତାଙ୍କୁ ଏପରି ଠକେଇ କରାଯାଉଥିଲେ ହେଁ ଏକଥା ତାଙ୍କୁ ଜଣାନଥିଲା। ୩୫ କୋଟିରା କ୍ଷତି ହେବା ପରେ ତାଙ୍କ ପାଖକୁ ଗୋଟିଏ ଫୋନ କଲ ଆସିବାରୁ ସେ ସବୁ କଥା ଜାଣିବାକୁ ପାଇଥିଲେ।
ଶାହ ପାର୍ଲେରେ କର୍କଟ ରୋଗୀଙ୍କ ପାଇଁ ଗୋଟିଏ କମ ଭଡ଼ାର ଗେଷ୍ଟ ହାଉସ ଚଳାନ୍ତି। ୧୯୮୪ରେ ତାଙ୍କ ବାପାଙ୍କ ଦେହାନ୍ତ ପରେ ଉତ୍ତରାଧିକାରୀ ସୂତ୍ରରେ ସେ ଗୋଟିଏ ଶେୟାରର ମାଲିକ ବନିଥିଲେ। ଏଥିରେ ତାଙ୍କ ପତ୍ନୀଙ୍କ ଭାଗ ମଧ୍ୟ ରହିଥିଲା। ଶାହ ଓ ତାଙ୍କ ପତ୍ନୀ ଶେୟାର ମାର୍କେଟ, ଷ୍ଟକ ଆଦି ବିଷୟରେ ଜାଣି ନଥିବାରୁ ସେମାନେ କେବେ ବି ଟ୍ରେଡକୁ ସକ୍ରିୟ କରି ନଥିଲେ।
ଏସବୁ ଭିତରେ ୨୦୨୦ରୁ ଆରମ୍ଭ ହୋଇଥିଲା ଠକେଇ। ଜଣେ ବନ୍ଧୁଙ୍କ ପରାମର୍ଶକ୍ରମେ ଶ୍ରୀ ଶାହ ଗୋଟିଏ ନିଜର ଓ ପତ୍ନୀଙ୍କର ଗୋଟିଏ ଟ୍ରେଡିଂ ଆକାଉଣ୍ଟ ଗ୍ଲୋବ କ୍ୟାପିଟାଲ ମାର୍କେଟ ଲିଃ ଜରିଆରେ ଖୋଲିଥିଲେ। ଏହାପରେ ନିଜର ଶେୟାରକୁ କମ୍ପାନୀକୁ ପଠାଇ ଦେଇଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା ସିଧାସଳଖ ରହିଥିଲା। କମ୍ପାନୀର ପ୍ରତିନିଧିମାନେ ନିୟମିତ ଶାହଙ୍କୁ ଯୋଗାଯୋଗ କରୁଥିଲେ ଓ ବିଭିନ୍ନ ସମସ୍ୟାର ସମାଧାନ କରୁଥିଲେ। ଟ୍ରେଡିଂ ପାଇଁ କୌଣସି ଅତିରିକ୍ତ ନିବେଶର ଆବଶ୍ୟକ ନାହିଁ ଓ ସେମାନଙ୍କ ପାଖରେ ଥିବା ଶେୟାରକୁ ବ୍ୟବହାର କରି ଉଭୟ ସୁରକ୍ଷିତ ଭାବେ ଟ୍ରେଡ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା।
କମ୍ପାନୀ ପକ୍ଷରୁ ଜଣେ ବ୍ୟକ୍ତିଗତ ଗାଇଡଙ୍କୁ ମଧ୍ୟ ଶାହଙ୍କୁ ଯୋଗାଇ ଦେବାର ପ୍ରତିଶ୍ରୁତି ମିଳିଥିଲା। ଏହାପରେ ଅକ୍ଷୟ ବରିଆ ଓ କାନ ସିରୋୟା ନାମକ ଦୁଇ ଜଣ ବ୍ୟକ୍ତି କମ୍ପାନୀ ପକ୍ଷରୁ ଶାହଙ୍କ ଶେୟାରକୁ ପରିଚାଳନା କରିଥିଲେ। ଏହି ସମୟରେ ସେମାନେ ବେଶ ଚତୁରତାର ସହ ଶାହ ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କବଜା କରିନେଇଥିଲେ।
ଏଫଆଇଆରରେ କୁହାଯାଇଛି ଯେ ପରିସ୍ଥିତି ତୁରନ୍ତ ବଦଳି ଯାଇଥିଲା। ଦୁଇ ପ୍ରତିନିଧି ଶାହଙ୍କୁ ଦୈନିକ କଲ କରି କେଉଁ ନିର୍ଦ୍ଦେଶକୁ ଅନୁମତି ଦେବାକୁ ହେବ, ସେକଥା କହୁଥିଲେ। ପରବର୍ତ୍ତୀ ଅବସ୍ଥାରେ ସେମାନେ ଶାହଙ୍କ ଘରକୁ ମଧ୍ୟ ଆସିଥିଲେ। ସେମାନଙ୍କ ନିଜସ୍ୱ ଲ୍ୟାପଟପୁ ଇ-ମେଲ ପଠାଉଥିଲେ।
ଶାହଙ୍କ କହିବା କଥା ଯେ ଦୁଇ ତଥାକଥିତ ପ୍ରତିନିଧି ବେଶ ଚତୁରତାର ସହ ତାଙ୍କୁ ସେମାନଙ୍କ ଜାଲରେ ଫସାଇ ଦେଇଥିଲେ। ସେମାନଙ୍କ କଥାରେ ସେ ପ୍ରତିଟି ଓଟିପି ଶେୟାର କରିବା ସହ ପ୍ରତିଟି ଇମେଲ ଓ ଏସଏମଏସକୁ ଖୋଲୁଥିଲେ। ସେମାନେ ଚାହୁଁଥିବା ସବୁ ତଥ୍ୟ ଶାହଙ୍କ ଠାରୁ ନେଇ ଯାଇଥିଲେ। କମ୍ପାନୀ ଏପରି ଭାବେ ତାଙ୍କ ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେଇଥିଲା।
ତାଙ୍କ ଆକାଉଣ୍ଟରୁ ଏତେ ମାତ୍ରାରେ ଟ୍ରେଡିଂ ହେଉଥିବା ଶ୍ରୀ ଶାହ ଆଦୌ ଜାଣି ନଥିଲେ। ୨୦୨୦ ମାର୍ଚ୍ଚରୁ ୨୦୨୪ ଜୁନ ମଧ୍ୟରେ ମିଳୁଥିବା ବାର୍ଷିକ ଷ୍ଟେଟମେଣ୍ଟରେ ସେ ଲାଭ ପାଉଥିବା ଉଲ୍ଲେଖ ରହିଥିଲା। ପ୍ରତିବର୍ଷ ସ୍ପଷ୍ଟ ଷ୍ଟେଟମେଣ୍ଟ ଆସୁଥିବାରୁ ଶ୍ରୀ ଶାହ କମ୍ପାନୀ ଉପରେ ସନ୍ଦେହ ମଧ୍ୟ କରୁ ନଥିଲେ।
କେମିତି ଠକେଇ ସାମ୍ନାକୁ ଆସିଲା?
ସବୁ କିଛି ଠିକଠାକ ଚାଲିଥିବା ବେଳେ ୨୦୨୪ ଜୁଲାଇ ମାସରେ ସ୍ଥିତି ବଦଳି ଯାଇଥିଲା। ଶାହଙ୍କ ପାଖକୁ ଗ୍ଲୋବ କ୍ୟାପିଟାଲର ରିସ୍କ ମ୍ୟାନେଜମେଣ୍ଟ ବିଭାଗରୁ ଗୋଟିଏ କଲ ଆସିଥିଲା। କଲ କରିଥିବା ଲୋକ କହିଥିଲେ ଯେ “ଆପଣ ଓ ଆପଣଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୩୫ କୋଟି ଟଙ୍କା ବାକି ରହିଛି। ଆପଣ ତୁରନ୍ତ ଏହାକୁ ପୈଠ କରନ୍ତୁ ନଚେତ ଆପଣଙ୍କ ଶେୟାର ଗୁଡ଼ିକୁ ବିକ୍ରି କରିଦିଆଯିବ।”
ଏହି ଖବର ପାଇ ଶାହ ତୁରନ୍ତ କମ୍ପାନୀ ପାଖରେ ପହଞ୍ଚିଥିଲେ। ଏତିକି ବେଳେ ଦୁଇ ଆକାଉଣ୍ଟରୁ ବଡ଼ଧରଣର ଅନାଧିକୃତ ଟ୍ରେଡିଂ ହୋଇଥିବା ଜାଣିବାକୁ ପାଇଥିଲେ। କୋଟି ଟଙ୍କାର ଶେୟାର ବିକ୍ରି ହୋଇଛି। ଟ୍ରେଡିଂ ଯୋଗୁ ଆକାଉଣ୍ଟରେ ୩୫ କୋଟି ଟଙ୍କା ବାକି ପଡ଼ିଛି। ଏହାକୁ ଦେଖି ଶାହ ତୁରନ୍ତ ନିଜର ବାକି ରହିଥିବା ଶେୟାରକୁ ବିକ୍ରି କରି ବାକି ଥିବା ୩୫ କୋଟି ଟଙ୍କା ପୈଠ କରିଥିଲେ।
ଏହାପରେ ବାକି ରହିଥିବା ଶେୟାରକୁ ଆଉ ଗୋଟିଏ କମ୍ପାନୀକୁ ଟ୍ରାନ୍ସଫର କରି ଦେଇଥିଲେ। ଶାହ ଗ୍ଲୋବର ୱେବସାଇଟରୁ ପ୍ରକୃତ ଟ୍ରେଡିଂ ଷ୍ଟେଟମେଣ୍ଟ ଡାଉନଲୋଡ କରି ପ୍ରତିବର୍ଷ ତାଙ୍କୁ ମିଳୁଥିବା ଷ୍ଟେଟମେଣ୍ଟ ସହ ମେଳ କରାଇଥିଲେ। ଏହାକୁ ମେଳ କରିବା ପରେ ସେ ୪ ବର୍ଷ ହେଲା ଠକାମୀର ଶିକାର ହେଉଥିବା ଜାଣିବାକୁ ପାଇଥିଲେ।
ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଶାହଙ୍କ ଶେୟାର ଥିବା କମ୍ପାନୀକୁ ଏକାଧିକ ନୋଟିସ ଆସିଥିଲା। କମ୍ପାନୀ ଏହାର ଜବାବ ଶାହଙ୍କ ନାଁ ନେଇ ଦେଇଥିଲା। ତଥାପି ଶାହ ଏକଥା ଆଦୌ ଜାଣି ନଥିଲେ। ବାସ୍ତବରେ ଶାହଙ୍କୁ ଦେଖାଯାଉଥିବା ଟ୍ରେଡିଂ ତଥ୍ୟ ପ୍ରକୃତ ଟ୍ରେଡିଂ ଠାରୁ ପୂରା ଭିନ୍ନ ରହିଥିଲା। ୪ ବର୍ଷ ହେଲା କମ୍ପାନୀ ମିଛ ତଥ୍ୟ ଶାହଙ୍କୁ ଦେଇ ଚାଲିଥିଲା। ବାସ୍ତରେ ୪ ବର୍ଷ ହେଲା ସେ କ୍ଷତି ସହି ଚାଲିଥିଲେ।
ଶାହଙ୍କ ଅଭିଯୋଗ(Cyber Case) ପରେ ମୁମ୍ବାଇ ପୁଲିସ୍ର ଅର୍ଥନୀତିକ ଅପରାଧିକ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
