/odisha-reporter/media/post_attachments/uploadimage/library/16_9/16_9_0/WhatsApp_1685011765.jpg)
ହ୍ୱାଟସଆପ୍ କଲରୁ ଆରମ୍ଭ ହୋଇଥିବା ଆଉ ଏକ ୱାର୍କ ଫର୍ମ ହୋମ (WFH) ସ୍କାମ ସାମ୍ନାକୁ ଆସିଛି। ଏହି ସ୍କାମରେ ଫସି ଗୁରୁଗ୍ରାମର ଜଣେ ବ୍ୟକ୍ତି ୭୦ ଲକ୍ଷ ଟଙ୍କା ହରାଇଛନ୍ତି। ସାଇବର ଠକମାନେ ଏହି ବ୍ୟକ୍ତିଙ୍କୁ ଘରେ ରହି କାମ କରିବାକୁ ଅଫର ଦେବା ସହ ମୋଟା ଅଙ୍କର ଅର୍ଥ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଧିକ ଟଙ୍କା ପାଇବା ଲୋଭରେ ଏବେ ବ୍ୟକ୍ତି ଜଣଙ୍କ ନିଜର କଷ୍ଟ ଉପାର୍ଜିତ ଧନକୁ ବି ହରାଇଛନ୍ତି। ଏନେଇ ବ୍ୟକ୍ତି ଜଣଙ୍କ ପୁଲିସରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ବିଗତ କିଛି ମାସ ହେଲାଣି WFH ସ୍କାମ ଭାରତରେ ବାରମ୍ବାର ଘଟିବାରେ ଲାଗିଛି। ସାଇବର ଠକଙ୍କ ଜାଲରେ ଫସି ଶତାଧିକ ଲୋକ କୋଟି କୋଟି ଟଙ୍କା ହରାଇଛନ୍ତି। ଏବେ ପୁଣି ଜଣେ ବ୍ୟକ୍ତି ସାଇବର ଠକଙ୍କ ଜାଲରେ ଫସିଛନ୍ତି। ତାଙ୍କ ଠାରୁ ୭୦ ଲକ୍ଷ ଟଙ୍କାର ଠକେଇ କରାଯାଇଛି।
ଅଭିଯୋଗକାରୀ କହିଛନ୍ତି ଯେ ଜଣେ ମହିଳା ପ୍ରଥମେ ତାଙ୍କୁ ହ୍ୱାଟସଆପ୍ରେ ଫୋନ କରିଥିଲେ। ଫେବୃଆରୀ ୨୭ରେ ମହିଳା ଜଣଙ୍କ କଲ କରି ତାଙ୍କୁ ଅନଲାଇନ ଚାକିରିର ଅଫର ଦେଇଥିଲେ। ବ୍ୟକ୍ତି ଜଣଙ୍କୁ ଟେଲିଗ୍ରାମ ଗ୍ରୁପକୁ ଆସିବାକୁ କୁହାଯାଇଥିଲା ଓ କିଛି ଛୋଟିଆ କାମ କରିବାକୁ କୁହାଯାଇଥିଲା।
ସେ ଦିଆଯାଇଥିବା କାମକୁ କରିବା ପରେ ଟଙ୍କା ମଧ୍ୟ ପାଇଥିଲେ। ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି, “ଆକାଂକ୍ଷା ନାମକ ଜଣେ ମହିଳା ମୋତେ ଫୋନ କରିଥିଲେ। ସେ ମୋତେ ୱାର୍କ ଫର୍ମ ହୋମ ଚାକିରି ଅଫର କରିଥିଲେ। ଆକାଂକ୍ଷା ମୋତେ ଆଉ ଜଣେ ମହିଳା ରବୀନା କୌରଙ୍କ ସହ ମଧ୍ୟ ପରିଚିତ କରାଇଥିଲେ।
କୌର ଗୋଟିଏ ଘରୋ ଟ୍ରାଭେଲ କମ୍ପାନୀରେ କାମ କରୁଥିବା କହିଥିଲେ। ସେ ମୋତେ ପୁଞ୍ଜି ନିବେଶ କରିବାକୁ ପ୍ରବର୍ତ୍ତାଇ ଥିଲେ ଓ ବଦଳରେ ମୋଟ ଅଙ୍କର ଟଙ୍କା ମିଳିବ ବୋଲି ସୂଚନା ଦେଇଥିଲେ।”
ବ୍ୟକ୍ତି ଜଣଙ୍କ ଚାକିରି ପାଇଁ ଗୋଟିଏ ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ୧୨ଶହ ଟଙ୍କା ପାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ବିଭିନ୍ନ କାମ ମିଳିଥିଲା ଓ ଏହାକୁ ଶେଷ କରି ସେ ବେଶ ଆରାମରେ ୧୦ ହଜାର ଟଙ୍କା ଆୟ କରିଥିଲେ।
କିଛି ମାସ ଧରି ବ୍ୟକ୍ତି ଜଣଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସାଇବର ଠକ ତାଙ୍କ ସହ ଯୋଡ଼ି ହୋଇ ରହିଥିଲେ ଓ ମୋଟା ଅଙ୍କର ଅର୍ଥ ପାଇଁ ନିବେଶ କରିବାକୁ ଉସକାଇଥିଲେ। ଶେଷରେ ବ୍ୟକ୍ତି ଜଣଙ୍କ ସେମାନଙ୍କ ଜାଲରେ ଫସି ଯାଇଥିଲେ।
ସେ କହିଛନ୍ତି, “ଫେବୃଆରୀରୁ ମେ’ ମାସ ମଧ୍ୟରେ ମୁଁ ୨୦ଟି ଟ୍ରାଞ୍ଜାକସନ ଦ୍ୱାରା ମୋଟ ୬୯.୯ ଲକ୍ଷ ଟଙ୍କା ନିବେଶ କରିଛି। କିନ୍ତୁ ମୋତେ ଏହାକୁ ଉଠାଇବା ପାଇଁ ସୁଯୋଗ ମିଳୁନି। ସେମାନେ ମୋ ଟଙ୍କା ମୋତେ ଦେଉ ନାହାନ୍ତି।” ଏନେଇ ବ୍ୟକ୍ତି ଜଣଙ୍କ ଗୁରୁବାର ପୁଲିସ୍ର ଦ୍ୱାରସ୍ଥ ହେବା ପରେ ପୁଲିସ୍ ଏଫଆଇଆର ରୁଜୁ କରିଛି।
୪୧୯ ଓ ୪୨୦ରେ ମାମଲା ହୋଇଥିଲେ ହେଁ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ୍ କୌଣସି ସୂଚନା ପାଇନାହିଁ। ତଦନ୍ତକାରୀ ଅଧିକାରୀ କହିଛନ୍ତି, “ପ୍ରାଥମିକ ତଦନ୍ତ ପରେ ଏଫଆଇଆର ରୁଜୁ କରାଯାଇଛି। ଘଟଣାର ତଦନ୍ତ ପାଇଁ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ।”
ଇନଷ୍ଟା ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍ ସ୍କାମ କଲ ରୋକିବାକୁ ପ୍ରାୟ ୩୬ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। କୃତ୍ରିମ ବୃଦ୍ଧି(ଏଆଇ) ଓ ମେସିନ ଲର୍ଣ୍ଣିଂ (ଏମଏଲ) ବ୍ୟବସ୍ଥା ଦ୍ୱାରା ଠକେଇ କଲକୁ ହ୍ରାସ କରିବାକୁ ଯୋଜନା କରାଯାଉଥିବା କମ୍ପାନୀ କହିଛି।
ନିକଟରେ ହରିଆଣା ପୁଲିସ୍ର ସାଇବର ୱିଙ୍ଗ ନକଲି ଦସ୍ତାବିଜ୍ ଦେଇ ସିମ କାର୍ଡ ହାତେଇ ଥିବା ୨୦,୫୪୫ ମୋବାଇଲ ନମ୍ବରକୁ ବ୍ଲକ କରିଥିଲା। ଅଧିକାଂଶ ସିମ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ଦିଲ୍ଲୀରୁ ଇସ୍ୟୁ ହୋଇଥିଲା। ସେହିପରି ସାଇବର ଠକେଇରେ ସାମିଲ ଥିବା ୩୪ ହଜାର ମୋବାଇଲ ନମ୍ବର ସମ୍ପର୍କରେ ମଧ୍ୟ ପୁଲିସ୍ ତଥ୍ୟ ହାସଲ କରିବାକୁ ସକ୍ଷମ ହୋଇଥିଲା।
ହରିଆଣା କ୍ରାଇମବ୍ରାଞ୍ଚରେ ମୋଟ ୨୫,୬୫୯ ସାଇବର ଠକେଇର ଅଭିଯୋଗ ପଞ୍ଜୀକୃତ ହୋଇଛି। ଚଳିତ ବର୍ଷ ଜାନୁଆରୀ ୧ରୁ ମାର୍ଚ୍ଚ ୩୦ ମଧ୍ୟରେ ଏତେ ସଂଖ୍ୟକ ସାଇବର ଠକେଇର ଅଭିଯୋଗ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
