ହାତରୁ ଲିଭିନି ମେହେନ୍ଦି। ପାଦରୁ ଲିଭିନି ଅଳତା। କାନ୍ଥରେ ସେମିତି ରହିଛି ନାଁ। ହେଲେ ମଥାରୁ ଲିଭି ଗଲା ସିନ୍ଦୁର। ଏବେ ଏବେ ପଡ଼ିଥିଲା ହାତଗଣ୍ଠି। ଆଖିରେ ଆଖିଏ ସ୍ୱପ୍ନ ନେଇ ନବ ବିବାହିତ ହନିମୁନ ପାଇଁ ଯାଇଥିଲେ ଭାରତର ମିନି ସ୍ୱିଜରଲ୍ୟାଣ୍ଡ। ହେଲେ ରକ୍ତରଞ୍ଜିତ ହେଲା ମିନି ସ୍ୱିଜରଲ୍ୟାଣ୍ଡ ତଥା ଭାରତର ଜମ୍ମୁ-କଶ୍ମୀରର ପର୍ଯ୍ୟଟନ ସ୍ଥଳ ପହଲଗାମ। ଏଠାରେ ହୋଇଥିବା ଆତଙ୍କବାଦୀଙ୍କ ଭୟଙ୍କର ନରସଂହାରରେ ପ୍ରାଣ ହରାଇଛନ୍ତି ମୋଟ ୨୬ ଜଣ ପର୍ଯ୍ୟଟକ। ଏବେ ବି ଅନେକ ଗୁଳି ମାଡ଼ରେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ମୃତକଙ୍କ ମଧ୍ୟରେ ରହିଛନ୍ତି ୨୬ ବର୍ଷୀୟ ବିନୟ ନରୱାଲ ଓ ଶୁଭମ ଦ୍ୱିବେଦୀ। ଉଭୟ ନୂଆ କରି ବିବାହ କରିଥିବା ପତ୍ନୀଙ୍କ ସହ ପହଲଗାମର ପ୍ରାକୃତିକ ସୌନ୍ଦର୍ଯ୍ୟରେ ହନିମୁନ ପାଇଁ ଯାଇଥିଲେ। ହେଲେ ହନିମୁନ ପାଇଁ ଯାଇଥିବା ବିନୟ ଓ ଶୁଭମଙ୍କ ପତ୍ନୀମାନଙ୍କ ମଥାରୁ ଲିଭି ଯାଇଛି ସିନ୍ଦୁର। ଉଜୁଡିଯାଇଛି ସେମାନଙ୍କ ନୂଆ ସଂସାର। ଯାହା ହାତ ଧରି ବାକି ଜୀବନ କାଟିବାକୁ ସ୍ୱପ୍ନ ଦେଖିଥିଲେ ତାଙ୍କୁ ଅଧାବାଟରୁ ଆଖି ସାମ୍ନାରୁ ଛଡ଼ାଇ ନେଲେ ଆତଙ୍କବାଦୀ।
ହରିୟାଣାର କର୍ଣ୍ଣାଲ ବାସିନ୍ଦା ହେଉଛନ୍ତି ନୌସେନା କର୍ମଚାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ବିନୟ ନରୱାଲ। ସେ କୋଚିର ନୌସେନା ବେସରେ କାମ କରୁଥିଲେ। ଦୁଇ ବର୍ଷ ହେବ ନୌସେନାରେ ଯୋଗ ଦେଇଥିବା ବିନୟ ଏପ୍ରିଲ ୧୬ରେ ବିବାହ କରିଥିଲେ। ଗୁରୁଗ୍ରାମର ହିମାଂଶୀଙ୍କ ସହ ବିନୟଙ୍କର ହୋଇଥିଲା ବାହାଘର। ୧୯ ତାରିଖରେ ସରିଥିଲା ରିସେପସନ୍। ଏହାପରେ ହନିମୁନ୍ ପାଇଁ କଶ୍ମୀରର ପାର୍ବତ୍ୟ ଉପତ୍ୟକା ପହଲଗାମରେ ପହଞ୍ଚିଥିଲେ ଉଭୟ। ଶାନ୍ତ ସୁନ୍ଦର ଉପତ୍ୟକା କୋଳରେ ଦୁହେଁ ସତେ ଯେପରି ପରସ୍ପର ମଧ୍ୟରେ ହଜିଯାଇଥିଲେ। ଆଉ ଏକାଠି ବଞ୍ଚିବା ଆଉ ମରିବା ପାଇଁ ପରସ୍ପରକୁ କଥା ଦେଇଥିଲେ।
ମାତ୍ର ଠିକ୍ ଏତିକି ବେଳେ ଭୟଙ୍କର ଆତଙ୍କବାଦୀ ହମଲା ବିନୟ ଓ ହିମାଂଶୀଙ୍କ ସବୁ ସ୍ୱପ୍ନକୁ ଚୂରମାର କରି ଦେଇଛି। ହିମାଂଶୀଙ୍କ ଆଖି ସାମ୍ନାରେ ଆତଙ୍କବାଦୀମାନେ ବିନୟଙ୍କୁ ଗୁଳି କରି ମାରି ଦେଇଛନ୍ତି। ବାହାଘରର ୬ ଦିନ ପରେ ହିମାଂଶୀଙ୍କ ମଥରୁ ଲିଭି ଯାଇଛି ସିନ୍ଦୁର। ବିନୟଙ୍କ ଛାତି, ବେକ ଓ ବାମ ହାତରେ ଆତଙ୍କୀଙ୍କ ଗୁଳି ବାଜିଥିଲା। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ହିମାଂଶୀଙ୍କ ଅବସ୍ଥା ଏବେ କେମିତି ଅଛି, ସେକଥା କାହାକୁ ବି ଜଣା ନାହିଁ।
ବିନୟ କର୍ଣ୍ଣାଲର ସନ୍ଥ କବିର ସ୍କୁଲରୁ ୧୦ ଶ୍ରେଣୀ ପାସ୍ କରିବା ପରେ ଦିଲ୍ଲୀରେ ଦ୍ୱାଦଶ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସୋନପେଟରେ ସେ ବିଟେକ କରିଥିଲେ। ବିନୟଙ୍କ ବାପା ଜିଏସଟି ୱିକଙ୍ଗର ସୁପରିନଟେଣ୍ଡେଣ୍ଟ ଭାବେ କାମ କରନ୍ତି। ତାଙ୍କ ଜେଜେ ବାପା ମଧ୍ୟ ଜଣେ ଅବସରପ୍ରାପ୍ତ ପୁଲିସ ଅଫିସର।
ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ଘର ଉତ୍ତର ପ୍ରଦେଶର କାନୁପରରେ। ସେ ଫେବୃଆରୀ ୧୨ ତାରିଖରେ ବିବାହ କରିଥିଲେ। ବାହାଘର ପରେ ସେ ପତ୍ନୀଙ୍କ ସହ ହନିମୁନ ପାଇଁ ପହଲଗାମ ଯାଥଥିଲେ। ମାତ୍ର ୨ ମାସ ତଳେ ବାହା ହୋଇଥିବା ଶୁଭମ ଏବେ ପତ୍ନୀଙ୍କୁ ଏକା କରି ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି।
ଶୁଭମଙ୍କ ଭାଇ କହିଛନ୍ତି, “ଶୁଭମ ଭାଇ ଚଳିତ ବର୍ଷ ଫେବୃଆରୀ ୧୨ରେ ବିବାହ କରିଥିଲେ। ପତ୍ନୀଙ୍କ ସହ ସେ ପହଲଗାମ ବୁଲିବା ପାଇଁ ଯାଇଥିଲେ। ଭାଉଜ ଘଟଣା ସମ୍ପର୍କରେ ଫୋନ କରି ଦାଦାଙ୍କୁ କହିଥିଲେ। ଶୁଭମ ଭାଇଙ୍କ ମୁଣ୍ଡକୁ ଆତଙ୍କବାଦୀମାନେ ଗୁଳି କରିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳି କରିବା ପୂର୍ବରୁ ଆତଙ୍କବାଦୀମାନେ ନାଁ ପଚାରିଥିଲେ। ନାଁ କହିବା ମାତ୍ରେ ଗୁଳି ମାଡ଼ ଆରମ୍ଭ କରି ଦେଇଥିଲେ।” ପହଲଗାମ ନରସଂହାରରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ଓ ସୁରତର ଶୈଳେଶ କାଡାଟିୟା ମଧ୍ୟ ପ୍ରାଣ ହରାଇଛନ୍ତି।
ଜମ୍ମୁ କଶ୍ମୀର ପହଲଗାମରେ ଘଟିଥିବା ଆତଙ୍କବାଦୀ ହମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଆତଙ୍କବାଦୀମାନେ ଗୁଳି ମାରିବା ପୂର୍ବରୁ ସମସ୍ତଙ୍କୁ ନିଜ ନିଜର ଧର୍ମ ପଚାରିଥିଲେ। ଏହାପରେ ପୁରୁଷ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ପାଖାପାଖି ଅଧାଘଟା ଧରି ପହଲଗାମର ସୁନ୍ଦର ଘାସ ଗାଲିଚାରେ ଆତଙ୍କବାଦୀମାନେ ତାଣ୍ଡବ ରଚିଥିଲେ। ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।