Advertisment

ପତ୍ନୀଙ୍କ ପରକୀୟା ପ୍ରୀତି ପରେ ହିଂସା ନୁହେଁ ପ୍ରେମକୁ ସମ୍ମାନ ଦେଲେ ବବଲୁ

ବବଲୁ ସ୍ଥାନୀୟ କୋର୍ଟରେ ଗୋଟିଏ ସତ୍ୟପାଠ ଦାଖଲ କରି ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ଓ ଏହାପରେ ପତ୍ନୀଙ୍କୁ ନିଜ ପ୍ରେମିକଙ୍କ ହାତରେ ଟେକି ଦେଇଥିଲେ।

UP

UP

Advertisment

ପରକୀୟା ପ୍ରୀତିର ଦୁଇଟି ଭୟଙ୍କର ଘଟଣା ପୂରା ଦେଶ ନିକଟରେ ଦେଖିଥିଲା। ଗୋଟିଏ ଉତ୍ତର ପ୍ରଦେଶର ମୀରଟରୁ ଆସିଥିବା ବେଳେ ଆଉ ଗୋଟିଏ ଅଉରିୟା ଘଟିଥିଲା। ହେଲେ ସେହି ୟୁପିର ସନ୍ଥ କବିର ନଗରରେ ପରକୀୟା ପ୍ରୀତି ଘଟଣା ଆଶ୍ଚର୍ଯ୍ୟଜନକ ମୋଡ ନେଇଛି। ହିଂସା ବଦଳରେ ଜଣେ ବ୍ୟକ୍ତି ପ୍ରେମ ଓ ସମ୍ମାନକୁ ଗୁରୁତ୍ୱ ଦେଇଛନ୍ତି। ପ୍ରେମକୁ ସମ୍ମାନ ଦେଇ ବବଲୁ କୋରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ନିଜ ପତ୍ନୀଙ୍କୁ ସେ ତାଙ୍କ ପ୍ରେମିକ ହାତରେ ଟେକି ଦେଇ ହିଂସା କିମ୍ବା ବିବାଦ ସୃଷ୍ଟି କରି ନାହାନ୍ତି।

Advertisment

ଏହା ମୀରଟ ଓ ଅଉରିୟାରେ ଘଟିଥିବା ଘଟଣାଠାରୁ ପୂରା ଭିନ୍ନ। ମୀରଟରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ପ୍ରେମିକ ସହ ମିଶି ନିର୍ମମ ଭାବେ ହତ୍ୟା କରିଥିଲେ। ହତ୍ୟା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଗୋଟିଏ ଡ୍ରମରେ ଭର୍ତ୍ତି କରିଥିଲେ ଓ ଏହାକୁ ସିମେଣ୍ଟ ଦ୍ୱାରା ସିଲ କରି ଦେଇଥିଲେ। ସେହିପରି ଅଉରିୟାରେ ମାତ୍ର ୧୫ ଦିନ ତଳେ ବାହା ହୋଇଥିବା ଜଣେ ମହିଳା ତାଙ୍କ ପ୍ରେମିକ ଓ ଜଣେ କଣ୍ଟ୍ରାକ୍ଟ କିଲରଙ୍କ ଦ୍ୱାରା ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଏହି ଦୁଇଟି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା।

ସନ୍ଥ ନଗରରରେ ଏହାର ପୂରା ଓଲଟା ଘଟଣା ଘଟିଛି। କତାର ଜୋଟ ଗାଁରେ ରହୁଥିବା ୩୩ ବର୍ଷୀୟ ବବଲୁ ୨୦୧୭ରେ ଗୋରଖପୁରର ରାଧିକା କୁମାରୀଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ଟି ସନ୍ତାନ ରହିଛନ୍ତି। ବବଲୁ ଜଣେ ଇଲେକ୍ଟ୍ରିସିଆନ। ସେ ନିଜ କାମରେ ନିୟମିତ ଗାଁ ବାହାରକୁ ଯାଆନ୍ତି। ରାଧିକା ୨ ପିଲାଙ୍କ ସହ ଗାଁରେ ରୁହନ୍ତି। ଗାଁରେ ଦୁଇ ପିଲାଙ୍କ ସହ ରହୁଥିବା ରାଧିକା ସ୍ୱାମୀଙ୍କ ଅନୁପସ୍ଥିତିରେ ବିକାଶ କୁମାରଙ୍କ ସହ ସମ୍ପର୍କ ସୃଷ୍ଟି କରିଥିଲେ। ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ସମୟ ଧରି ଏହି ଚୋରାପୀରତି ଚାଲିଥିବା ବେଳେ ନିକଟରେ ବବଲୁ ଏସମ୍ପର୍କରେ ଜାଣିବାକୁ ପାଇଥିଲେ।

Advertisment

ସେ ଏହି ଖବର ଜାଣିବା ପରେ ହୁଏତ ମୀରଟ କିମ୍ବା ଅଉରିୟା ଭଳି କାଣ୍ଡ ଘଟାଇ ପାରିଥାନ୍ତେ। ରାଗରେ ପତ୍ନୀଙ୍କୁ ମାରଧର କରିବା ସହ ସେହି ଗାଁରେ ରହୁଥିବା ତାଙ୍କ ପ୍ରେମିକ ବିକାଶ କୁମାରଙ୍କ ବିରୋଧରେ ହିଂସାତ୍ମକ ଆଚରଣ ଦେଖାଇ ପାରିଥାନ୍ତେ। ହେଲେ ସେ ପତ୍ନୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜାଣିବା ପରେ ଏମିତି ଏକ ନିଷ୍ପତ୍ତି ନେଇଥିଲେ ଯେ ଯାହା ପୂରା ଅଞ୍ଚଳର ଲୋକଙ୍କୁ ଚକିତ କରି ଦେଇଛି।

ସେ ସ୍ଥିତିକୁ ଅଧିକ ବିବାଦୀୟ ନ କରି ରାଧିକାଙ୍କୁ ସାଙ୍ଗରେ ଧରି ଧନଘାଟ ତହସିଲରେ ପହଞ୍ଚିଥିଲେ। ସେଠାରେ ଆଇନଗତ ଉପାୟରେ ସେ ରାଧିକାଙ୍କ ଠାରୁ ଅଲଗା ହୋଇଥିଲେ। ଏହାପରେ ସେଠାରୁ ସେ ରାଧିକା ଓ ଅନ୍ୟମାନଙ୍କୁ ଧରି ଧନି ନାଥ ଶିବ ମନ୍ଦିରକୁ ଯାଇଥିଲେ। ସେଠାକୁ ରାଧିକାଙ୍କ ପ୍ରେମିକା ବିକାଶଙ୍କୁ ମଧ୍ୟ ଡାକିଥିଲେ। ସମସ୍ତଙ୍କ ଉପସ୍ଥିତିରେ ବବଲୁ ସେମାନଙ୍କ ବାହାଘର ହିନ୍ଦୁ ପରମ୍ପରା ଅନୁସାରେ ମନ୍ଦିରରେ କରାଇଥିଲେ।

ମନ୍ଦିରରେ ରାଧିକା ଓ ବିକାଶ ପରସ୍ପର ମଧ୍ୟରେ ଫୁଲ ମାଳ ଅଦଳବଦଳ କରିଥିଲେ। ପରମ୍ପରା ଅନୁସାରେ ରାଧିକାଙ୍କ ସିନ୍ଥିରେ ସିନ୍ଦୁର ଦେଇ ବିକାଶ ତାଙ୍କୁ ବିଧିବଦ୍ଧ ଭାବେ ନିଜର ପତ୍ନୀ ଭାବେ ଗ୍ରହଣ କରିଥିଲେ। ବାହାଘର ବେଳେ ବବଲୁ ଓ ଗାଁର ଅନ୍ୟ ବରିଷ୍ଠ ଲୋକମାନେ ଉପସ୍ଥିତ ରହିଥିଲେ। ବବଲୁଙ୍କ ଦାଦା କହିଛନ୍ତି, “ବାହାଘର ଶେଷ ହେବା ଯାଏ ବବଲୁ ସେଠାରେ ଉପସ୍ଥିତ ରହିଥିଲେ। ସବୁ କିଛି ଯେମିତି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ, ସେକଥାକୁ ବବଲୁ ନିଶ୍ଚିତ କରିଥିଲେ।” ବବଲୁ କହିଛନ୍ତି, “ମୁଁ ଆମର ଦୁଇ ପିଲାଙ୍କ ସବୁ ଦାୟିତ୍ୱ ନେବି। ମୁଁ କେବଳ ରାଧିକାର ଖୁସି ଚାହେଁ।”

ବବଲୁଙ୍କ ଏପରି ଅଜବ ନିଷ୍ପତ୍ତି ଆଦୌ ଦରବରିଆ ନଥିଲା। ସେ ଖୁବ ଭାବିବା ପରେ ଏପରି ପଦକ୍ଷେପ ନେଇଥିବା ସ୍ୱୀକାର କରିଛନ୍ତି। ରାଧିକା ତାଙ୍କ ସହ ୮ ବର୍ଷ ହେଲା ରହୁଥିବା ବେଳେ ପରକୀୟା ପ୍ରୀତିରେ ମାତି ଥିବା ଖବର ଶୁଣି ପ୍ରଥମେ ବବଲୁ ବିଶ୍ୱାସ କରି ନଥିଲେ। କିନ୍ତୁ ଖବର ପାଇବା ପରେ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଗାଁକୁ ଫେରି ରାଧିକାଙ୍କ ଉଚ୍ଚାରଣ ଓ ଆଚରଣକୁ ଧ୍ୟାନର ସହ ନୀରିକ୍ଷଣ କରିଥିଲେ।

ବବଲୁ କହିଛନ୍ତି, “ଯେତେବେଳେ ମୋ ସନ୍ଦେହ ସତ ପ୍ରମାଣିତ ହେଲା ସେତେବେଳେ ମୁଁ ରାଗ କିମ୍ବା ହିଂସା ଦ୍ୱାରା ପ୍ରତିକ୍ରିୟା ପ୍ରକାଶ କରି ନଥିଲି।” ପତ୍ନୀଙ୍କୁ ପ୍ରେମିକ ସହ ବାହାଘର କରିବାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବବଲୁ ଗାଁର ବରିଷ୍ଠ ଲୋକଙ୍କ ସହ କଥା ହୋଇ ସେମାନଙ୍କ ପରାମର୍ଶ ନେଇଥିଲେ। ଗାଁ ଲୋକମାନେ ମିଳିତ ଭାବେ ରାଧିକା ଓ ବିକାଶଙ୍କ ବାହାଘର ସପକ୍ଷରେ ମତ ରଖିଥିଲେ ଓ ବବଲୁଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ।

ବବଲୁ କହିଛନ୍ତି, “ଉଭୟ ପାର୍ଟନରଙ୍କୁ ଅଣନିଃଶ୍ୱାସୀ କରି ଦେବା ଭଳି ସମ୍ପର୍କକୁ ଜାବୁଡ଼ି ରଖିବାରେ ଲାଭ କ’ଣ? ରାଧିକା ସବୁବେଳେ ଖୁସି ରୁହନ୍ତୁ ବୋଲି ମୁଁ ଚାହୁଁଥିଲି। ମୁଁ ମୋ ପରିବାର ଲୋକଙ୍କ ସହ ଏ ସମ୍ପର୍କରେ କଥା ହୋଇଥିଲି। ସେମାନେ ମଧ୍ୟ ମୋ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ଦୁଇ ପିଲାଙ୍କ ଦାୟିତ୍ୱ ନେବାକୁ ରାଜି ହୋଇଥିଲେ।”

ସମସ୍ତଙ୍କ ସହ କଥା ହେବା ପରେ ବବଲୁ ସ୍ଥାନୀୟ କୋର୍ଟରେ ଗୋଟିଏ ସତ୍ୟପାଠ ଦାଖଲ କରି ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ଓ ଏହାପରେ ପତ୍ନୀଙ୍କୁ ନିଜ ପ୍ରେମିକଙ୍କ ହାତରେ ଟେକି ଦେଇଥିଲେ।

Uttar Pradesh Love Story Husband-wife Relation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe