ଆମେରିକାରେ ରହି ଭାରତରେ ଛାଡ଼ପତ୍ର ପାଇଁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଘରୋଇ ହିଂସା ମହିଳାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇଛି। ସେହିପରି ହନିମୁନ ବେଳେ ପତ୍ନୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବା ଶାରୀରିକ ଦୁର୍ବବ୍ୟବହାର ସହ ସମାନ ବୋଲି ହାଇକୋର୍ଟ କହିଛନ୍ତି।
ଅତିରିକ୍ତ ଭାବେ ତଳ କୋର୍ଟ ଦେଇଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ତଳ କୋର୍ଟ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବା ପତ୍ନୀଙ୍କୁ ୩ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରକୃତରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଆମେରିକାର ନାଗରିକ। ୧୯୯୪ ମସିହା ଜାନୁଆରୀ ୩ରେ ସେମାନେ ମୁମ୍ବାଇରେ ବାହା ହୋଇଥିଲେ। ଆମେରିକାରେ ମଧ୍ୟ ସେମାନେ ଆଉ ଥରେ ବିବାହ ଉତ୍ସବ ମନାଇଥିଲେ। କିନ୍ତୁ ୨୦୦୫-୨୦୦୬ ବେଳକୁ ସେମାନେ ମୁମ୍ବାଇ ଫେରିବା ସହ ଏଠାରେ ଗୋଟିଏ ଘରେ ରହିବା ଆରମ୍ଭ କରିଥିଲେ।
ମୁମ୍ବାଇରେ ପତ୍ନୀ ଚାକିରି କରିବା ପରେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ମା’ଙ୍କ ଘରକୁ ଚାଲି ଯାଇଥିଲେ। ୨୦୧୪-୧୫ ବେଳକୁ ସ୍ୱାମୀ ଜଣଙ୍କ ଆମେରିକା ଚାଲି ଯାଇଥିଲେ। ୨୦୧୭ରେ ସେ ଆମେରିକାରେ ରହି ସେଠାରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।
କୋର୍ଟ ପତ୍ନୀଙ୍କୁ ସମନ ବି କରିଥିଲେ। ସମାନ ବର୍ଷ ପତ୍ନୀ ଜଣଙ୍କ ମୁମ୍ବାଇ ମାଜିଷ୍ଟ୍ରେଟ କୋର୍ଟରେ ଘରୋଇ ହିଂସା ଆଇନ ଅନୁସାରେ ମାମଲା କରିଥିଲେ। ୨୦୧୮ରେ ଆମେରିକାର ଗୋଟିଏ କୋର୍ଟ ଉଭୟଙ୍କ ଛାଡ଼ପତ୍ର ହୋଇ ଯାଇଥିଲା।
ତେବେ ପତ୍ନୀ କରିଥିବା ଆବେଦନର ବିଚାର ଶେଷ ହୋଇ ନଥିଲା। ପତ୍ନୀ ଜଣଙ୍କ କହିଥିଲେ ଯେ ବାହାଘର ପରେ ସେମାନେ ନେପାଳକୁ ହନିମୁନ ପାଇଁ ଯାଇଥିଲେ। ସେତେବେଳେ ସ୍ୱାମୀ ତାଙ୍କୁ ସେକେଣ୍ଡ ହ୍ୟାଣ୍ଡ କହି ଅପମାନିତ କରିଥିଲେ।
କାରଣ ମହିଳା ଜଣଙ୍କ ବାହାଘର ପୂର୍ବରୁ ନିର୍ବନ୍ଧ ପରେ ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ଆମେରିକାରେ ରହିବା ବେଳେ ମହିଳାଙ୍କୁ ତାଙ୍କ ସ୍ୱାମୀ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦେଇ ଚାଲିଥିଲେ।
ସ୍ୱାମୀ ଜଣଙ୍କ ତାଙ୍କ ଚରିତ୍ରକୁ ସନ୍ଦେହ କରିବା ସହ ସମ୍ମାନକୁ କ୍ଷତି ପହଞ୍ଚାଇଥିଲେ। ୧୯୯୯ ମସିହା ନଭେମ୍ବର ମାସରେ ସ୍ୱାମୀ ତାଙ୍କୁ ପ୍ରବଳ ପିଟିଥିଲେ। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ସ୍ୱାମୀଙ୍କୁ ଘରୋଇ ହିଂସା ମାମଲାରେ ଗିରଫ କରିଥିଲା।
ସ୍ୱାମୀ ପ୍ରବଳ ପିଟି ଥିଲେ ହେଁ ସେ ପୁଲିସ୍ ନିକଟରେ କୌଣସି ପ୍ରକାରର ଅଭିଯୋଗ କରି ନଥିଲେ। କିନ୍ତୁ ପୁଲିସ୍ ମହିଳାଙ୍କ ଦେହରେ କ୍ଷତ ଚିହ୍ନ ଦେଖି ନିଜ ଆଡ଼ୁ ମାମଲା କରି ସ୍ୱାମୀଙ୍କୁ ଗିରଫ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ମହିଳାଙ୍କ ଭାଇଙ୍କ ଅନୁରୋଧରେ ସେ ଜାମିନରେ ମୁକୁଳିଥିଲେ ଓ ତାଙ୍କର କାଉନସେଲିଂ କରାଯାଇଥିଲା।
ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୦୦ ମସିହାରେ ତାଙ୍କ ବାପା ମା’ ଆମେରିକା ଯାଇଥିଲେ। ଏହି ସମୟରେ ମହିଳାଙ୍କ ବାପାଙ୍କର ହୃଦଘାତ ହୋଇଥିଲା। କିନ୍ତୁ ସ୍ୱାମୀ ଜଣଙ୍କ ତାଙ୍କୁ ବାପାଙ୍କ ପାଖରେ ରହିବାକୁ ଦେଇ ନଥିଲେ। ଯେତେବେଳେ ଦମ୍ପତି ଭାରତ ଫେରିଥିଲେ ସେତେବେଳେ ସ୍ୱାମୀ ଜଣଙ୍କ ତାଙ୍କ ପତ୍ନୀ ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା କହିଥିଲେ।
କ୍ଷୀରବାଲା ଓ ପରିବାବାଲଙ୍କ ପାଖରେ ପହଞ୍ଚି ସେ ପତ୍ନୀଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା କରିଥିଲେ। ଏକଥା ପତ୍ନୀ ଜଣଙ୍କ ଜଣେ ମନସ୍ତତ୍ତ୍ୱବିତଙ୍କ ସହ ଆଲୋଚନା କରିଥିଲେ। ଏତିକି ବେଳେ ଜଣାପଡ଼ିଥିଲା ଯେ ସ୍ୱାମୀଙ୍କ ମାନସିକ ଅବସ୍ଥା ଠିକ ନାହିଁ। ଡାକ୍ତର ତାଙ୍କର ଚିକିତ୍ସା କରିବାକୁ ଚାହିଁଥିଲେ। କିନ୍ତୁ ସେ ମନା କରି ଦେଇଥିଲେ।
ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ୨୦୦୮ରେ ସ୍ୱାମୀ ଜଣଙ୍କ ତାଙ୍କୁ ଅଣନିଃଶ୍ୱାସୀ କରି ମାରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ଭୟରେ ନିଜ ମା’ଙ୍କ ଘରକୁ ଚାଲି ଯାଇଥିଲେ। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଆଉ ଜଣେ ମହିଳାଙ୍କୁ ମଧ୍ୟ ବିବାହ କରିଛନ୍ତି।
ଏକଥାକୁ ସ୍ୱାମୀ ବିରୋଧ କରିଥିଲେ। କିନ୍ତୁ ମହିଳାଙ୍କ ସବୁ ଅଭିଯୋଗକୁ ମାତ ଦେବାକୁ ସ୍ୱାମୀଙ୍କ ପାଖରେ ଉପଯୁକ୍ତ ପ୍ରମାଣ ନଥିଲା। ଏଥିପାଇଁ ମାଜିଷ୍ଟ୍ରେଟ କୋର୍ଟ ସମସ୍ତ ପ୍ରକାରର ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ।
୨୦୨୩ ମସିହାରେ ମାଜିଷ୍ଟ୍ରେଟ କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ମହିଳା ଜଣଙ୍କ ଘରୋଇ ହିଂସାର ପୀଡ଼ିତା। ମୁମ୍ବାଇରେ ଥିବା ଫ୍ଲାଟକୁ ଉଭୟ ବ୍ୟବହାର କରିବାକୁ ମହିଳା ଜଣଙ୍କ କରିଥିବା ଆବେଦନକୁ ଟ୍ରାଏଲ କୋର୍ଟ ଗ୍ରହଣ କରି ନଥିଲେ। କିନ୍ତୁ ସ୍ୱାମୀ ବିକଳ୍ପ ସ୍ଥାନରେ ରହିବା ପାଇଁ ପତ୍ନୀଙ୍କୁ ମାସିକ ୭୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାପୂର୍ବରୁ ୨୦୧୭ରେ କୋର୍ଟ ଭରପୋଷଣ ପାଇଁ ମାସିକ ୧,୫୦,୦୦୦ ଟଙ୍କା ପତ୍ନୀଙ୍କୁ ସ୍ୱାମୀ ଦେବେ ବୋଲି କହିଥିଲେ। ଏଥିସହ ୨ ମାସ ମଧ୍ୟରେ କ୍ଷତିପୂରଣ ବାବଦରେ ୩ କୋଟି ଓ ଅତିରିକ୍ତ ଭାବେ ଆଉ ୫୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ତଳ କୋର୍ଟଙ୍କ ରାୟକୁ ସ୍ୱାମୀ ଜଣଙ୍କ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଏହାକୁ କୋର୍ଟ ଗ୍ରହଣ କରି ନଥିଲେ। ଏହାପରେ ସେ ହାଇକୋର୍ଟରେ ଗୋଟିଏ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ହାଇକୋର୍ଟ ତଳ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି।