Advertisment

ସମସ୍ତେ ଭାବିଥିଲେ ମରିଯାଇଛନ୍ତି, କିନ୍ତୁ ୨୪ ବର୍ଷ ପରେ ପରିବାର ପାଖକୁ ଫେରିଲେ

ଅୟାଲ ଗାଁରେ ରହୁଥିବା ପ୍ରମୋଦ ୨୦୦୦ ମସିହା ଡିସେମ୍ବର ୪ରେ ହଠାତ୍‌ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ।

Pramod

Pramod

Advertisment

ଦୀର୍ଘ ୨୪ ବର୍ଷ ପରେ ଘଟିଛି ଚମତ୍କାର। ପରିବାର ଲୋକ ମୃତ ଭାବୁଥିବା ସଦସ୍ୟ ଦୀର୍ଘ ୨୪ ବର୍ଷ ପରେ ଫେରିଛନ୍ତି। ୨୪ ବର୍ଷ ପରେ ପରିବାର ଲୋକଙ୍କ ସହ ଏକାଠି ହୋଇ ୫୪ ବର୍ଷୀୟ ପ୍ରମୋଦ ସିଂହ ନେଗୀ ସତେ ଯେମିତି ସ୍ୱର୍ଗ ସୁଖ ପାଇ ଯାଇଛନ୍ତି।

Advertisment

ଉତ୍ତରାଖଣ୍ଡର ପୌରୀ ଗରୱାଲରୁ ଏପରି ଘଟଣା ସାମ୍ନାକୁ ଆସିଛି। ୨୪ ବର୍ଷ ତଳେ ପ୍ରମୋଦ ହଠାତ୍‌ ଘରୁ ଅନ୍ତର୍ଧାନ ହୋଇଯାଇଥିଲେ। ସେ ପ୍ରାଣ ହରାଇଥିବା ପରିବାର ଲୋକ ଭାବି ନେଇଥିଲେ। କିନ୍ତୁ ସେ ୨୪ ବର୍ଷ ପରେ ପରିବାର ପାଖକୁ ଫେରିଛନ୍ତି।

ଅୟାଲ ଗାଁରେ ରହୁଥିବା ପ୍ରମୋଦ ୨୦୦୦ ମସିହା ଡିସେମ୍ବର ୪ରେ ହଠାତ୍‌ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ। ପରିବାର ଲୋକ ତାଙ୍କୁ ଅନେକ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳି ନଥିଲା। ସମୟକ୍ରମେ ପରିବାର ଲୋକ ପ୍ରମୋଦ ମରି ସାରିଥିବା ଭାବି ତାଙ୍କର ଶୁଦ୍ଧିକ୍ରିୟା ମଧ୍ୟ କରିଥିଲେ। ତାଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ ୧୫ ବର୍ଷ ହେଲା ସରକାରଙ୍କ ଠାରୁ ବିଧବା ଭତ୍ତା ପାଉଛନ୍ତି।

Advertisment

ଏସବୁ ଭିତରେ ଡିସେମ୍ବର ୩୦ରେ ଘଟିଥିଲା ଚମତ୍କାର। ଅୟାଲ ଗାଁର ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ପ୍ରମୋଦଙ୍କ ଫଟୋ ଦେଖିବାକୁ ପାଇଥିଲେ। ଗୋଟିଏ ସଂଗଠନ ଫଟୋ ଜାରି କରି ତାଙ୍କ ପରିଚୟ ଖୋଜୁ ଥିବା ସୋଶାଲ ମିଡିଆରେ ପୋଷ୍ଟ କରିଥିଲା। ଗ୍ରାମବାସୀ ଜଣଙ୍କ ଫଟୋଟି ପ୍ରମୋଦଙ୍କର ବୋଲି ଜାଣିପାରି ତୁରନ୍ତ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଖବର ମିଳିବା ମାତ୍ରେ ପ୍ରମୋଦଙ୍କ ୨୬ ବର୍ଷୀୟ ପୁଅ ସୁଦାମା ଓ ଅନ୍ୟ ସମ୍ପର୍କୀୟମାନେ ସୋଶାଲ ମିଡିଆରେ ଥିବା ଠିକଣା ଅନୁସାରେ ପିଥୋରଗଡ଼ର ବାଲୁୱକୋଟରେ ପହଞ୍ଚି ଯାଇଥିଲେ। ସେଠାରେ ୨୪ ବର୍ଷ ହେଲା ରହୁଥିବା ପ୍ରମୋଦଙ୍କୁ ଦେଖିବାକୁ ପାଇଥିଲେ।

ସ୍ଥାନୀୟ ଲୋକଙ୍କ କହିବା କଥା ପ୍ରମୋଦ ଏଠାରେ ଥିବା ଗୋଟିଏ ମନ୍ଦିରର କ୍ୟାମ୍ପସରେ ରହୁଥିଲେ। ସେହିପରି ଜୀବନ ଧାରଣ ପାଇଁ ଛୋଟମୋଟ କାମ କରୁଥିଲେ। ସେ ସମ୍ଭବତଃ ସ୍ମୃତି ଶକ୍ତି ହରାଇଥିବାରୁ ପରିବାର ଲୋକଙ୍କ ସହ ଯୋଗାଯୋଗ କରିପାରି ନଥିଲେ। ମନ୍ଦିର କ୍ୟାମ୍ପସରେ ରହିବା ବେଳେ ମଧ୍ୟ ସେ କାହା ସହ ବେଶୀ କଥା ମଧ୍ୟ ହେଉ ନଥିଲେ।

ନିକଟରେ ଜୀବନ ଠାକୁର ନାମକ ଜଣେ ସାମାଜିକ କର୍ମୀ ପ୍ରମୋଦଙ୍କୁ ଭେଟିଥିଲେ। ତାଙ୍କ ସମ୍ପର୍କରେ ଜାଣିବା ପାଇଁ ସେ ଚେଷ୍ଟା କରିଥିଲେ। ସେ ନିୟମିତ ତାଙ୍କୁ ପ୍ରଶ୍ନ କରିବାରୁ ପ୍ରମୋଦ ବହୁତ କଷ୍ଟରେ ତାଙ୍କ ଗାଁ ଅୟାଲ ବୋଲି କହିଥିଲେ।

ଜୀବନ ଠାକୁର କହିଛନ୍ତି, “ମୁଁ ଅୟାଲ ଗାଁକୁ ଅନଲାଇନରେ ସର୍ଚ୍ଚ କରିବା ପରେ ଏହା ପୌରୀ ଗରୱାଲରେ ବୋଲି ଜାଣିବାକୁ ପାଇଥିଲି। ଏହାପରେ ପ୍ରମୋଦଙ୍କ ଫଟୋ ଓ ତାଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଥିଲି। ଜଣେ ବ୍ୟକ୍ତି ପ୍ରମୋଦଙ୍କ ସମ୍ପର୍କରେ ସୂଚନା ପାଇ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ଏବେ ପ୍ରମୋଦଙ୍କ ପରିବାର ଲୋକ ଏଠାରେ ପହଞ୍ଚିଛନ୍ତି। ପ୍ରମୋଦଙ୍କ ହାତରେ ଥିବା ଗୋଟିଏ ଟାଟୁ ତାଙ୍କ ପରିଚୟକୁ ଆହୁରି ସ୍ପଷ୍ଟ କରିଥିଲା।”

ସୁଦାମାଙ୍କୁ ମାତ୍ର ଗୋଟିଏ ବର୍ଷ ହୋଇଥିଲା ବେଳେ ତାଙ୍କ ବାପା ପ୍ରମୋଦ ଘରୁ ଚାଲି ଯାଇଥିଲେ। ଏବେ ସେ ବାପାଙ୍କୁ ପାଇ ପୂରା ଖୁସି ହୋଇଯାଇଛନ୍ତି। ପ୍ରମୋଦ ଘରୁ ଚାଲିଯିବା ପରେ ପରିବାର ଲୋକ ଅନେକ କଷ୍ଟର ସାମ୍ନା କରିଥିଲେ।

ପ୍ରମୋଦଙ୍କ ବାପା ମା’ ଆଉ ଏ ଦୁନିଆରେ ନାହାନ୍ତି। ୨୦୨୪ ନଭେମ୍ବର ମାସରେ ପ୍ରମୋଦଙ୍କ ବଡ଼ ପୁଅ ତେଜପାଲ ଆତ୍ମହତ୍ୟା କରିଥିଲେ। କିନ୍ତୁ ପ୍ରମୋଦଙ୍କୁ ପାଖରେ ପାଇ ପରିବାର ଲୋକଙ୍କ କଷ୍ଟ ସାମାନ୍ୟ ଦୂର ହୋଇଛି। ଏବେ ପ୍ରମୋଦଙ୍କ ଚିକିତ୍ସା ଡେରାଡୁନରେ ଚାଲିଥିବା ଜଣାପଡ଼ିଛି।

Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe