Advertisment

ଘର ବିକ୍ରି କରି ପାଇଥିଲେ ୧.୩ କୋଟି, ଚାକିରି ଲୋଭ ଦେଖାଇ ନେଇଗଲେ ସାଇବର ଠକ

ବ୍ୟକ୍ତି ଜଣଙ୍କ ତାଙ୍କ କଥା ଅନୁସାରେ କାମ କରିଥିଲେ। ପ୍ରାଥମିକ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଗୋଟିଏ ହୋଟେଲର ରିଭ୍ୟୁ କରି ୭ ହଜାର ଟଙ୍କା ପାଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ସାଇବର ଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୨୭ କୋଟି ଟଙ୍କା ପଠାଇ ସବୁ କିଛି ହରାଇଛନ୍ତି।

Cyber

Cyber

Advertisment

ପୁଣିଥରେ ସାଇବର ଠକଙ୍କ ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି। ସାଇବର ଠକଙ୍କ ଜାଲରେ ଫସି ହରାଇଛନ୍ତି କୋଟିଏରୁ ଅଧିକ ଟଙ୍କା। କେନ୍ଦ୍ରୀୟ ମୁମ୍ବାଇରେ ରହୁଥିବା ଜଣେ ୫୩ ବର୍ଷୀୟ ବ୍ୟକ୍ତିଙ୍କ ସହ ଏପରି ଘଟିଛି। ବ୍ୟକ୍ତି ଜଣଙ୍କ ନିଜର ଫ୍ଲାଟ ବିକ୍ରି କରି ୧.୨୭ କୋଟି ଟଙ୍କା ପାଇଥିଲେ। ଏହି ଟଙ୍କାରେ ସେ ନୂଆ ଫ୍ଲାଟ କିଣିବାକୁ ଯୋଜନା କରିଥିଲେ। ହେଲେ ତାଙ୍କର ସବୁ ଟଙ୍କା ସାଇବର ଠକମାନେ ନେଇ ଯାଇଛନ୍ତି।

Advertisment

ସବୁଥର ପରି ଏଥର ମଧ୍ୟ ସାଇବର ଠକମାନେ ବ୍ୟକ୍ତି ଜଣଙ୍କୁ ପାର୍ଟ ଟାଇମ ଚାକିରିର ଲୋଭ ଦେଖାଇଥିଲେ। ସେ ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ଏବେ ସର୍ବସ୍ୱାନ୍ତ ହୋଇଛନ୍ତି। ଫେବୃଆରୀ ୯ରେ ବ୍ୟକ୍ତି ଜଣଙ୍କ ପାଖକୁ ଟେଲିଗ୍ରାମରେ ଜଣେ ମହିଳା ପାର୍ଟ ଟାଇମ ଚାକିରି ପାଇଁ ମେସେଜ କରିଥିଲେ।

ମହିଳା ଜଣଙ୍କ ତାଙ୍କୁ ପ୍ରଲୋଭିତ କରିବା ସହ କିଛି ସିନେମାର ଓ ହୋଟେଲର ଲିଙ୍କ ପଠାଇଥିଲେ। ଏହାକୁ ରେଟିଂ, ଲାଇକ କରିବା ସହ ଏହାର ସ୍କ୍ରିନ ଶଟ୍‌ ନେଇ ପୁଣି ପଠାଇବାକୁ କହିଥିଲେ।

Advertisment

ବ୍ୟକ୍ତି ଜଣଙ୍କ ତାଙ୍କ କଥା ଅନୁସାରେ କାମ କରିଥିଲେ। ପ୍ରାଥମିକ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଗୋଟିଏ ହୋଟେଲର ରିଭ୍ୟୁ କରି ୭ ହଜାର ଟଙ୍କା ପାଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ସାଇବର ଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୨୭ କୋଟି ଟଙ୍କା ପଠାଇ ସବୁ କିଛି ହରାଇଛନ୍ତି।

ଠକ ଯୋଜନାଗୁଡ଼ିକ ଉପରେ ଲୋକଙ୍କ ବିଶ୍ୱାସ ସୃଷ୍ଟି କରିବାକୁ ଠକମାନେ ପ୍ରଥମେ ଅଳ୍ପ ପରିମାଣର ଟଙ୍କା ଦେଇଥିଲେ। ଏହାପରେ ଲୋକମାନଙ୍କୁ ବିପୁଳ ପରିମାଣର ଟଙ୍କା ନିବେଶ କରିବାକୁ କହି ସେମାନଙ୍କୁ ଠକିଛନ୍ତି। ଏହି ଘଟଣାରେ ଯେତେବେଳେ ବ୍ୟକ୍ତି ଜଣଙ୍କ ପାର୍ଟ ଟାଇମ ଚାକିରି ପ୍ରତି ଆଗ୍ରହ ଦେଖାଇଥିଲେ ସେତେବେଳେ ମହିଳା ଜଣଙ୍କ ତାଙ୍କୁ ୱେବ ଲିଙ୍କ୍‌ ପଠାଇଥିଲେ। ଏଥିସହ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଦେବାକୁ କହିଥିଲେ। ମହିଳା ଜଣଙ୍କ ବିଶ୍ୱାସ ସୃଷ୍ଟି କରିବା ପାଇଁ ଇ-ୱାଲେଟର ଲଗଇନ ଓ ପାସ୍‌ୱାର୍ଡ ମଧ୍ୟ ଦେଇଥିଲେ।

ପ୍ରଥମେ ସେ ତାଙ୍କୁ ଆକାଉଣ୍ଟରେ ୧୦ ହଜାର ଟଙ୍କା ଜମା କରିବାକୁ କହିଥିଲେ। ବ୍ୟକ୍ତି ଜଣଙ୍କ ଟଙ୍କା ମଧ୍ୟ ଜମା କରିଥିଲେ। ମହିଳା ଜଣଙ୍କ ପଠାଇଥିବା ଲିଙ୍କରେ ହୋଟେଲ ଶିଳ୍ପର ବିଭିନ୍ନ ତଥ୍ୟ ରହିଥିଲା। ୱେବସାଇଟ କଣ୍ଟେଣ୍ଟର ରେଟିଂ କରିବା ସହ ଏହାର ସ୍କ୍ରିନ ଶଟ ପଠାଇବାକୁ ମହିଳା ଜଣଙ୍କ କହିଥିଲେ। ବ୍ୟକ୍ତି ଜଣଙ୍କ ଏପରି କରିବା କ୍ଷଣି ତାଙ୍କ ଆକାଉଣ୍ଟକୁ ୧୭,୩୭୨ ଟଙ୍କା ଆସିଥିଲା।

ଏହାପରେ ମହିଳା ଜଣଙ୍କ ତାଙ୍କୁ ଗୋଟିଏ ସିନେମାର ଲିଙ୍କ ପଠାଇବା ସହ ଏହାକୁ ରେଟିଂ କରିବାକୁ କହିଥିଲେ। ଏଥିସହ ୩୨ ହଜାର ଟଙ୍କା ଜମା କରିବାକୁ କହିଥିଲେ। ବ୍ୟକ୍ତି ଜଣଙ୍କ ମଧ୍ୟ ତାଙ୍କ କଥା ମାନିଥିଲେ। ସେ ସିନେମାର ରେଟିଂ ପଠାଇବା ମାତ୍ରେ ତାଙ୍କ ଇ-ୱାଲେଟରେ ୫୫ ହଜାର ଟଙ୍କା ଜମା ହୋଇଯାଇଥିଲା।

ଏହାକୁ ଦେଖି ବ୍ୟକ୍ତି ଜଣଙ୍କ ପୂରା ଖୁସି ହୋଇଯାଇଥିଲେ। ଏହାପରେ ମହିଳାଙ୍କ ଆକାଉଣ୍ଟକୁ ସେ ୫୦ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ମହିଳା ଜଣଙ୍କ ବେଶ ଚାଲାକିର ସହ ବୈଷୟିକ ତ୍ରୁଟିର ଆଳ ଦେଖାଇ ପୁଣି ଟଙ୍କା ମାଗିଥିଲେ। ଏଥର ବ୍ୟକ୍ତି ଜଣଙ୍କ ୫୫ ହଜାର ଟଙ୍କା ପଠାଇଥିଲେ।

ମେ’ ୧୭ରେ ମହିଳା ଜଣଙ୍କ ଦେଇଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ବ୍ୟକ୍ତି ଜଣଙ୍କ ପୁଣି ୪୮ ଲକ୍ଷ ଟଙ୍କା ପଠାଇଥିଲେ। ମହିଳା ଜଣଙ୍କ ତାଙ୍କୁ ଗୋଟିଏ ଲିଙ୍କ ପଠାଇ ସବୁ ଟ୍ୟାକ୍ସ ଶେଷ କରିବାକୁ କହିଥିଲେ। ବ୍ୟକ୍ତି ଜଣଙ୍କ ଟ୍ୟାକ୍ସ ଶେଷ କରିବା ପରେ ତାଙ୍କ ଇ-ୱାଲେରେ ୬୦ ଲକ୍ଷ ଟଙ୍କା ହୋଇଯାଇଥିଲା। ଯଦି ଏହି ୬୦ ଲକ୍ଷ ଟଙ୍କା ବ୍ୟକ୍ତି ଜଣଙ୍କ ନିଜ ଆକାଉଣ୍ଟକୁ ନେବାକୁ ଚାହୁଁଛନ୍ତି, ତା’ହେଲେ ତାଙ୍କୁ ଅତିରିକ୍ତ ୩୦ ଲକ୍ଷ ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ପଠାଇବାକୁ ପଡ଼ିବ ବୋଲି କୁହାଯାଇଥିଲା।

ମେ’ ୧୮ରେ ବ୍ୟକ୍ତି ଜଣଙ୍କ ମହିଳା ଦେଇଥିବା ଆକାଉଣ୍ଟ ନମ୍ବରରେ ୭୬ ଲକ୍ଷ ଟଙ୍କା ପଠାଇଥିଲେ। ତେବେ ସବୁ ପ୍ରକାରର ରିଭ୍ୟୁ ଓ ପେମେଣ୍ଟ କରିବା ପରେ ବ୍ୟକ୍ତି ଜଣଙ୍କ ଆକାଉଣ୍ଟକୁ ଆଉ କୌଣସି ଟଙ୍କା ଆସି ନଥିଲା। ଏଥିପାଇଁ ସେ ମହିଳାଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ପ୍ରକାରର ଲାଭ ପାଇ ନଥିଲେ। ଶେଷରେ ନିରାଶ ହୋଇ ସେ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶର ୮ଟି ଆକାଉଣ୍ଟକୁ ମୋଟ ୧.୨୭ କୋଟି ଟଙ୍କା ଯାଇଛି। ପୁଲିସ୍‌ ସମସ୍ତ ୮ ଆକାଉଣ୍ଟକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି।

Cyber Attack Cyber Crime Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe