ପତ୍ନୀ ଜୀବିତ, ହେଲେ କାହିଁକି ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଯିବାକୁ ପଡ଼ିଥିଲା ଜେଲ?

ପୁଲିସ୍‌ ବେଟ୍ଟାଦାରାପୁରା ଠାବ କରିଥିବା କଙ୍କାଳ କାହାର? କାହିଁକି ପୁଲିସ୍‌ ମିଥ୍ୟା ଓ ତ୍ରୁଟିପୂର୍ଣ୍ଣ ଚାର୍ଜଶିଟ ଦାଖଲ କରିଥିଲା?

representational image

  • Published: Saturday, 05 April 2025
  • , Updated: 05 April 2025, 09:41 AM IST

ହତ୍ୟା ମାମଲାରେ ପୁଲିସର ସାଂଘାତିକ ତ୍ରୁଟି। ପତ୍ନୀଙ୍କୁ ମାରିବା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା। ଦେଢ଼ ବର୍ଷ କାଳ ସ୍ୱାମୀ ଜେଲରେ ରହିଥିଲେ। କିନ୍ତୁ ୨୦୨୦ରୁ ସ୍ୱାମୀଙ୍କ ଦ୍ୱାରା ତଥାକଥିତ ହତ୍ୟାର ଶିକାର ହୋଇଥିବା ମହିଳା ଜଣଙ୍କ ଏବେ ଜୀବିତ ଥିବା ଜଣାପଡ଼ିଛି। ମହିଳା ଜଣଙ୍କ କୋର୍ଟରେ ହାଜର ହେବା ପରେ ପୁଲିସ୍‌ର ତ୍ରୁଟି ସାମ୍ନାକୁ ଆସିଛି। ଏହାକୁ କର୍ଣ୍ଣାଟକାର ମହୀଶୂରରେ ଥିବା ଗୋଟିଏ କୋର୍ଟ ବେଶ ଗୁରୁତ୍ୱର ସହ ନେଇଛନ୍ତି। କୋର୍ଟ ପୁଲିସ୍‌ ଉପରେ ଅସନ୍ତୋଷ ଝାଡ଼ି ଏପ୍ରିଲ ୧୭ ସୁଦ୍ଧାର ରିପୋର୍ଟ ଦାଖଲ କରିବାକୁ ସ୍ଥାନୀୟ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପତ୍ନୀ ମାଲିଗେଙ୍କୁ ହତ୍ୟା କରିବା ଅଭିଯୋଗରେ ସୁରେଶ ଦେଢ଼ ବର୍ଷର ଜେଲଦଣ୍ଡ ଭୋଗି ସାରିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି। କୋଡାଗୁ ଜିଲ୍ଲାର କୁଶଲନଗରରେ ୩୮ ବର୍ଷୀୟ ସୁରେଶ ଓ ତାଙ୍କ ପତ୍ନୀ ମାଲିଗେ ରହୁଥିଲେ। କିନ୍ତୁ ୨୦୨୦ ମସିହା ଡିସେମ୍ବରରେ ସୁରେଶ ପତ୍ନୀଙ୍କ ନିଖୋଜ ହେବା ନେଇ ଗୋଟିଏ ଅଭିଯୋଗ ପୁଲିସ୍‌ ନିକଟରେ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ବେଟ୍ଟାଦାରାପୁରାରୁ ଜଣେ ମହିଳାଙ୍କ କଙ୍କାଳ ଜବତ କରିଥିଲା।

ଏହାପରେ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲା। ପୁଲିସ୍‌ ଜବତ କରିଥିବା କଙ୍କାଳକୁ ମାଲିଗେଙ୍କର କହିବା ସହ ନିଖୋଜ ଅଭିଯୋଗ ଦାଖଲ କରିଥିବା ସ୍ୱାମୀ ସୁରେଶ ହିଁ ତାଙ୍କୁ ହତ୍ୟା କରିଥିବା ଚାର୍ଜଶିଟରେ ଉଲ୍ଲେଖ କରିଥିଲା। ପୁଲିସ୍‌ ସୁରେଶଙ୍କୁ ଗିରଫ କରିବା ସହ ଜେଲକୁ ପଠାଇ ଦେଇଥିଲା।

ତେବେ ଏପ୍ରିଲ ୧ରେ ଘଟିଥିଲା ଚକିତ କରିବା ଭଳି ଘଟଣା। ମାଲିଗେଙ୍କୁ ମାଡିକେରିରୁ ସୁରେଶଙ୍କ ଜଣେ ବନ୍ଧୁ ପ୍ରଥମେ ଠାବ କରିଥିଲେ। ସେ ଆଉ ଜଣେ ବ୍ୟକ୍ତିଙ୍କ ସହ ବୁଲୁଥିବା ସୁରେଶଙ୍କ ବନ୍ଧୁ ଦେଖିଥିଲେ। ତୁରନ୍ତ ସେ ଏକଥା ସୁରେଶ ଓ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ସେମାନେ ୫ମ ଅତିରିକ୍ତ ଜିଲ୍ଲା ଓ ସେସନ୍ସ କୋର୍ଟଙ୍କୁ ଅବଗତ କରାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ମାଲିଗେଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ମାଲିଗେଙ୍କୁ ଜୀବନ୍ତ ଅବସ୍ଥାରେ ଦେଖି କୋର୍ଟ ପୁଲିସ୍‌ ତଦନ୍ତରେ ଥିବା ତ୍ରୁଟିକୁ ସମାଲୋଚନା କରିଛନ୍ତି। ଏଥିସହ ଏପ୍ରିଲ ୧୭ ସୁଦ୍ଧା ଘଟଣା ସମ୍ପର୍କରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ମହୀଶୂର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁରେଶଙ୍କ ଓକିଲ ପାଣ୍ଡୁ ପୂଜାରୀ କହିଛନ୍ତି, “କୁଶଲନଗରରେ ଥିବା ଗୋଟିଏ ଗାଁରେ ସୁରେଶଙ୍କ ଘର। ସେ ୨୦୨୦ ମସିହାରେ କୁଶଲନଗର ପୁଲିସ୍‌ ଷ୍ଟେସନରେ ନିଜ ପତ୍ନୀଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ।

ପୁଲିସ ତଦନ୍ତ ସମୟରେ ବେଟ୍ଟାଦାରାପୁରାରୁ ଗୋଟିଏ କଙ୍କାଳ ଜବତ କରିଥିଲା। କଙ୍କାଳ ମିଳିବାର ଗୋଟିଏ ବର୍ଷ ପରେ ବେଟ୍ଟାଦାରାପୁରା ପୁଲିସ୍‌ ସୁରେଶଙ୍କୁ ଗିରଫ କରିଥିଲା। ପତ୍ନୀଙ୍କ ପରକୀୟା ପ୍ରୀତି ଯୋଗୁ ସୁରେଶ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଥିଲା। ତାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଥିଲା। ପୁଲିସ୍‌ ମାଲିଗେଙ୍କ ମା’ଙ୍କ ରକ୍ତ ନମୁନା ସହ ମିଳିଥିବା କଙ୍କାଳକୁ ଡିଏନଏ ଟେଷ୍ଟ ପାଇଁ ପଠାଇଥିଲା।

ଡିଏନଏ ରିପୋର୍ଟ ଆସିବା ପୂର୍ବରୁ ପୁଲିସ୍‌ କୋର୍ଟରେ ଚୂଡ଼ାନ୍ତ ଚାର୍ଜଶିଟ ଦାଖଲ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ସୁରେଶଙ୍କୁ ଜାମିନ ମିଳିଥିଲା। ଡିଏନଏ ଟେଷ୍ଟ ମଧ୍ୟ ମେଳ ଖାଇ ନଥିଲା। ଡିଏନଏ ରିପୋର୍ଟ ମେଳ ଖାଉ ନଥିବାରୁ ଗୋଟିଏ ଡିସଚାର୍ଜ ଆପ୍ଲେକସନ ଦାଖଲ କରାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ। କୋର୍ଟ ମାଲିଗେଙ୍କ ମା’ ଓ ଗାଁ ଲୋକଙ୍କ ବୟାନକୁ ଯାଞ୍ଚ କରିବାକୁ କହିଥିଲେ।

ସମସ୍ତେ କୋର୍ଟଙ୍କ ଆଗରେ କହିଥିଲେ ଯେ ମାଲିଗେ ଜୀବିତ ଓ ସେ କାହା ସହ ଫେରାର ହୋଇଯାଇଛନ୍ତି। କୋର୍ଟ କୁଶଲନଗର ଓ ବେଟ୍ଟାଦାରାପୁରା ପୁଲିସ୍‌କୁ ଚାର୍ଜଶିଟରେ ଥିବା ଅସଙ୍ଗତି ସମ୍ପର୍କରେ ପ୍ରଶ୍ନ କରିଥିଲେ। କିନ୍ତୁ ସେମାନେ ନିଜ ତଦନ୍ତର ଓକିଲାତି କରିଥିଲେ ଓ ମିଳିଥିବା କଙ୍କାଳ ମାଲିଗେଙ୍କର ବୋଲି କହିଥିଲେ। ଏଥିସହ ସୁରେଶ ହିଁ ପତ୍ନୀ ମାଲିଗେଙ୍କୁ ହତ୍ୟା କରିଥିବା ପୁଲିସ୍‌ ବାରମ୍ବାର ଦୋହରାଇଥିଲା।”

ଏପ୍ରିଲ ୧ରେ ମାଲିଗେଙ୍କୁ ମାଡିକେରି ସ୍ଥିତ ଗୋଟିଏ ହୋଟେଲରେ ଆଉ ଜଣେ ବ୍ୟକ୍ତିଙ୍କ ସହ ଖାଉଥିବା ଦେଖାଯାଇଥିଲା। ସୁରେଶଙ୍କ ଜଣେ ବନ୍ଧୁ ତାଙ୍କୁ ଦେଖିଥିଲେ। ଉକ୍ତ ବନ୍ଧୁଙ୍କ ନାଁ ଚାର୍ଜଶିଟରେ ସାକ୍ଷୀ ଭାବେ ପୁଲିସ୍‌ ଉଲ୍ଲେଖ କରିଥିଲା। ହୋଟେଲରୁ ଖାଇବା ବେଳେ ଠାବ ହୋଇଥିବା ମାଲିଗେଙ୍କୁ ତୁରନ୍ତ ମାଡିକେରି ପୁଲିସ୍‌ ଷ୍ଟେସନକୁ ନିଆଯାଇଥିଲା। ଏହାପରେ ଜିଲ୍ଲା ଜଜଙ୍କ ନିକଟରେ ଗୋଟିଏ ଆଡଭାନ୍ସମେଣ୍ଟ ଆପ୍ଲିକେସନ ଦାଖଲ କରାଯାଇଛି।

ଓକିଲ ପୂଜାରୀ କହିଛନ୍ତି, “କୋର୍ଟ ମାମଲାକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି। ମାଲିଗେଙ୍କୁ ତୁରନ୍ତ ହାଜର କରିବାକୁ କୋର୍ଟ କହିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ କୋର୍ଟରେ ହାଜର କରାଇଥିଲା। କୋର୍ଟରେ ମାଲିଗେ ସ୍ୱୀକାର କରିଛନ୍ତି ଯେ ସେ ଘରୁ ଫେରାର ହେବା ସହ ଆଉ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ସୁରେଶଙ୍କ ସହ କ’ଣ ସବୁ ଘଟିଛି, ସେବିଷୟରେ ତାଙ୍କୁ ଜଣା ନଥିଲା। ଘର ଛାଡ଼ିବା ପରେ ସେ ମାଡିକେରି ଠାରୁ ୨୫ରୁ ୩୦ କିମି ଦୂରରେ ଥିବା ଶେଟ୍ଟୀହାଲି ଗାଁରେ ରହୁଛନ୍ତି। କିନ୍ତୁ ପୁଲିସ୍‌ ତାଙ୍କୁ ଠାବ କରିବାକୁ ଆଦୌ ଚେଷ୍ଟା କରି ନଥିଲା।”

କୋର୍ଟ ଘଟଣାକୁ ଗୁରୁତ୍ୱର ଓ ବିରଳ ଭାବେ ଅବିହିତ କରିଛନ୍ତି। ଏବେ କୋର୍ଟଙ୍କ ଆଗରେ ଏକାଧିକ ପ୍ରଶ୍ନ ଉଠିଛି। ପୁଲିସ୍‌ ବେଟ୍ଟାଦାରାପୁରା ଠାବ କରିଥିବା କଙ୍କାଳ କାହାର? କାହିଁକି ପୁଲିସ୍‌ ମିଥ୍ୟା ଓ ତ୍ରୁଟିପୂର୍ଣ୍ଣ ଚାର୍ଜଶିଟ ଦାଖଲ କରିଥିଲା? କୋର୍ଟ ସ୍ଥାନୀୟ ଏସ୍‌ପି ଓ ତଦନ୍ତକାରୀ ଅଧିକାରୀଙ୍କୁ ସମନ କରିଥିଲେ। କିନ୍ତୁ ସେମାନେ କୌଣସି ଉତ୍ତର ଦେଇ ନାହାନ୍ତି। କୋର୍ଟ ସୁରେଶଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପୂର୍ବରୁ ଏସ୍‌ପିକୁ ତ୍ରୁଟି ନେଇ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କହିଛନ୍ତି।

ତଳ କୋର୍ଟ ରାୟ ଦେଇ ସୁରେଶଙ୍କୁ ଛାଡ଼ିବା ପରେ ତାଙ୍କ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ପୁଲିସର ଅବହେଳା ପାଇଁ ସୁରେଶ ଦେଢ଼ ବର୍ଷ କାଳ ଜେଲରେ ରହିଥିଲେ। ତେଣୁ ତାଙ୍କ ପାଇଁ କ୍ଷତି ପୂରଣ ଦାବି କରାଯିବ। ଓକିଲ ଜଣଙ୍କ ଆହୁରି କହିଛନ୍ତି ଯେ ସୁରେଶ ଜଣେ ଗରିବ ଏସ୍‌ଟି ସଂପ୍ରଦାୟର ଲୋକ। ତାଙ୍କୁ ନ୍ୟାୟ ଦେବାକୁ ସେ ମାନବାଧିକାର କମିଶନ ଓ ଏସ୍‌ଟି କମିଶନଙ୍କ ପାଖକୁ ମଧ୍ୟ ଯିବେ। ସେହିପରି କଙ୍କାଳ ଠାବ କରି ଉଭୟ କେସକୁ ବନ୍ଦ କରି ସୁରେଶଙ୍କୁ ଫସାଇବାକୁ ପୁଲିସ୍‌ ଷଡ଼ଯନ୍ତ୍ର କରିଥିଲା କି ନାହିଁ, ତା’ର ମଧ୍ୟ ତଦନ୍ତ କରିବାକୁ ଦାବି କରାଯିବ ବୋଲି ଓକିଲ ଜଣଙ୍କ କହିଛନ୍ତି।

Related story