ବହୁ ଚର୍ଚ୍ଚିତ ଗୋଧ୍ରା ଟ୍ରେନ ପୋଡ଼ି ଘଟଣାର ଜଣେ ଦୋଷୀକୁ ଫେରାର ହେବାର ଦୀର୍ଘ ଗୋଟିଏ ବର୍ଷ ପରେ ଗୁଜରାଟ ପୁଲିସ୍ ଗିରଫ କରିବାକୁ ସକ୍ଷମ ହୋଇଛି। ଏହି ବ୍ୟକ୍ତି ଜଣକ ଗୋଧ୍ରା ଟ୍ରେନ ପୋଡ଼ି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲା।
ତାକୁ ଆଇଜୀବନ ଜେଲଦଣ୍ଡ ମଧ୍ୟ ମିଳିଥିଲା। ତେବେ ସେ କିଛି ଦିନ ପାଇଁ ପାରୋଲରେ ଜେଲରୁ ମୁକୁଳିଥିବା ବେଳେ ଆଉ ଫେରି ନଥିଲା। ପୁଲିସ୍ ତାକୁ ବର୍ଷେ ହେଲା ଖୋଜୁ ଥିବା ବେଳେ ଏବେ ସେ ଗୁଜରାଟର ପଞ୍ଚମହଲ ଜିଲ୍ଲାରୁ ଧରାପଡ଼ିଛି।
ପାରୋଲରେ ଆସି ଆଉ ଫେରି ନଥିବା ବ୍ୟକ୍ତି ଜଣକ ହେଲା ସତ୍ତାର। ତାକୁ ଖୋଜାଖୋଜି ଚାଲିଥିବା ବେଳେ ଏବେ ପୁଲିସ୍କୁ ତା’ ସମ୍ପର୍କରେ ଗୁପ୍ତ ସୂଚନା ପାଇଥିଲା। ସତ୍ତାର ଲିମଖେଡା ଠାରେ ରହୁଥିବା ଜଣାପଡ଼ିବା ପରେ ସ୍ୱତନ୍ତ୍ର ଟିମ ଶନିବାର ସେଠାରେ ପହଞ୍ଚି ଥିଲା। ଏହାପରେ ସେଠାରୁ ତାକୁ ଗିରଫ କରାଯାଇଛି।
ଗିରଫ ପରେ ତାକୁ ସିଟି ବି ଡିଭିଜନ ପୁଲିସ୍କୁ ହସ୍ତାନ୍ତର କରାଯାଇଛି। ଏବେ ସେ ସାବରମତି କେନ୍ଦ୍ରୀୟ ଜେଲରେ ରହିବ। ୨୦୦୨ ମସିହା ଫେବୃଆରୀ ୨୭ରେ ସାବରମତି ଏକ୍ସପ୍ରେସର ଦୁଇଟି ବଗିରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଗୁଜରାଟରେ ସୃଷ୍ଟି ହୋଇଥିବା ଦଙ୍ଗା ୧୨ ଶହରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା।
ଟ୍ରେନ ପୋଡ଼ି ଘଟଣାରେ ପୁଲିସ୍ ୨୦୦୨ ମସିହା ମାର୍ଚ୍ଚରେ ସତ୍ତାରକୁ ଗିରଫ କରିଥିଲା। ଏଥିସହ ଆଉ କିଛି ଲୋକଙ୍କୁ ମଧ୍ୟ ବାନ୍ଧିଥିଲା। ୨୦୧୧ ମାର୍ଚ୍ଚରେ ୧୧ ଅଭିଯୁକ୍ତଙ୍କୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୨୦ ଜଣଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ୬ ବର୍ଷ ପରେ ଗୁଜରାଟ ହାଇକୋର୍ଟ ୧୧ ଜଣଙ୍କ ଫାଶୀଦଣ୍ଡକୁ ଆଜୀବନ ଜେଲଦଣ୍ଡରେ ପରିଣତ କରିଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।