ଫେରାର ଥିବା ଯୁବକ
ଏକତରଫା ପ୍ରେମରୁ ଘଟିଛି ଭୟଙ୍କର କାଣ୍ଡ। ବିଚ୍ ରାସ୍ତାରେ ଜଣେ ୧୭ ବର୍ଷୀୟ ଝିଅ ଉପରକୁ ହୋଇଛି ଗୁଳିମାଡ଼। କିଛି ଦିନ ଧରି ନବାଳିକାଙ୍କ ପିଛା କରି ପ୍ରେମ ନିବେଦନ କରୁଥିବା ଜଣେ ଯୁବକ ଏପରି କାଣ୍ଡ ଘଟାଇଛନ୍ତି।
ହରିୟାଣା(Haryana)ର ଫରିଦାବାଦ ସ୍ଥିତ ବଲ୍ଲଭଗଡ଼ ଠାରେ ଘଟିଥିବା ଏହି ଘଟଣା(Shooting)ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ନାବାଳିକାଙ୍କ ଦେହରେ ଦୁଇଟି ଗୁଳି ବାଜି ଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଗୁଳି ମାରି ଫେରାର ହୋଇଯାଇଥିବା ଯୁବକଙ୍କୁ ଧରିବାକୁ ପୁଲିସ୍ ଖୋଜିବାରେ ଲାଗିଛି।
ପ୍ରାଥମିକ ରିପୋର୍ଟ ଅନୁସାରେ, ସୋମବାର ସନ୍ଧ୍ୟାରେ ବଲ୍ଲଭଗଡ଼ର ଶ୍ୟାମ କଲୋନୀରେ ପୂରା ଘଟଣା ଘଟିଛି। ନାବାଳିକା ଜଣଙ୍କ କୋଚିଂ କ୍ଲାସର ଲାଇବ୍ରେରୀରୁ ପାଠପଢ଼ି ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳି ମାଡ଼ ହୋଇଛି।
ଗୁଳି ମାଡ଼ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ଯତୀନ ମଙ୍ଗଲା। ସେ ବେଶ କିଛି ଦିନ ହେଲା ନାବାଳିକାଙ୍କ ପିଛା କରୁଥିଲେ। ଏପରି କି ସେ ନାବାଳିକାଙ୍କୁ ପ୍ରେମ ନିବେଦନ କରି ବିଫଳ ମଧ୍ୟ ହୋଇଥିଲେ। ଏହି କାରଣରୁ ସେ ବିଚ୍ ରାସ୍ତାରେ ନାବାଳିକାଙ୍କୁ ଗୁଳି ଚଳାଇଥିବା କୁହାଯାଇଛି।
ସାମ୍ନାକୁ ଆସିଥିବା ସିସିଟିଭି ଦୃଶ୍ୟରେ ଦେଖିବାକୁ ମିଳୁଛି ଯେ ଯତୀନ ଗୋଟିଏ ବାଇକ ନିକଟରେ ସେ ଛିଡ଼ା ହୋଇଛନ୍ତି। ଏହି ସମୟରେ ସେ ବ୍ୟାଗରେ କିଛି ଗୋଟିଏ ଜିନିଷ ଲୁଚାଇ ରଖିଥିବା ଜଣାପଡ଼ୁଛି। କିଛି କ୍ଷଣ ପରେ ନାବାଳିକା ଜଣଙ୍କ ସେହି ରାସ୍ତାରେ ଦୁଇ ଜଣ ସାଙ୍ଗଙ୍କ ସହ ଯାଉଥିଲେ।
ନାବାଳିକାଙ୍କୁ ଦେଖିବା କ୍ଷଣି ଯତୀନ ବନ୍ଧୁକ ବାହାର କରିଥିଲେ। ଏହାପରେ ରାସ୍ତା ଅତିକ୍ରମ କରି ତାଙ୍କ ପାଖରେ ପହଞ୍ଚିବା ସହ ଗୁଳି ମାଡ଼ କରିଥିଲେ। ନବାଳିକାଙ୍କ ସହ ରହିଥିବା ତାଙ୍କର ୨ ଜଣ ବାନ୍ଧବୀ ଗୁଳି ମାଡ଼ ଦେଖି ଚିତ୍କାର କରିଥିଲେ।
ଯତୀନ ନିଜ ବନ୍ଧୁକରୁ ୨ଟି ଗୁଳି ମାଡ଼ କରିଥିଲେ। ଗୋଟିଏ ଗୁଳି କାନ୍ଧରେ ଓ ଆଉ ଗୋଟିଏ ଗୁଳି ନାବାଳିକାଙ୍କ ତଳି ପେଟରେ ମାଡ଼ ହୋଇଥିବା ଜଣାପଡ଼ିଛି। ନବାଳିକା ଜଣଙ୍କ ଯନ୍ତ୍ରଣାରେ ଚିକିତ୍ସାର କରୁଥିବା ବେଳେ ଯତୀନ ସେଠାରୁ ନିଜ ବ୍ୟାଗ ଧରି ବାଇକରେ ଚମ୍ପଟ ମାରିଥିଲେ। ଘଟଣାରେ ଦୋହଲି ଯାଇଥିବା ନାବାଳିକାଙ୍କ ଦୁଇ ସାଙ୍ଗ କେବଳ ସହାୟତା ପାଇଁ ଚିତ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।
ପୁଲିସ୍ କହିଛି ଯେ ଅପରାଧରେ ବ୍ୟବହୃତ ବନ୍ଧୁକକୁ ଜବତ କରାଯାଇଛି। ଏବେ ଅଭିଯୁକ୍ତ ଯତୀନ ମଙ୍ଗଲାଙ୍କୁ ଧରିବାକୁ ପ୍ରୟାସ ଚାଲିଛି। ଅଭିଯୁକ୍ତ ଜଣଙ୍କ ପୂର୍ବରୁ ପୀଡ଼ିତାଙ୍କୁ ଜାଣିଥିଲେ। ପୀଡ଼ିତା ଜଣଙ୍କ ମଧ୍ୟ ଅଭିଯୁକ୍ତଙ୍କୁ ଚିହ୍ନିଛନ୍ତି। ପୁଲିସ୍ ଓ କ୍ରାଇମ ବ୍ରାଞ୍ଚ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଛି। ଏଫଆଇଆର ମଧ୍ୟ ରୁଜୁ ହୋଇଥିବା ପୁଲିସ୍ର ଜଣେ ମୁଖପାତ୍ର କହିଛନ୍ତି।
ଯତୀନ ନବାଳିକାଙ୍କ ହାର୍ଟକୁ ଟାର୍ଗେଟ କରି ଗୁଳି ମାଡ଼ କରିଥିଲେ। ହେଲେ ସେ ନିଜକୁ ରକ୍ଷା କରିବା ପାଇଁ ହାତ ଦେଖାଇବାରୁ ଗୁଳିଟି ତାଙ୍କ କାନ୍ଧରେ ମାଡ଼ ହୋଇଥିଲା। ଯତୀନ ନାବାଳିକାଙ୍କ ପିଛା କରୁଥିବାରୁ ଏ ସମ୍ପର୍କରେ ତାଙ୍କ ମା’ଙ୍କୁ ମଧ୍ୟ ଅବଗତ କରାଯାଇଥିଲା।
ତାଙ୍କ ମା’ଙ୍କ ଅନୁରୋଧ କ୍ରମେ ନାବାଳିକାଙ୍କ ପରିବାର ଲୋକ ପୁଲିସ୍କୁ କିଛି ଜଣାଇ ନଥିଲେ। ହେଲେ ମା’ଙ୍କୁ କହିବାର ଦିନକ ପରେ ଯତୀନ ଏପରି କାଣ୍ଡ ଘଟାଇଥିବା ନାବାଳିକାଙ୍କ ଭଉଣୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/04/shoot-2025-11-04-13-14-40.jpg)