/odisha-reporter/media/post_attachments/uploadimage/library/16_9/16_9_0/Delhi_1684238718.jpg)
Delhi
ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଦିଲ୍ଲୀ ମେଟ୍ରୋରେ କାମ କରୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ଛୁରୀ ଭୁଷି ଦେଇଛନ୍ତି। ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଘଟଣାରେ ବ୍ୟକ୍ତି, ତାଙ୍କ ପତ୍ନୀ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୧୩ ବର୍ଷ ବୟସର ପୁଅ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛି।
ପୁଲିସ୍ କହିଛି ଯେ ୪୫ ବର୍ଷୀୟ ବ୍ୟକ୍ତି ସୁଶୀଲ କୁମାର ପ୍ରଥମେ ତାଙ୍କ ପତ୍ନୀ ୪୦ ବର୍ଷୀୟ ଅନୁରାଧା, ୬ ବର୍ଷର ଝିଅ ଆଦିତି ଓ ୧୩ ବର୍ଷର ପୁଅ ଯୁବରାଜଙ୍କୁ ଛୁରୀ ଭୁଷି ଦେଇଥିଲେ। ସମସ୍ତେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ବେଳେ ସୁଶୀଲ ନିଜେ ମଧ୍ୟ ବେକରେ ରଶି ଲଗାଇ ଝୁଲି ପଡ଼ିଥିଲେ।
ଘଟଣା ସ୍ଥଳରୁ ଅନୁରଧା, ସୁଶୀଲ ଓ ଆଦିତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅ ଯୁବରାଜ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀର ଶାହଦାରା ଜିଲ୍ଲା ଅନ୍ତର୍ଗତ ଜ୍ୟୋତି କଲୋନୀରେ ପୂରା ଘଟଣା ଘଟିଛି। ସୁଶୀଲ ପୂର୍ବ ବିନୋଦ ନଗରରେ ଥିବା ଦିଲ୍ଲୀ ମେଟ୍ରୋରେ ସୁପରଭାଇଜର ଭାବେ କାମ କରୁଥିଲେ।
ରାତି ପ୍ରାୟ ୧୨ଟା ବେଳେ ଦିଲ୍ଲୀ ପିସିଆରକୁ ଗୋଟିଏ ଫୋନ ଆସିଥିଲା। ସୁଶୀଲ ଅଫିସ ଯାଇ ନଥିବାରୁ ତାଙ୍କର ଜଣେ ସହକର୍ମୀ ତାଙ୍କୁ ଫୋନ କରିଥିଲେ। ଏହି ସମୟରେ ସୁଶୀଲ କାନ୍ଦିକାନ୍ଦି ପରିବାରର ସମସ୍ତଙ୍କୁ ମାରି ଦେଇଥିବା କହିଥିଲେ। ଏହା ଶୁଣି ତାଙ୍କ ସହକର୍ମୀ ପୁଲିସ୍କୁ ଖବର ଦେଇଥିଲେ।
ହେଲେ ପୁଲିସ୍ ପହଞ୍ଚିଲା ବେଳକୁ ସୁଶୀଲ ମଧ୍ୟ ଜୀବନ ହାରି ସାରିଥିଲେ। ଏବେ ପୁଲିସ୍ ଫରେନ୍ସିକ ଟିମ ସହ ଘଟଣାର ତଦନ୍ତ କରୁଛି। ସେହିପରି ସୁଶୀଲ କାହିଁକି ଏପରି ଘଟଣା ଘଟାଇଲେ, ତା’ର ଯାଞ୍ଚ ମଧ୍ୟ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
