Advertisment

ସ୍ୱର୍ଣ୍ଣ ମୁଦ୍ରା ସମେତ ୧୫ କୋଟି ଟଙ୍କାର ସାମଗ୍ରୀ ବ୍ୟାଗରେ ଭର୍ତ୍ତି କରିଥିଲା ଚୋର, ହେଲେ ଘଟିଲା ଏମିତି ଘଟଣା

ରାତିସାରା ଚୋର ବିନୋଦ ଯାଦବ ମ୍ୟୁଜିୟମ ଭିତରେ ରହିଥିଲା। ମ୍ୟୁଜିୟମଟି ସୋମବାର (ଗତକାଲି) ବନ୍ଦ ଥିଲା। ଏହାକୁ ସୁଯୋଗ ଭାବି ଲୁଟ୍ କରି ଚମ୍ପଟ ମାରିବାକୁ ସେ ଯୋଜନା କରିଥିଲା।

Gold Coin

Gold Coin

Advertisment

ଚୋରି କରିବାକୁ ମ୍ୟୁଜିୟମରେ ପଶିଥିଲା ଚୋର। ପ୍ରାୟ ୧୫ କୋଟି ଟଙ୍କାର ଜିନିଷ ବ୍ୟାଗରେ ପୂରାଇ ଚମ୍ପଟ ମାରିବାକୁ ପ୍ରୟାସ କରିଥିଲା। ହେଲେ ସଫଳ ହେଲାନାହିଁ। ମ୍ୟୁଜିୟମ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ସେ ବାହାରିପାରି ନଥିଲା। ଶେଷରେ ବିପଜ୍ଜନକ ଭାବେ ଏକ କାନ୍ଥରୁ ଡେଇଁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ତଳେ ପଡ଼ି ଆହତ ହୋଇଥିଲା ଓ ପରେ ସୁରକ୍ଷା କର୍ମଚାରୀଙ୍କ ହାତରେ ଧରାପଡ଼ିଥିଲା। ଏହି ଘଟଣା ଘଟିଛି ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଲ ସ୍ଥିତ ରାଜ୍ୟ ସଂଗ୍ରହାଳୟ ବା ଷ୍ଟେଟ୍ ମ୍ୟୁଜିୟମରେ।

Advertisment

ଗିରଫ ଅଭିଯୁକ୍ତର ନାଁ ବିନୋଦ ଯାଦବ। ତା’ ଘର ବିହାରର ଗୟାରେ। ସେ ଜଣେ ପେସାଦାର ଚୋର। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ବିନୋଦ ଯାଦବ ମ୍ୟୁଜିୟମ ଭିତରେ ପଶିଥିଲା। ସେ ଟିକେଟ୍ କିଣି ମ୍ୟୁଜିୟମ ଭିତରକୁ ଯାଇଥିଲା। ହେଲେ ଆଉ ବାହାରି ନଥିଲା। ମ୍ୟୁଜିୟମ ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଠାରେ ରହିଥିଲା। ମ୍ୟୁଜିୟମ ବନ୍ଦ ହେବା ବେଳେ ତା’ ଭିତରେ କୌଣସି ଏକ ସ୍ଥାନରେ ଲୁଚି ଯାଇଥିଲା। ତାଙ୍କୁ ମ୍ୟୁଜୟମର କୌଣସି କର୍ମଚାରୀ ଦେଖିପାରି ନଥିଲେ।

ରାତିସାରା ଚୋର ବିନୋଦ ଯାଦବ ମ୍ୟୁଜିୟମ ଭିତରେ ରହିଥିଲା। ମ୍ୟୁଜିୟମଟି ସୋମବାର (ଗତକାଲି) ବନ୍ଦ ଥିଲା। ଏହାକୁ ସୁଯୋଗ ଭାବି ଲୁଟ୍ କରି ଚମ୍ପଟ ମାରିବାକୁ ସେ ଯୋଜନା କରିଥିଲା। ମ୍ୟୁଜିୟମ ବନ୍ଦ ଥିବାରୁ ସେ ଦୁଇଟି ଗ୍ୟାଲେରୀ ଭାଙ୍ଗି ସେଥିରୁ ପ୍ରାୟ ୮ରୁ ୧୦ କୋଟି ଟଙ୍କା ମୂଲ୍ୟର ପୁରାତନ ସ୍ୱର୍ଣ୍ଣ ମୁଦ୍ରା (ଗୋଲ୍‌ଡ କଏନ) ସହିତ ରୁପା କଏନ ଓ ଅଳଙ୍କାର ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ସାମଗ୍ରୀ ସଂଗ୍ରହ କରିଥିଲା। ପ୍ରାୟ ୧୫ କୋଟି ଟଙ୍କାର ସାମଗ୍ରୀ ଧରି ସେ ଫେରାର ହେବାକୁ ଉଦ୍ୟମ କରିଥିଲା। କିନ୍ତୁ ଶତ ଚେଷ୍ଟା ସତ୍ତ୍ୱେ ମ୍ୟୁଜିୟମରୁ ବାହାରି ପାରି ନଥିଲା।

Advertisment

ମଙ୍ଗଳବାର ସକାଳ ସାଢ଼େ ୧୦ଟାରେ ମ୍ୟୁଜିୟମ ଖୋଲିଥିଲା। କର୍ମଚାରୀମାନେ ଭିତରକୁ ଆସିବା ପରେ କିଛି ଗ୍ୟାଲେରୀ ଭାଙ୍ଗି ଥିବା ଓ ସେଥିରେ ଥିବା ସାମଗ୍ରୀ ନଥିବା ଦେଖିବାକୁ ପାଇଥିଲେ। ଏହା ପରେ ସଙ୍ଗେ ସଙ୍ଗେ ମ୍ୟୁଜିୟମର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ଖୋଜାଖୋଜି ଆରମ୍ଭ କରି ଦେଲେ। ସେମାନେ ମ୍ୟୁଜିୟମର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ବିନୋଦ ଯାଦବକୁ ଏକ ସ୍ଥାନରେ ଅଚେତ ଅବସ୍ଥାରେ ପାଇଥିଲେ। ତା’ ପାଖରେ ଏକ ବଡ଼ ବ୍ୟାଗ୍ ପଡ଼ିଥିଲା। ସେଥିରେ ଗୁପ୍ତ ଶାସନ ସମୟର ସ୍ୱର୍ଣ୍ଣ ମୁଦ୍ରାଠାରୁ ଆରମ୍ଭ କରି ବ୍ରିଟିଶ ଓ ନବାବଙ୍କ ଶାସନ ଅମଳର ଅନେକ ଅଳଙ୍କାର ଏବଂ ଅନ୍ୟ ସାମଗ୍ରୀ ରହିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ଫେରାର ହେବା ଚକ୍କରରେ ଚୋର ବିନୋଦ ଯାଦବ ମ୍ୟୁଜିୟମର ଏକ ୨୩ ଫୁଟ ଉଚ୍ଚ କାନ୍ଥରୁ ଖସିପଡ଼ି ଆହତ ହୋଇଥିଲା। ତା’ର ଗୋଟିଏ ଗୋଡ଼ରେ ଶକ୍ତ ଆଘାତ ଲାଗିଛି। ମ୍ୟୁଜିୟମରୁ ୫୦ରୁ ଅଧିକ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ପୁଲିସ। ପୁଲିସ ସନ୍ଦେହ କରୁଛି ଯେ ବିନୋଦକୁ ସାହାଯ୍ୟ କରିବାକୁ ମ୍ୟୁଜୟମ ବାହାରେ ମଧ୍ୟ କେହି ଥିଲେ।

ଏହି ଘଟଣା ପରେ ମ୍ୟୁଜିୟମର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏଠାରେ ସତର୍କ ଘଣ୍ଟି ବା ଆଲାରାମ ବ୍ୟବସ୍ଥା ନଥିବା ବେଳେ ସିସିଟିଭି କ୍ୟାମେରାଗୁଡ଼ିକ କାମ କରୁ ନଥିବା ଜଣାପଡ଼ିଛି। ମ୍ୟୁଜିୟମର କବାଟଗୁଡ଼ିକ ଆଲୁମିନିୟମରେ ତିଆରି ହୋଇଥିଲେ ହେଁ ଦୁର୍ବଳ ବୋଲି ଜଣାପଡ଼ିଛି। ସେହିପରି ଏହି ମ୍ୟୁଜିୟମର ଛାତର କିଛି ଅଂଶ ପ୍ଲାଷ୍ଟିକରେ ନିର୍ମିତ, ଯାହା ସହଜରେ ଭାଙ୍ଗିଯିବ। ସୁରକ୍ଷା ବ୍ୟବସ୍ଥାରେ ଏହି ସବୁ ତ୍ରୁଟି ସତ୍ତ୍ୱେ ନିୟୋଜିତ ସୁରକ୍ଷାକର୍ମୀମାନେ ସଠିକ୍ ଭାବେ ସେମାନଙ୍କ କାର୍ଯ୍ୟ ତୁଲାଉଥିବାରୁ ଚୋର ବିନୋଦ ସେଠାରୁ ବାହାରି ପାରି ନଥିଲା। ବିନୋଦ ନିଜେ ପୁଲିସ୍ ଆଗରେ କହିଛି ଯେ ସୁରକ୍ଷାକର୍ମୀମାନେ କଡ଼ା ପହରା ଦେଉଥିବା ଯୋଗୁ ଏକାଧିକବାର ଚେଷ୍ଟା କରିବା ସତ୍ତ୍ୱେ ସେ ସେଠାରୁ ବାହାରି ପାରି ନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe