Advertisment

ପ୍ରେମିକାଙ୍କ ସହ ମିଶି ବିଷ ପିଇଦେଲେ ଋଷଭ ପନ୍ତଙ୍କୁ ବଞ୍ଚାଇଥିବା ରଜତ

୨୦୨୨ ଡିସେମ୍ବର ମାସରେ ରଜତ କୁମାରଙ୍କୁ ସାରା ଦେଶ ଚିହ୍ନିଥିଲା।

author-image
Jitendra Garnayak
Rajat and Manu

Rajat and Manu

କ୍ରିକେଟର ଋଷଭ ପନ୍ତଙ୍କୁ ବଞ୍ଚାଇଥିବା ରଜତ କୁମାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଛି। ଗତ ୯ ତାରିଖରେ ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାର ବୁଚ୍ଚା ବସ୍ତିରେ ଘଟିଛି ଏହି ଘଟଣା।

Advertisment

ମନୁ କଶ୍ୟପ (୨୧) ନାମ୍ନୀ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ୨୫ ବର୍ଷୀୟ ରଜତ କୁମାର। ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଉଭୟ ରଜତ ଓ ମନୁଙ୍କ ପରିବାର ସେମାନଙ୍କ ସଂପର୍କକୁ ଗ୍ରହଣ କରିବାକୁ ରାଜି ହୋଇ ନଥିଲେ। କାରଣ ସେମାନେ ଭିନ୍ନ ଭିନ୍ନ ଜାତିର। ପରିବାର ଲୋକେ ସେମାନଙ୍କ ବାହାଘର ଅଲଗା ଅଲଗା ସ୍ଥାନରେ ଠିକ୍ କରିଥିଲେ। ତେଣୁ ସେମାନେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନା ଅନୁଯାୟୀ, ଉଭୟ ରଜତ ଓ ମନୁ ବିଷ ପିଇ ଦେଇଥିଲେ। ବିଷ ପିଇବା ପରେ ମନୁଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ରଜତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ମନୁ କଶ୍ୟପଙ୍କ ମା’ ଅଭିଯୋଗ କରିଛନ୍ତି ଯେ ରଜତ କୁମାର ତାଙ୍କ ଝିଅଙ୍କୁ ଅପହରଣ କରି ନେଇଥିଲେ ଓ ବିଷ ପିଆଇ ହତ୍ୟା କରି ଦେଲେ।

Advertisment

୨୦୨୨ ଡିସେମ୍ବର ମାସରେ ରଜତ କୁମାରଙ୍କୁ ସାରା ଦେଶ ଚିହ୍ନିଥିଲା। ସେହି ମାସରେ ଏକ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ କ୍ରିକେଟର ଋଷଭ ପନ୍ତ। ସେ ତାଙ୍କ ମର୍ସିଡିଜ୍‌ କାରରେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ବେଳେ ରୁର୍‌କୀ ନିକଟରେ ଏକ ଡିଭାଇଡରରେ ପିଟି ହୋଇଥିଲେ ଓ ଏହା ପରେ ପରେ ତାଙ୍କ କାରରେ ନିଆଁ ଲାଗି ଯାଇଥିଲା। ତେବେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ପନ୍ତ। ତାଙ୍କୁ ଉଦ୍ଧାର କରିଥିଲେ ରଜତ କୁମାର ଓ ଅନ୍ୟ ଜଣେ ଯୁବକ ନିଶୁ କୁମାର।

ପନ୍ତଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବା ବେଳେ ନିକଟସ୍ଥ ଏକ ଫ୍ୟାକ୍ଟ୍ରୀରେ କାମ କରୁଥିଲେ ରଜତ ଓ ନିଶୁ କୁମାର। ଦୁର୍ଘଟଣା ଦେଖି ସେମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ ସହାୟତା କରିବାକୁ। ସେମାନେ ପନ୍ତଙ୍କୁ ଜଳନ୍ତା କାରରୁ ବାହାର କରିଥିଲେ ଓ ମେଡିକାଲ ସହାୟତା ପାଇଁ ବ୍ୟବସ୍ଥା କରିଥିଲେ। ପନ୍ତଙ୍କୁ ଉଦ୍ଧାର କରିବା ପରେ ସେମାନେ ତାଙ୍କର ପରିଚୟ ଜାଣିଥିଲେ। ରଜତ ଓ ନିଶୁଙ୍କର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ। ପରବର୍ତ୍ତୀ ସମୟରେ ପନ୍ତ ସେମାନଙ୍କୁ ଗୋଟିଏ ଲେଖାଏଁ ସ୍କୁଟର ଉପହାରରେ ଦେଇଥିଲେ।

ଏହି ଦୁର୍ଘଟଣା ପରେ ପନ୍ତ ୧୪ ମାସ ଧରି କ୍ରିକେଟରୁ ଦୂରେଇ ରହିଥିଲେ। ତାଙ୍କ ଡାହାଣ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ତାଙ୍କ ଲିଗେମାଣ୍ଟ ସର୍ଜରୀ କରାଯାଇଥିଲା। ତାଙ୍କ ଗୋଇଠି ଓ ରିଷ୍ଟ ମଧ୍ୟ ଭାଙ୍ଗି ଯାଇଥିଲା। ୨୦୨୪ ମାର୍ଚ୍ଚ ମାସରେ ଆଇପିଏଲ୍‌ରେ ସେ କମ୍‌ବ୍ୟାକ୍ କରିଥିଲେ।

Rishabh Pant