Advertisment

ସିବିଆଇ ଚାର୍ଜସିଟ୍‌କୁ ନେଇ ଚର୍ଚ୍ଚା; ମଣିପୁର ପୁଲିସ୍ ହିଁ ଦୁଇ ମହିଳାଙ୍କୁ ଭିଡ଼ ମୁହଁକୁ ଠେଲିଥିଲା

ସିବିଆଇ ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି, ଗତ ବର୍ଷ ମେ’ ୩ ତାରିଖରେ କାଙ୍ଗକୋପି ଜିଲ୍ଲାର ଏହି ମହିଳାମାନଙ୍କ ଘରେ ଶତାଧିକ ଲୋକ ଜୋରଜବଦସ୍ତି ପଶିବାକୁ ଉଦ୍ୟମ କରଇଥିଲେ। ସେଠାରୁ ରକ୍ଷା ପାଇବାକୁ ମହିଳାମାନେ ଜଙ୍ଗଲରେ ଦୌଡ଼ିବାକୁ ଲାଗିଲେ।

Manipur Violence

Manipur Violence

Advertisment

ବର୍ଷେ ତଳେ ଦୁଇ ଅସହାୟ ମହିଳାଙ୍କ ଗୁହାରି ଶୁଣି ନ ଥିଲା ପୁଲିସ୍‌। ଜୀବନ ରକ୍ଷା ପାଇଁ ସେମାନେ ନେହୁରା ହୋଇଥିବା ବେଳେ ପୁଲିସ୍ ତାହାକୁ ପାଦରେ ଏଡ଼ାଇ ଦେଇଥିଲା। ଅସହାୟ ମହିଳାଙ୍କୁ ସାହାଯ୍ୟ କରିବା ଦୂରର କଥା ପୁଲିସ୍‌ ସେମାନଙ୍କୁ ବିପଦ ମୁହଁକୁ ଠେଲି ଦେଇଥିଲା। ହଜାର ହଜାର ଉତ୍ତ୍ୟକ୍ତ ଲୋକଙ୍କ ସମ୍ମୁଖକୁ ପୁଲିସ୍‌ ଦୁଇ ଅସହାୟ ମହିଳାଙ୍କୁ ଠେଲି ଦେଇଥିଲା। ଫଳରେ ଭିଡ଼ ଦ୍ୱାରା ସେମାନେ ଯୌନ ଉତ୍ପୀଡ଼ନର ଶିକାର ହେଲେ। କେବଳ ଏତିକି ନୁହେଁ ଭିଡ଼ ଉକ୍ତ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇଥିଲେ।

Advertisment

ଗତବର୍ଷ ମଣିପୁରରେ ଘଟିଥିବା ଏପରି ଲଜ୍ଜାଜନକ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏବେ ତାହାର ଚାର୍ଜସିଟ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ବର୍ଷ ଅକ୍ଟୋବର ୧୬ରେ ଗୌହାଟୀସ୍ଥିତ ସ୍ପେଶାଲ ସିବିଆଇ ଜଜଙ୍କ ନିକଟରେ ଏହି ମାମଲା ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଆଇ। ମାତ୍ର ଏହି ଘଟଣାକୁ ବର୍ଷେ ପୂରିବାକୁ ଆଉ ମାତ୍ରେ ଦୁଇ ଦିନ ବାକି ଥିବା ବେଳେ ଏହାର ଚାର୍ଜସିଟ୍‌କୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା।

ଏପରି ଲଜ୍ଜାଜନକ ଘଟଣା ନିମନ୍ତେ ସିବିଆଇ ସମ୍ପୂର୍ଣ୍ଣ ଭାବେ ମଣିପୁର ପୁଲିସ୍‌କୁ ଦାୟୀ କରିଥିବା ବେଳେ ନିଜ ଚାର୍ଜସିଟ୍‌ରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହ ଭିଡ଼ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଦୁଇ ମହିଳାଙ୍କୁ ପୁଲିସ୍‌ ରକ୍ଷା କରିବା ପରିବର୍ତ୍ତେ ଭିଡ଼କୁ ଠେଲି ଦେଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି।

Advertisment

ସିବିଆଇ ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି, ଗତ ବର୍ଷ ମେ’ ୩ ତାରିଖରେ କାଙ୍ଗକୋପି ଜିଲ୍ଲାର ଏହି ମହିଳାମାନଙ୍କ ଘରେ ଶତାଧିକ ଲୋକ ଜୋରଜବଦସ୍ତି ପଶିବାକୁ ଉଦ୍ୟମ କରଇଥିଲେ। ସେଠାରୁ ରକ୍ଷା ପାଇବାକୁ ମହିଳାମାନେ ଜଙ୍ଗଲରେ ଦୌଡ଼ିବାକୁ ଲାଗିଲେ। ମାତ୍ର ମୈତି ସମୁଦାୟର ଲୋକେ ସେମାନଙ୍କୁ ଦେଖି ପିଛା କରିଥିଲେ।

ଉକ୍ତ ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ପୁଲିସ୍‌ ଗାଡ଼ିରେ ଦୁଇ ମହିଳାଙ୍କ ସହ ଜଣେ ପୁରୁଷ ଜୀବନ ବିକଳରେ ପଶି ଯାଇଥିଲେ। ଉକ୍ତ ସମୟରେ ଗାଡ଼ି ଭିତରେ ଦୁଇ ପୁଲିସ୍‌ କର୍ମୀ ଓ ଡ୍ରାଇଭର ବସିଥିବା ବେଳେ ବାହାରେ ୪ ଜଣ ଛିଡ଼ା ହୋଇଥିଲେ। ଏହାପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ କାକୁତି ମିନତି ହୋଇଥିଲେ ଅସହାୟ ମହିଳା ଓ ବ୍ୟକ୍ତି । ମାତ୍ର ଗାଡ଼ି ଚାବି ନ ଥିବା କହି ପୁଲିସ୍‌ କର୍ମୀ ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ କରି ନ ଥିଲେ। ସାହାଯ୍ୟ ତ ଦୂରର କଥା ସେମାନେ ତାଙ୍କୁ ଭିଡ଼ ମୁହଁକୁ ଠେଲି ଦେଇଥିଲେ।

ଏହାପରେ ପୁଲିସ୍‌ ଗାଡ଼ିର ଡ୍ରାଇଭର ଭିଡ଼ ଆଡ଼କୁ ଗାଡ଼ିକୁ ନେଇ ଶତାଧିକ ଲୋକଙ୍କ ସମ୍ମୁଖରେ ରଖି ଦେଇଥିଲା। ସେଠାରେ ପୁଲିସ୍‌ ଦୁଇ ମହିଳାଙ୍କ ସମେତ ଗାଡ଼ିରେ ଥିବା ବ୍ୟକ୍ତିଙ୍କୁ ଓହ୍ଲାଇ ଦେଇ ଘଟଣାସ୍ଥଳରୁ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ।

ଉତ୍ତ୍ୟକ୍ତ ଲୋକେ ଗାଡ଼ି ଭିତରେ ଥିବା ବ୍ୟକ୍ତିଙ୍କୁ ହତ୍ୟା କରିଥିବା ବେଳେ ଦୁଇ ମହିଳାଙ୍କୁ ପ୍ରଥମେ ଟଣାଓଟରା କରିଥିଲେ। ଏହାପରେ ସେମାନେ ତାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଳାଇବା ସହ ଯୌନ ଶୋଷଣ ବି କରିଥିଲେ। ପୀଡ଼ିତାମହିଳାଙ୍କୁ ବନ୍ଧା ଯାଇଥିବା ବେଳେ ସେମାନେ ଉଦ୍ଧାର ପାଇଁ କାନ୍ଦି କାନ୍ଦି ଗୁହାରି କରୁଥିଲେ। ମାତ୍ର ଅନ୍ୟମାନେ ଏହା ଦେଖୁଥିଲେ ବି କେହି ସାହାଯ୍ୟ କରିବାକୁ ଆଗେଇ ଆସୁ ନ ଥିଲେ।

ଏହି ଘଟଣାରେ ସିବିଆଇ ୬ ଜଣଙ୍କ ନାମରେ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଗଣ ବଳାତ୍କାର, ହତ୍ୟା, ଭିଡ଼କୁ ଉସକାଇବା, ମହିଳାଙ୍କ ସମ୍ମାନରେ ଆଞ୍ଚ ଆଣିବା ଆଦି ଅଭିଯୋଗ ରହିଛି।

ଜଣେ ପୀଡ଼ିତାଙ୍କ ସ୍ୱାମୀ ଆସାମ ରେଜିମେଣ୍ଟରେ ସୁବେଦାର ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ପତ୍ନୀଙ୍କ ସହ ଏପରି ପାଶବିକ ଅତ୍ୟାଚାର ଘଟଣା ସମଗ୍ର ଦେଶବାସୀଙ୍କ ମୁଣ୍ଡକୁ ତଳକୁ ନୁଆଇଁ ଦେଇଥିଲା।

Communal Violence Manipur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe