Advertisment

ମଣିପୁର ହିଂସାର ମୂଳ ରାୟକୁ ବଦଳାଇଲେ ହାଇକୋର୍ଟ

ଗତବର୍ଷ ମାର୍ଚ୍ଚ ୨୭ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଏବେ ରଦ୍ଦ କରିଛନ୍ତି ହାଇକୋର୍ଟ।

author-image
Madhupriya Mistry
Manipur Battle

Manipur Battle

ଭୟଙ୍କର ହିଂସା। ବ୍ୟାପକ ଅଗ୍ନିକାଣ୍ଡ, ହଜାର ହଜାର ଲୋକ ବିସ୍ଥାପିତ। ୨୦୦ରୁ ଅଧିକ ଲୋଙ୍କ ମୃତ୍ୟୁ। ଶେଷରେ ଏହି ହିଂସାର ମୂଳ କାରଣ ପାଲଟିଥିବା ରାୟକୁ ବଦଳାଇଲେ ମଣିପୁର ହାଇକୋର୍ଟ। ଗତବର୍ଷ ମାର୍ଚ୍ଚ ୨୭ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଏବେ ରଦ୍ଦ କରିଛନ୍ତି ହାଇକୋର୍ଟ।

Advertisment

ପ୍ରକୃତରେ ୨୦୨୩ ମାର୍ଚ୍ଚ ୨୭ ତାରିଖରେ ମେତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ (ଏସ୍‌ଟି)ରେ ସାମିଲ କରିବା ପାଇଁ ମଣିପୁର ହାଇକୋର୍ଟ ରାୟ ଦେଇଥିଲେ। ହାଇକୋର୍ଟଙ୍କ ଏହି ରାୟ ଆସିବା ପରେ ମଣିପୁରରେ ହିଂସାତ୍ମକ ସ୍ଥିତି ଉପୁଜିଥିଲା। ଏହି ନିର୍ଦ୍ଦେଶକୁ ଆଦିବାସୀ କୁକି ସମ୍ପ୍ରଦାୟର ଲୋକେ ବିରୋଧ କରିଥିଲେ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଉପୁଜିଥିଲା, ଯାହା ଏବେବି ଜାରି ରହିଛି।

ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି କୁକି ସମ୍ପ୍ରଦାୟର ଲୋକେ ପୁର୍ନବିଚାର ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଗୋଲମେଇ ଗୌଫୁଲଶିଲୁଙ୍କ ବେଞ୍ଚ ହିଂସାର ମୂଳ କାରଣ ଥିବା ରାୟର ଏକ ବିବାଦୀୟ ପାରାଗ୍ରାଫକୁ ହଟାଇ ଦେଇଛନ୍ତି। ଏହା ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ ବିରୋଧୀ ଥିଲା ବୋଲି କହିଛନ୍ତି।

Advertisment

କୌଣସି ଜନଜାତିକୁ ଏସ୍‌ଟି ତାଲିକାରେ ସାମିଲ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଜାରି କରିପାରିବେ ନାହିଁ। ଏଥିରେ ପରିବର୍ତ୍ତନ ଓ ସଂଶୋଧନ କରିବା ଅଧିକାର କେବଳ ରାଷ୍ଟ୍ରପତିଙ୍କ ପାଖରେ ରହିଛି ବୋଲି କୋର୍ଟ କହିଛନ୍ତି।

ମଣିପୁର ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଥମେ ଚୁରାଚନ୍ଦପୁର ଜିଲ୍ଲାରେ ହିଂସା ସୃଷ୍ଟି ହୋଇଥିଲା। ଏହାର ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୬୩ କିଲୋମିଟର ଦୂରରେ ଅବସ୍ଥିତ। ଏହି ଜିଲ୍ଲାରେ କୁକି ସମ୍ପ୍ରଦାୟର ଆଦୀବାସି ସଂଖ୍ୟା ଅଧିକ ଅଛି। ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡ ସର୍ଭେକୁ ବିରୋଧ କରି ଏପ୍ରିଲ ୨୮ ତାରିଖରେ ଦ ଇଣ୍ଡିଜେନସ ଟ୍ରାଇଭାଲ ଲିସର୍ଡ ଫୋରମ ଚୁରାଚନ୍ଦପୁରରେ ଆଠ ଘଣ୍ଟା ବନ୍ଦ ଡାକରା ଦେଇଥିଲା।

ଦେଖୁ ଦେଖୁ ଏହି ବନ୍ଦ ଡାକରା ହିଂସାର ରୂପ ନେଇଥିଲା। ସେହିଦିନ ରାତିରେ ତୁଇବେଙ୍ଗ ଅଞ୍ଚଳରେ ବିକ୍ଷୋଭକାରୀମାନେ ବନ ବିଭାଗ ଅଫିସରେ ନିଆଁ ଲଗାଇ ଦେଇଥିଲେ। ଏହାପରେ ଏହି ହିଂସାରେ ମୁଖ୍ୟ ରୂପେ ପୁଲିସ ଓ କୁକି ଆଦିବାସୀର ଲୋକେ ମୁହାଁମୁହିଁ ହୋଇଥିଲେ। ମେତେଇ ସମ୍ପ୍ରଦାୟକୁ ଏସ୍‌ଟି ମାନ୍ୟତା ଦେବା ବିରୋଧରେ ମେ' ୩ ତାରିଖରେ ଟ୍ରାଇବଲ ଷ୍ଟୁଡେଣ୍ଟସ୍‌ ୟୁନିଅନ ଅଫ ମଣିପୁର ତରଫରୁ ଆଦିବାସୀ ଏକତା ଶୋଭାଯାତ୍ରା ବାହାରିଥିଲା। ଏଠାରୁ ହିଁ ମଣିପୁରରେ ପୂରା ସ୍ଥିତି ବିଗିଡିଥିଲା। ବର୍ତ୍ତମାନ ସୁଦ୍ଧା ଏହି ହିଂସା ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି।

Manipur Violence Manipur High Court Meiteis-Kuki Clashes