Advertisment

ମଣିପୁରରେ ଥମୁନି ହିଂସା; ଏସ୍‌ପି, ଜିଲ୍ଲାପାଳଙ୍କ ଅଫିସ ଉପରକୁ ପଥର ମାଡ଼, ଚାଲିଗଲା ଦୁଇ ଜୀବନ

ଏହି ଘଟଣାରେ ଜଣେ ହେଡ କନଷ୍ଟେବଳ ସାମିଲ ଥିବାର ଭିଡିଓ ସାମନାକୁ ଆସିବା ପରେ ତୁରନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି।

ଅଦ୍ୟତନ ହୋଇଛି
Attack

Attack

Advertisment

ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ମଣିପୁରରେ ଥମିବା ନାଁ ନେଉନାହିଁ। ଏହିକ୍ରମରେ ଗତ ରାତିରେ ପୁଣିଥରେ ମଣିପୁରରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। 

Advertisment

ଗତ ରାତିରେ ଶହ ଶହ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକ ଚୁରାଚନ୍ଦପୁରର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଅଫିସ ଉପରେ ଆକ୍ରମଣ କରିଛନ୍ତି। ଏନେଇ ସୋଶାଲ ମିଡିଆ Xରେ ମଣିପୁର ପୁଲିସ୍‌ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରାୟ ୩ଶହରୁ ୪ଶହ ଲୋକ ଏକ ସଙ୍ଗେ ଗତ ରାତିରେ ଏସ୍‌ପିଙ୍କ ଅଫିସ ଆଡ଼କୁ ମାଡ଼ି ଆସିଲେ। ଏପରିକି ଭିଡ଼ରେ ଥିବା ଲୋକ ଉଭୟ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଅଫିସ ଉପରକୁ ପଥର ମାଡ଼ କରିବାକୁ ପଛାଇଲେ ନାହିଁ। ଉତ୍ତ୍ୟକ୍ତ ଲୋକ ଆଖପାଖରେ ଥିବା ବହୁ ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଥିବାର ଫଟୋ ସାମନାକୁ ଆସିଛି। 

ତୁରନ୍ତ ଘଟଣାର ମୁକାବିଲା କରିବାକୁ ରାପିଡ ଆକ୍ସନ ଫୋର୍ସ ସାଙ୍ଗକୁ ସୁରକ୍ଷା ବଳ ଜବାନଙ୍କୁ ମୁତୟନ କରାଯାଇଥିଲା।  ସୁରକ୍ଷା ବଳ ଭିଡ଼ ଉପରେ ନିୟନ୍ତ୍ରଣ ପାଇବାକୁ ଫାୟାରିଂ କରିଥିବା ବେଳେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଅଧିକ ହିଂସା ଘଟିବା ଆଶଙ୍କାରେ ଚୁରାଚାନ୍ଦପୁର ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ୫ ଦିନ ପାଇଁ ବନ୍ଦ କରି ଦିଆଯାଇଛି। 

Advertisment

ଏହି ଘଟଣାରେ ଜଣେ ହେଡ କନଷ୍ଟେବଳ ସାମିଲ ଥିବାର ଭିଡିଓ ସାମନାକୁ ଆସିବା ପରେ ତୁରନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି। ଫଳରେ ପୁଣି ଥରେ ମଣିପୁର ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ଯାଇଛି। 

ଏହି ଭିଡରେ ଥାନାର ହେଡ କନଷ୍ଟେବଳ ସିୟାମଲାଲ ପଲ ସାମିଲ ଥିବାର ଭିଡିଓ ସାମନାକୁ ଆସିବା ପରେ ଚୁରାଚନ୍ଦପୁର ଏସ୍‌ପି ଶିବାନନ୍ଦ ସୁର୍ବେ ତୁରନ୍ତ ତାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯିବା ସହ ଥାନା ନ ଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ମେ' ୩ ତାରିଖରୁ ମଣିପୁରରେ ଅଶାନ୍ତ ଲାଗି ରହିଛି। ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତିକମ୍‌ରେ ୧୮୦ରୁ ଊର୍ଦ୍ଧ୍ୱ ଜଣ ପ୍ରାଣ ହରାଇ ସାରିଛନ୍ତି। ତଥାପି ସ୍ଥିତି ସ୍ୱାଭାବିକ ହୋଇ ପାରିନି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe